କଟକ/୧୦/୩/୨୦୨୬/(ଆଧାର ମିଡ଼ିଆ)- କଟକ କେନ୍ଦ୍ରାପଡ଼ା ମୁଖ୍ୟ କେନାଲର ଦୁଇନମ୍ବର ବ୍ରାଞ୍ଚ କେନାଲ ଡାହଣ ପାର୍ଶ୍ୱ ରେ ଜଳସେଚନ ବିଭାଗର ବିନା ଅନୁମତିରେ ଏକାଧିକ ଫୁଟ ବ୍ରିଜ୍ ନିର୍ମାଣ ହୋଇଛି।ଯାହା ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ନିକଟରେ ଖବର ନାହିଁ।
ସୂଚନା ଅନୁସାରେ ମହାନଦୀରେ ଜଳସଙ୍କଟକୁ ନେଇ ରାଜ୍ୟସଭା ଓ ବିଧାନ ସଭାରେ ତୁମ୍ଭିତୋଫାନ ଲାଗି ଥିବା ବେଳେ ଚାଷୀ ମାନଙ୍କ ପାଇଁ ମାପିଚୁପି ଜଳବଣ୍ଟନ କରିଛନ୍ତି। ତେବେ କଟକ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରୁ ଜଗତପୁର ଠାରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ କେନାଲର ଉଭୟ ପାର୍ଶ୍ୱରେ ଚାଷୀଙ୍କ ସୁବିଧା ଅନୁଯାୟୀ ବିଭିନ୍ନ ସ୍ଥାନରେ ବ୍ରାଞ୍ଚ କେନାଲ ବା ସବ କେନାଲ ଗୁଡ଼ିକ କରାଯାଇଛି। ଏହି କେନାଲ ମାଧ୍ୟମରେ ହଜାର ହଜାର ଚାଷୀଙ୍କ ଚାଷ ଜମିକୁ କିପରି ସୂଚାରୁ ରୂପେ ଜଳସେଚନ କରାଯାଇ ପାରିବ ସେ ନେଇ ସମ୍ପୃକ୍ତ ବିଭାଗ ବର୍ଷସାରା କେନାଲକୁ ସଫା କରିବା,ଭାଙ୍ଗି ଯାଇଥିବା କେନାଲର ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି.ମାତ୍ର ଜଗତପୁର ଦୁଇନମ୍ବର ବ୍ରାଞ୍ଚ କେନାଲର ଉଭୟ ପାର୍ଶ୍ୱରେ ଚାଷଜମି ଗୁଡିକୁ ବେଆଇନ ଭାବେ ଘରବାଡ଼ି କିସମରେ ପରିବର୍ତ୍ତନକରି କିଛି ସ୍ବାର୍ଥନ୍ବେଷୀ ମୁଷ୍ଟିମେୟ ବ୍ୟକ୍ତି,ବିଲଡର ଓ ଶିଳ୍ପପତି ମାନେ ବଡ଼ ବଡ଼ କୋଠା ନିର୍ମାଣ କରିଛନ୍ତି।
ତେବେ ସେମାନେ ନିଜର ଗମନାଗମନର ସୁବିଧା ନିମନ୍ତେ ଜଳସେଚନ ବିଭାଗ ଠାରୁ ଅନୁମତି ନନେଇ ବେଆଇନ ଭାବେ ପ୍ରତି ୨୦ ରୁ ୩୦ ମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଫୁଟ୍ବ୍ରିଜ ନିର୍ମାଣ କରିଛନ୍ତି। ଫଳରେ କେନାଲର ଭିତର ପାର୍ଶ୍ବ ସଙ୍କୁଚିତ ହୋଇ ଯାଉଛି,ତେଣୁ ଚାଷ ଜମିକୁ ମଧ୍ୟ ସଠିକ୍ ପରିମାଣରେ ପାଣି ଯୋଗାଣ ହୋଇ ପାରୁନାହିଁ।ଏ ସମ୍ପର୍କରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ ସେ ବର୍ତ୍ତମାନ ସୁଦ୍ଧା ଉକ୍ତ ପୋଲନିର୍ମାଣ ବିଷୟରେ ସେ ଜାଣିନାହାନ୍ତି।ସେପଟେ ବାରବୋଡିଆ ଶାଖାର ସହକାରୀ ଯନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଏଭଳି ପୋଲ ନିର୍ମାଣ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ବେଆଇନ ଭାବେ ନିର୍ମିତ କରିଥିବା ପୋଲ ଗୁଡ଼ିକ ଭାଙ୍ଗି ଦିଆଯିବ।
Recent Comments