କାକଟପୁର,୨୧/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)ବଙ୍ଗୋପସାଗର ଘନୀଭୂତ ହୋଇଥିବା ଲଘୁଚାପ ବର୍ଷା ଯୋଗୁ ପୁରୀ ଜିଲ୍ଲା କାକଟପୁର ବ୍ଲକ ରେ ଏକର ଏକର କଟା ଧାନ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ପାଣି କାଦୁଅରେ ଘାଣ୍ଟି ହୋଇ,ଜମି ମାଲିକ ଠାରୁ ଜମି ଚାଷ ପାଇଁ ଆଣି,ସମବାୟ ସମିତି,ରୁ ସୁଧକୁ ଆଣି,ପ୍ରଧାନମନ୍ତ୍ରୀ କିଶାନନିଧି ଯୋଜନାରେ ସହାୟତା ରାଶି ପାଇ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀ ନଖରା ଭୂମିରେ ଯେଉଁ ସୁନାର ଫସଲ ଫଳାଇଥିଲା, ଅମଳ କରିବା ବେଳକୁ ପ୍ରକୃତି ଦାଉ ସାଧି ଆଜି ଫସଲ ଉଜାଡି ଦେଇଛି।କାକଟପୁର ବ୍ଳକରେ ଏକର ଏକର ଚାଷଜମିର ପାଚିଲା ଧାନ ଅଦିନିଆ ବର୍ଷାରେ ନଷ୍ଟ ହେବାକୁ ଯାଉଛି।ଯଦ୍ୱାରା ଚାଷୀ ସରକାରୀ ମଣ୍ଡିରେ ଏଫଏକ୍ୟୁ ମାନର ଧାନ କେଉଁଠୁ ଆଣି ଦେବ ଯେ ସେ ତାର ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବ।ଅଦିନିଆ ଲଗାଣ ବର୍ଷା ଫଳରେ ବିଲରେ କଟା ହୋଇ ପଡିଥିବା ଧାନବତୁରି ଗଜା ହେବା ସହ ଧାନର ରଙ୍ଗ ଓ ମାନକୁ ପରିବର୍ତ୍ତନ କରିଦେବ।ସମବାୟର ମଣ୍ଡି ମାଧ୍ୟମରେ ମିଲର ସେଭଳି ଧାନକୁ ନେବ ନାହଁ। ତେଣୁ ବିଚରା ଚାଷୀ ବାଧ୍ୟହୋଇ ବେପାରୀଙ୍କ ମାଧ୍ୟମରେ ସେହି ମିଲରଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରି ଋଣମୁକ୍ତ ହେବାକୁ ଚେଷ୍ଟା କରିବ। ତେଣୁ ଚାଷ ଓ ଚାଷୀଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାର କିଛି ପଦକ୍ଷେପ ଗ୍ରହଣ କରିବାକୁ କାକଟପୁର ବ୍ଳକର ଚାଷୀ ସମୂହ ସରକାରଙ୍କ ଠାରେ ଦାବୀ କରିଛନ୍ତି ଯାହାକୁ ବ୍ଳକର ବୁଦ୍ଧୀଜିବୀ ଓ ସାଧାରଣ ଜନତା ସମର୍ଥନ ଜଣାଇଛନ୍ତି।
Recent Comments