logo
add image
ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ/୨୩/୯/୨୦୨୫/(ଆଧାର ମିଡ଼ିଆ)-ସେବାପକ୍ଷ ଅବସରରେ ପୁରୀଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଲଳିତକଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ଏକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।୨୦୪୭ ବିକଶିତ ଭାରତର ପରିକଳ୍ପନା ଶୀର୍ଷକ ଏହି ପ୍ରତିଯୋଗିତା ସଂସ୍କୃତି ଭବନସ୍ଥିତ ଲଳିତକଳା ଏକାଡେମୀ ଗ୍ୟାଲେରୀରେ ଅନୁଷ୍ଠିତ ହୋଇଥିଲା।ଏହି ଚିତ୍ରକଳା ପ୍ରତି ଯୋଗିତା ଓ ପ୍ରଦର୍ଶନୀକୁ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଉଦଘାଟନ କରିବା ସହ ପ୍ରତ୍ୟେକ କଳାକାର ନିଜର ସୃଜନଶୀଳତା ଓ ଭାବନାକୁ କାନଭାସରେ ଲିପିବଦ୍ଧ କରି ସମାଜକୁ ବାର୍ତ୍ତା ଦେଇଥାନ୍ତି ବୋଲି କହିଥିଲେ।
କଳାକାର ଟିଏ ଦ୍ୱିତୀୟ ଇଶ୍ଵରପରି ନିଜ କଳା ମାଧ୍ୟମରେ ଯେଉଁ ସୃଷ୍ଟି କରିଥାନ୍ତି ତାହା ତାଙ୍କୁ ପରିଚୟ ଦେଇଥାଏ।ବିକଶିତ ଭାରତ ୨୦୪୭ର ଚିତ୍ରକୁ ଅତି ଚମତ୍କାର ଭାବେ ଅଙ୍କନ କରିଥିବାରୁ ସେ ସମସ୍ତ ଚିତ୍ର ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ କାଶିନାଥ ଖୁଣ୍ଟିଆ କଳାକାର ଟିଏ ନିଜର ଚିନ୍ତା ଓ ଚେତନାକୁ ଜାଗ୍ରତକରି ଯେଉଁ ସୃଷ୍ଟିକରେ ତାହା ଅନନ୍ୟ ବୋଲି କହିବା ସହ ଭାବନାତ୍ମକ ଚିନ୍ତନର ସୁନ୍ଦର ପ୍ରତିଫଳନ ଏହି ଚିତ୍ରକଳା ବୋଲି  ସେ କହିଥିଲେ।
ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ, ପୁରୀ ଲଳିତକଳା ଏକାଡେମୀର ତତ୍ତ୍ୱାବଧାରକ ସତ୍ୟ ନାରାୟଣ ପାଢ଼ୀ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଚିତ୍ରକଳା ପ୍ରତିଯୋଗିତାର ଶ୍ରେଷ୍ଠ ତିନିକଳା କୃତି ଓ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଚିତ୍ରକଳା ପ୍ରତିଯୋଗି ତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରକୁ ପ୍ରେରଣ କରାଯିବ ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।

Recent Comments

Leave Comments

Top