ସୁବର୍ଣ୍ଣପୁର/୦୯/୦୧/୨୦୨୬/(ଆଧାର ମିଡ଼ିଆ)-ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ଠାରେ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା- ୨୦୨୬ର ତୃତୀୟ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର କୁଟୀରଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରର ସଭାପତି ଶ୍ରୀ ସୌରଭ ରଞ୍ଜନ ଖମାରି ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ଆଲୋଚନା ଚକ୍ର ଆୟୋଜନ କରିଥିଲେ। ଏହି ଆଲୋଚନା ଚକ୍ରରେ “ସୁବର୍ଣ୍ଣପୁରର କୁଟୀର ଶିଳ୍ପ:ସ୍ଥିତି ଓ ସମ୍ଭାବନା” ବିଷୟବସ୍ତୁ ଉପରେ ଉପସ୍ଥିତ ଅତିଥି,ଅଂଶଗ୍ରହଣକାରୀ ଓ ଆୟୋଜକମାନେ ବିସ୍ତୃତଭାବେ ଆଲୋଚନା କରିଥିଲେ। ଏହି
ଆଲୋଚନା ଚକ୍ରରେ ଅତିଥିଭାବେ ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପ୍ରବନ୍ଧକ ଶ୍ରୀ ରମେଶ କୁମାର ପଟେଲ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଓ ମୃତ୍ତିକା ଗବେଷକ ଡ଼.ବନ୍ଦିତା ବିଶ୍ୱାଳ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଦେବାଶିଷ ପଧାନ କରିଥିଲେ। ଏହା ସହିତ ଜିଲ୍ଲା ହସ୍ତଶିଳ୍ପ ସହାୟକ ନିର୍ଦ୍ଦେଶକ ଶ୍ରୀ ବନମାଳୀ ଟୋପୋ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଶ୍ରୀ ଗତିକୃଷ୍ଣ ମିଶ୍ର ପ୍ରମୁଖ ଏହି ଆଲୋଚନା ଚକ୍ରରେ ଭାଗ ନେଇଥିଲେ।
ମୃତ୍ତିକାର ବ୍ୟବହାର ପୁରାତନ ଯୁଗରୁ ହେଉଥିବା ପ୍ରମାଣ ମିଳୁଥିବା କଥା ଡ଼.ବନ୍ଦିତା ବିଶ୍ୱାଳ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ମୃତ୍ତିକାଶିଳ୍ପର ବ୍ୟବହାର ଧାର୍ମିକ ପର୍ବପର୍ବାଣୀ ସହ ଜଡିତରହିଛି। ଲଙ୍କାପୋଡି ସମୟରେ ମାଟିର ହନୁମାନ ତିଆରି କରିବା ଏହାର ଏକ ଉଦାହରଣ ଅଟେ। ପୁରାତନ ଯୁଗରେ ସୁବର୍ଣ୍ଣପୁରର ବିଭିନ୍ନ ଅଞ୍ଚଳରେ ମାଟିର ମୂର୍ତ୍ତି ବ୍ୟବହାର ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିବା ସେ କହିଥିଲେ। କୁଇବାହାଲର ମୃତ୍ତିକା ବାହାର ରାଜ୍ୟ ଓ ଦେଶକୁ ରପ୍ତାନି ହେଉଥିବା ସହ ଏକ କିଲୋଗ୍ରାମ ମୃତ୍ତିକା ୩୦୦ ଟଙ୍କାରେ ବିକ୍ରି ହେଉଥିବା ବିଷୟରେ ସେ ଅବଗତ କରାଇଥିଲେ।
ମୃତ୍ତିକା ଶିଳ୍ପ ଉତ୍ପାଦଘର ସୌନ୍ଦର୍ଯ୍ୟକରଣ ଉପାଦାନ,ଗୃହ ଉପକରଣ ଓ ଅଳଙ୍କାର ତିଆରିରେ ବ୍ୟବହୃତ ହେଉଛି। ପରିବେଶ ମୈତ୍ରୀ ହେବାସହ ଏହାର ଉପକରଣ ଶରୀରପାଇଁ ଉପକାରୀ ବୋଲି ଡ଼.ବିଶ୍ୱାଳ କହିଥିଲେ।ସରକାରୀ ସ୍ତରରେ ମୃତ୍ତିକାଶିଳ୍ପକୁ ଏକ ଉଦ୍ୟୋଗ ଭାବେ ବିକାଶ କରିବା ପାଇଁ ପ୍ରୟାସ ଚାଲିଥିବା କଥା ଉଲ୍ଲେଖ କରାଯାଇଥିଲା। ଜିଲ୍ଲା ହସ୍ତଶିଳ୍ପ ସହାୟକ ନିର୍ଦେଶକ,ଶ୍ରୀ ବନମାଳୀ ଟୋପୋ ସରକାରୀ ସ୍ତରରେ ୬୪ ଚିହ୍ନିତ ହସ୍ତଶିଳ୍ପ ପାଇଁ ଦିଆଯାଉ ଥିବା ତାଲିମ,ସହାୟକ ରାଶି ଓ ନିଃଶୁଳ୍କ ଉପକରଣ ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସେଥିସହ ମୃତ୍ତିକା,ଚାନ୍ଦୁଆ,ତରକାସି,ବାଉଁଶ,ଚାଉଳ ତିଆରିଘର କରଣା ଓ ବୟନ ଶିଳ୍ପକୁ ଡିଜିଟାଲ ବଜାରରେ କିପରି ବିକ୍ରୟ କରାଯାଇପାରିବ,ସେଥିପ୍ରତି ସରକାର ଗୁରୁତ୍ୱ ଦେଉଥିବା କଥା ଉଲ୍ଲେଖ କରିଥିଲେ।ପରିଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ସଂସ୍କୃତି ଗବେଷକ ଓ ଶିକ୍ଷକ ଶ୍ରୀ ଅନିରୁଦ୍ଧ କୁରକୁରିଆ ଧନ୍ୟବାଦ ଜ୍ଞାପନ କରିଥିଲେ |
Recent Comments