ବାଲିଗୁଡା/୧୩/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-ଆଉ ଦିନକପରେ ଆସୁଛି ମହାଶିବରାତ୍ରୀ ବା ଜାଗର ଯାତ୍ରା, ଏନେଇ କନ୍ଧମାଳଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ପ୍ରସ୍ତୁତିକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ କିପରି ପାଳନ କରିବେ ସେ ନେଇ ସମସ୍ତ ଶୈବପୀଠ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ସହ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି ।
ଟାଉନର ବିରୁପାକ୍ଷ,ରାମେଶ୍ୱର,ଧବଳେଶ୍ୱର,ଜାଲେଶପଟ୍ଟାର ଜଳେଶ୍ୱର, ଚକାପାଦର ବିରୁପାକ୍ଷ, ଟିକାବାଲି ନିକଟସ୍ଥ ଡୁଙ୍ଗିର ପ୍ରସିଦ୍ଧ ଶୈବପୀଠ ସମେତ ଅନ୍ୟ ଶୈବପୀଠରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆୟୋଜନ ହେଉଥିବା ବେଳେ ଆଉ କେତେକ ଶୈବପୀଠ ଗୁଡିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି ।ଏବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳା ର ସହ ମହାଦେବଙ୍କ ଦର୍ଶନ କରିବେ ଓ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କୁ ତଦାରଖ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏଥି ସହ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ଆଲୋକୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଶ୍ରଦ୍ଧାଳୁ ମାନେ ଜାଗର ପାଳନ ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଥିବା ଜଣାଯାଇଛି ।
Recent Comments