logo
add image
ପୂଜାପାଉଛନ୍ତି ଦୋଳବିମାନରେ ରାଧାକୃଷ୍ଣ 

ପୂଜାପାଉଛନ୍ତି ଦୋଳବିମାନରେ ରାଧାକୃଷ୍ଣ 

ବାଲିଗୁଡା/୦୧/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତିରାଣୀ । ପ୍ରକୃତିକୁ ସ୍ବାଗତ କରିବାପାଇଁ ଫଗୁଣ ନେଇଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି । ବିମାନରେ ବସିଛନ୍ତି ଶ୍ରୀ ରାଧା ଓ ଶ୍ରୀ କୃଷ୍ଣ । ଘରକୁ ଘର ବୁଲୁଛନ୍ତି ଠାକୁର ଓ ଭକ୍ତଙ୍କ ହାତକୁ ଭୋଗଖାଇ ଗାଁ ଓ ସାହି ପରିକ୍ରମା କରୁଛନ୍ତି ଯୁଗଳ କିଶୋର ରାଧା ମୋହନ।
କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଫଗୁ ଦଶମୀ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପ୍ରତି ସାହିରେ ଜଗନ୍ନାଥ ମନ୍ଦିର ଓ ରାଧା କୃଷ୍ଣ ମନ୍ଦିର ତରଫରୁ ଦୋଳ ବିମାନ ବୁଲିବା ସହ ପୂଜା ପାଉଛନ୍ତି। କିଏ ଫଗୁ ରଙ୍ଗରେ ରଙ୍ଗୀନ ହୋଇଛି ତ ଆଉ କିଏ ପ୍ରସାଦ ବାଣ୍ଟି ପୁଣ୍ୟ ଅର୍ଜନ କରୁଛି। ଗାଁ ଗାଁରେ ସମସ୍ତେ ଶ୍ରୀରାଧା, ଶ୍ରୀକୃଷ୍ଣଙ୍କ ଭକ୍ତି ରସରେ ବୁଡି ଯାଇଛନ୍ତି । ପରମ୍ପରା ମୁତାବକ ଭୋଗପରେ ବିମାନରେ ବସି ଭକ୍ତକୁ ଦର୍ଶନ ଦେଉଛନ୍ତି ରାଧା ମାଧବ । ବର୍ଷକ ପରେ ମନ୍ଦିରରୁ ବାହାର ପ୍ରାଙ୍ଗଣକୁ ବାହାରି ଭକ୍ତଙ୍କ ପାଖକୁ ଆସିଛନ୍ତି ଠାକୁର ।
ଭକ୍ତ ପରିବାର ପକ୍ଷରୁ ପଇଡ଼,ଲିଆ,ଉଖୁଡା ପ୍ରଭୁତି ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ଆଉ ଏହି ମହାମିଳନ ପର୍ବରେ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି ।ଦୋଳ ଓ ହୋଲି ପାଇଁ ସମଗ୍ର ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଭାଇଚାରା ବାର୍ତ୍ତା ନେଇ ଗୋଷ୍ଟି ଗୋଷ୍ଟି ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ପର୍ବ ଗ୍ରାମର ପିଲାଠାରୁ ବୁଢାଯାଏଁ ସଭିଁଙ୍କ ମନରେ ଭରି ଦେଇଛି ଆନନ୍ଦ ଉଲ୍ଲାସ । ପ୍ରତି ଗାଁ ଗାଁରେ ନାମ ଯଜ୍ଞ,ଘୃତଯଜ୍ଞ,ଅନ୍ନଯଜ୍ଞ ଆୟୋଜିତ ହୋଇ ସମଗ୍ର ଅଞ୍ଚଳ ଉତ୍ସବ ପରିବେଶ ଲାଗି ରହିଥାଏ l ହରିବୋଲ,ହୁଳହୁଳି, ଶଙ୍ଖନାଦ,ଭଜନ କୀର୍ତ୍ତନରେ ଗାଁଦାଣ୍ଡ ଉଛୁଳି ପଡୁଥିବା ବେଳେ ଦୋଳ ବିମାନକୁ କାନ୍ଧେଇ ଗାଁ ଗାଁ ବୁଲି ଦୋଳ ବିମାନ ପୂଜା ସହ ଦୋଳ ଉତ୍ସବପାଇଁ ସବୁ ଗାଁ ଏବେ ଉତ୍ସବମୁଖର ହୋଇଉଠିଛି ।

Recent Comments

Leave Comments

Top