logo
add image
ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଆରମ୍ଭ 

ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଆରମ୍ଭ 

କାକଟପୁର/୧୦/୩/2026/(aadhar midiaa-ତୁଷାର ରଞ୍ଜନ ଦୀକ୍ଷିତ)-ଆଜି ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳ ବାରରେ ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ପ୍ରଥମ ପାଳି ଯାତ୍ରାରେ ମାଙ୍କ ପ୍ରସିଦ୍ଧ ନେତ୍ର ଉତ୍ସବ ଅନୁଷ୍ଠିତ ହେବାସହ ମାଙ୍କ ନିକଟରେ ସାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆଙ୍କ ନୃତ୍ୟ ଅନୁଷ୍ଠିତ ହୋଇଛି ଓ  ପୁର ପଲ୍ଲୀରେ ମାନସିକଧାରୀ ମହିଳା ମାନେ ବ୍ରତରଖି ମା ମଙ୍ଗଳାଙ୍କ ଉଦେଶ୍ୟରେ ପ୍ରଥମ ପାଳି ପନ୍ଥେଇ ଓଷା ଆରମ୍ଭ କରିଛନ୍ତି । 
ଆଜିର ଏହି ପବିତ୍ର ଦିନରେ ମା ମଙ୍ଗଳା ପୂଣ୍ୟତୋୟା ପ୍ରାଚୀ ନଦୀରୁ ଆବିର୍ଭୂତ ହୋଇଥିଲେ  ଓ ମା ମଙ୍ଗଳା ମନ୍ଦିରର ପ୍ରତିଷ୍ଠା କରାଯାଇଥିଲା । ତେଣୁ ଆଜିର ଦିନକୁ ବେଶ ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଘାଳୁ ମାନେ ପାଳନ କରିଥାନ୍ତି । ପ୍ରତ୍ୟୁ ଷରେ ମାଙ୍କ ସ୍ନାନ ମାର୍ଜଣା,ସୂର୍ଯ୍ୟପୂଜା,ବଲ୍ଲଭ ପରେ ପରେ ସାଧାରଣ ଦର୍ଶନ ହୋଇଥିଲା । ମଧ୍ୟାହ୍ନରେ ମାଙ୍କ ଆଜ୍ଞା ମାଳ ନେଲାପରେ ମାଙ୍କ ସେବକ ମାନେ ଛୁଆ,ହଳଦୀ ଓ ବିଶୁଦ୍ଧ ଜଳରେ ନୀଳ ଚକ୍ରକୁ ସ୍ନାନ କଳାପରେ ପୁରୁଣା ନେତ୍ର କୁ ପରିବର୍ତ୍ତନ କରି ନୂତନ ଶ୍ଵେତନେତ୍ର ବାନ୍ଧିଥିଲେ ।ମାଙ୍କ ଏହି ନେତ୍ର ଉତ୍ସବରେ ମା ସାରଳା ପୀଠରୁ ଆସିଥିବା ପାଟୁଆ ଓ ସ୍ଥାନୀୟ ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣିତୋଳି ମାଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟକରି ମାସ ତମାମ ମାଙ୍କ ମହିମା ପ୍ରଚାର ବିଭିନ୍ନ ଗାଁ ଗଣ୍ଡାକୁ ଉଦେଶ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି ।
ଆଜି  ପବିତ୍ର ହୋଲି ଅବସରରେ ମନ୍ଦିର ପରିସରରେ ସେବକ ଓ ଯାଦବ ସଂପ୍ରଦାଯର ଲୋକେ ପରସ୍ପର ରଙ୍ଗବୋଳି ହୋଲି ପାଳନ କରିଥିଲେ ଏହି ପବିତ୍ର ମାସର ପ୍ରଥମ ମଙ୍ଗଳବାରରେ ପୁରପଲ୍ଲୀରେ ମାନସିକଧାରୀ ମହିଳା ମାନେ ପନ୍ଥେଇ ନିର୍ମାଣ କରି ନଡିଆ,କଦଳୀ,ଖାଇ,କ୍ଷୀର ଓ ହଳଦୀ ପାଣିରେ ମାଙ୍କ ନାମରେ ବ୍ରତରଖି ପୂଜା ଆରମ୍ଭ କରିଥିଲେ ।ଏହି ବ୍ରତ ପାଞ୍ଚପାଳିରେ ଶେଷ ହେବ ।  ମାଙ୍କ ଏହି ପ୍ରଥମ ପାଳିରେ ଆଖ ପାଖ ଅଞ୍ଚଳର ହଜାର ହଜାର ଗୋପାଳ ମାନେ ନିକଟସ୍ଥ ଦେଉଳି ମଠରୁ ଏକ ଶୋଭାଯାତ୍ରା ରେ ଯାଇ ପାରମ୍ପାରିକ ଲଉଡି ଖେଳି ଓଗାଳ ଗାଈ ମାଙ୍କ ମନ୍ଦିର ପରିକ୍ରମା କରିଥିଲେ । ବହୁ ସଂଖ୍ୟାରେ ମାଙ୍କ ଭକ୍ତ ମାନେ ମାଙ୍କ ଦର୍ଶନ ପାଇଁ ଦିନ ତମାମ ମନ୍ଦିରରେ ଭିଡ ଲଗାଇ ଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରକୁ ଆଲୋକ ମାଳା ଏବଂ ଫୁଲରେ ସୁସଜ୍ଜିତ କରାଯାଇଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା l

Recent Comments

Leave Comments

Top