logo
add image
ମାଁ ନାରାୟଣୀଙ୍କ ମନ୍ଦିର ପ୍ରତିଷ୍ଠାଉତ୍ସବ ଓ କଳଶ ଶୋଭାଯାତ୍ରା ଅନୁଷ୍ଠିତ

ମାଁ ନାରାୟଣୀଙ୍କ ମନ୍ଦିର ପ୍ରତିଷ୍ଠାଉତ୍ସବ ଓ କଳଶ ଶୋଭାଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର/୨୨/୦୩/୨୬/(ଆଧାର ମିଡ଼ିଆ)-ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜାଲୋଏ ଗ୍ରାମରେ ମା’ ନାରାୟଣୀଙ୍କ ନୂତନମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସମଗ୍ର ଅଞ୍ଚଳ ଏବେ ଉତ୍ସବମୁଖର। ୧୮୭୧ ମସିହାରୁ ମା’ ନାରାୟଣୀ ଏହି ଗ୍ରାମରେ ପୂଜାପାଇ ଆସୁଥିବା ବେଳେ, ମା’ଙ୍କ ନୂତନ ଭବ୍ୟମନ୍ଦିର ପ୍ରତିଷ୍ଠା ଏକ ଐତିହାସିକ ମୁହୂର୍ତ୍ତ ପାଲଟିଛି।ଏହି ଶୁଭ ଅବସରରେ ଅନୁଷ୍ଠିତ କଳଶ ଶୋଭାଯାତ୍ରାଟି ଜାଲୋଏ ଗ୍ରାମର ପ୍ରସିଦ୍ଧ ଜମ୍ବେଶ୍ୱର ମନ୍ଦିରରୁ ବାହାରିଥିଲା। ଏଥିରେ ଶହ ଶହ ମହିଳା ଭକ୍ତ କଳଶ ଧାରଣକରି ପାରମ୍ପରିକ ବେଶଭୂଷାରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ସମୟରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ଏହି ଶୋଭାଯାତ୍ରାର ଏକ ବିଶେଷ ଆକର୍ଷଣ ଥିଲା ଜମ୍ବେଶ୍ୱର ବାବାଙ୍କ ଉପସ୍ଥିତି। ଶୈବ ଓ ଶକ୍ତିର ଏହି ଅପୂର୍ବ ମିଳନ ଗ୍ରାମବାସୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଭରିଦେଇଥିଲା
ଶୋଭାଯାତ୍ରାରେ ସ୍ଥାନୀୟ ବାଦ୍ୟକାରମାନଙ୍କ ଦ୍ୱାରା ପରିବେଷିତ ଘଣ୍ଟ, ଶଙ୍ଖ ଏବଂ ଢୋଲ ମହୁରୀର ତାଳ ଭକ୍ତିମୟ ପରିବେଶକୁ ଆହୁରି ମନୋରମ କରିଥିଲା। ​ମନ୍ଦିର ପ୍ରତିଷ୍ଠା ଉତ୍ସବଟି ମୋଟ ଚାରି ଦିନ ଧରି ଅନୁଷ୍ଠିତ ହେବ। ​ଯଜ୍ଞ ଓ ଚଣ୍ଡୀପାଠ ଆସନ୍ତାକାଲି ମାର୍ଚ୍ଚ ୨୩ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହିତ ପଣ୍ଡିତମାନଙ୍କ ଦ୍ୱାରା ସାମୁହିକ ଚଣ୍ଡୀପାଠମହାଯଜ୍ଞ ଅନୁଷ୍ଠିତ ହେବ।​ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଅହୋରାତ୍ର ନାମ ସଂକୀର୍ତ୍ତନ କରାଯାଇ ଭକ୍ତିର ଧାରା ପ୍ରବାହିତ କରାଯିବ। ୨୫ ତାରିଖଦିନ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ମା’ ନାରାୟଣୀଙ୍କ ବିଗ୍ରହଙ୍କୁ ସମସ୍ତ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ନୂତନ ମନ୍ଦିରର ଗର୍ଭଗୃହ ଭିତରକୁ ବିଜେ କରାଯିବ। ​ଏହି ଉତ୍ସବ କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ,ବରଂ ଏହା ଜାଲୋଏ ଗ୍ରାମର ଏକତା ଓ ଭାଇଚାରାର ପ୍ରତୀକ। ଦୀର୍ଘବର୍ଷ ଧରି ପୂଜା ପାଉଥିବା ମା’ଙ୍କ ଏହି ନୂତନମନ୍ଦିର ଅଞ୍ଚଳରେ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ। ସ୍ଥାନୀୟ କମିଟି ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Recent Comments

Leave Comments

Top