ପଦ୍ମପୁର/୨୭/୩/୨୦୨୬/(ଆଧାର ମିଡିଆ/ଡିଲେଶ୍ୱର ବାଗ):ଆଜି ଚୈତ୍ରମାସ ନବମୀ ଦିନ ମାଁ ବନଦୁର୍ଗା ମନ୍ଦିରରେ ସିଦ୍ଧିଦାତ୍ରୀ ରୂପରେ ମା ଦୁର୍ଗାଙ୍କୁ ଆବାହନ କରି ସହଶ୍ରାଧିକ ଭକ୍ତଙ୍କ ସମେତ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ଶଙ୍ଖ,ଘଣ୍ଟ ହୁଳହୁଳି ଶବ୍ଦରେ ଭକ୍ତିଭାବରେ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଭଗବାନ ଗଣେଶ ଓ ଆଦ୍ୟ ଦେବତା ଭଗବାନ ସୂର୍ଯ୍ୟଙ୍କୁ ଶୋଡଶ ଉପଚାରରେ ପୂଜାକରି ମନ୍ଦିରର ଚତୁର୍ପାଶ୍ୱରେ ଅବସ୍ଥାନ କରିଥିବା ସମସ୍ତ ଦେବୀଙ୍କ ପୂଜା କରାଯାଇଥିଲା । ଦ୍ବିପହରରେ ମାଙ୍କ ଅର୍ଣ୍ଣଭୋଗ ଲାଗି ହୋଇ ଭକ୍ତଙ୍କୁ ଭୋଗ ବଣ୍ଟା ଯାଇଥିଲା ।
ମା ଦୁର୍ଗା ନବରାତ୍ରୀ ପୂଜାର ଅଷ୍ଟମୀ କିମ୍ବା ନବମୀ ତିଥିରେ କନ୍ୟା ପୂଜା ଏକ ଅତି ମହତ୍ତ୍ୱପୂର୍ଣ୍ଣ ରୀତିନୀତି, ଯାହା ଓଡ଼ିଶାରେ ମଧ୍ୟ ଭକ୍ତିର ସହ ପାଳନ କରାଯାଏ। କନ୍ୟା ପୂଜା ହେଉଛି ମାଆ ଶକ୍ତିଙ୍କ ନଅଟି ରୂପର ପୂଜା ଏବଂ ନାରୀତ୍ୱର ସମ୍ମାନ। କନ୍ୟା ପୂଜାପାଇଁ ୨ରୁ ୧୦ ବର୍ଷ ବୟସର କନ୍ୟାମାନଙ୍କୁ ମାଆ ଦୁର୍ଗାଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ। ଏହି ବୟସର ଝିଅମାନେ ନିର୍ମଳ ଏବଂ ଦିବ୍ୟ ଚେତନାର ପ୍ରତୀକ।କନ୍ୟା ପୂଜାରେ ୯ ଜଣ କନ୍ୟାଙ୍କୁ ପୂଜା କରାଯାଏ, ଯେଉଁମାନେ ନବଦୁର୍ଗାଙ୍କ ନଅଟି ରୂପକୁ ପ୍ରତିନିଧିତ୍ୱ କରନ୍ତି - କୁମାରୀ, ତ୍ରିମୂର୍ତ୍ତିନୀ, କଲ୍ୟାଣୀ, ରୋହିଣୀ, କାଳିକା, ଚଣ୍ଡିକା, ଶାମ୍ଭବୀ, ଦୁର୍ଗା ଏବଂ ସୁଭଦ୍ରା।ପୂଜାର ଏକ ଦିନ ପୂର୍ବରୁ କନ୍ୟାମାନଙ୍କୁ ସମ୍ମାନର ସହ ଆମନ୍ତ୍ରଣ କରାଯାଏ।
ସେହିପରି ଆଜି ପଦ୍ମପୁର ବନଦୁର୍ଗା ମନ୍ଦିରରେ କୁମାରୀ କନ୍ୟା ମାଙ୍କୁ ନିମନ୍ତ୍ରଣ କରି ମନ୍ଦିର ପରିସରରେ କୁମାରୀ କନ୍ୟାମାନଙ୍କୁ ଆସନରେ ବସାଇ ସେମାନଙ୍କ ପାଦଧୋଇ,ଅଳତା ଓ ମୁକୁଟ ପିନ୍ଧାଇ ପୂଜା କରାଯାଇଥିଲା।ସେମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟ (ପୁରୀ, ଖିରି, ହାଲୁଆ, ଚଣା) ଖାଇବାକୁ ଦିଆଯାଏ। ପୂଜା ଶେଷରେ କନ୍ୟାମାନଙ୍କୁ ଦକ୍ଷିଣା,ବସ୍ତ୍ର କିମ୍ବା କୌଣସି ଉପହାର ଦିଆଯାଇ ଆଶୀର୍ବାଦ ନିଆଯାଏ।ବିଶ୍ୱାସ କରାଯାଏ ଯେ କନ୍ୟାପୂଜା ଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୁଅନ୍ତି ଏବଂ ପରିବାରର ସମସ୍ତ ସମସ୍ୟା, ବାଧା ଓ ନକାରାତ୍ମକତା ଦୂର ହୁଏ।ଓଡ଼ିଶାରେ ନବରାତ୍ରୀ ସମୟରେ ମହାନବମୀ କିମ୍ବା ଦଶହରା ଦିନ ଅନେକ ଘର ଏବଂ ପୂଜା ମଣ୍ଡପରେ କନ୍ୟା ପୂଜା ଓ କୁମାରୀ ପୂଜା ଅନୁଷ୍ଠିତ ହୋଇଥାଏ। ସନ୍ଧ୍ୟା ୭ ଘଣ୍ଟା ସମୟରେ ମିଷ୍ଟାନ୍ନ ଭୋଗ ଅର୍ପଣ କରି ଘ. ୭.୩୦ ମିନିଟ ସମୟରେ ମାଁ ମଙ୍ଗଳ ଆଳତୀ କରାଯିବ। ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା (ସୁରୁ), ଲକ୍ଷ୍ମୀନାରାୟଣ ମନ୍ଦିର ପୂଜକ ଉଦୟ ନନ୍ଦ,ଚଣ୍ଡୀ ପାଠକ ଗିରିଶ ଚନ୍ଦ୍ର ହୋତା ,ଅଶୋକ ପଣ୍ଡା,ଦେବେନ୍ଦ୍ର ତ୍ରିପାଠୀ, ପ୍ରବୀଣ ମିଶ୍ର,ଶଙ୍ଖୁଆ ସୌଭାଗ୍ୟ ରଞ୍ଜନ ମହାପାତ୍ର,ଓ ଗୌରାଙ୍ଗ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ବନ ଦୁର୍ଗା ମନ୍ଦିର ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଅନିଲ କୁମାର ବେହେରା ସମେତ ପ୍ରତାପ ମିଶ୍ର,ଗଜାନନ ଶର୍ମା,ସୁଶାନ୍ତ ପଧାନ,ଉମେଶ ସାହୁ,ବିଷ୍ଣୁ ଥପା,ସୁରୁ ଭୋଇ,ଗୋବିନ୍ଦ ବାଗ,ପରିଚାଲନା କରି ଆସୁଥିବା ବେଳେ ପଦ୍ମପୁର ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀ ର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ ପ୍ରତ୍ୟେକ ଦିନର ପୂଜା କାର୍ଯ୍ୟ,ଭୋଗ ବଣ୍ଟନ ସୁରୁଖୁରୁରେ ସମାପନ ହୋଇ ଆସୁଥିଲା ।
Recent Comments