ଗୁଣୁପୁର/ରାୟଗଡା ୨/୧୦/୨୦୨୪(ଆଧାର ମିଡ଼ିଆ)ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳ ନିକେତନ ବେସରକାରୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି । ସଂଗଠନ ଦ୍ୱାରା ପରିଚାଳିତ ଶିଶୁଯତ୍ନ ଅନୁଷ୍ଠାନ ତରଫରୁ ସପ୍ତାହେ ବ୍ୟାପି ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଥିଲା। ଜୀବନ ବ୍ୟାପି ସେବା ଓ ତ୍ୟାଗ ପାଇଁ ଗାନ୍ଧି ଅନୁଗାମୀ ତଥା ଭୂଦାନ ଆନ୍ଦୋଳନ ର ସକ୍ରିୟ କର୍ମୀ ଶ୍ରୀଯୁକ୍ତ ବାଞ୍ଛାନିଧି ମହାନ୍ତି ଙ୍କୁ ଗାନ୍ଧୀ ଜୟନ୍ତୀ ଅବସରରେ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କରାଯିବା ସହ ସେବା ସମ୍ମାନ ପ୍ରଦାନ କରାଯାଇଛି ।ପୂର୍ବରୁ ଶ୍ରୀ ମହାନ୍ତି ଙ୍କୁ ତାଙ୍କ ନିଃସ୍ୱାର୍ଥପର ସେବା ପାଇଁ ପ୍ରଗତିବାଦୀ ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ବଳ ସେବା ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏନ ଜି ଓ ସଭାପତି ଏଲ ସୁରେଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଲ ଶେଷଗିରି, ନରସିଂହନାଥ ମହାନ୍ତି,ଗୌରଚନ୍ଦ୍ର ସେନାପତି, ନରସିଂହ ପାଢ଼ୀ, କାହ୍ନୁ ଚରଣ ପରିଡା, ରାମଚନ୍ଦ୍ର ବେବର୍ତ୍ତା, ଅଧ୍ୟାପିକା ଅନୁପମା ମହାରଥୀ ପ୍ରମୁଖ ଯୋଗ ଦେଇ ଶ୍ରୀ ମହାନ୍ତିଙ୍କ ତ୍ୟାଗପୁତ ଉତ୍ସର୍ଗୀକୃତ ସେବା ଆଜିର ଯୁବପିଢ଼ି ଙ୍କ ପାଇଁ ପ୍ରେରଣା ଯୋଗାଉଛି ବୋଲି କହିଥିଲେ।ଅନୁଷ୍ଠାନର ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Recent Comments