କଣିହାଁ/୧୭/୩/୨୦୨୫/(ଆଧାର ମିଡ଼ିଆ )- ଅନୁଗୋଳ ଜିଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଗତ ଗୁରୁବାର ଠାରୁ ଦୋଳଯାତ୍ରା ସହିତ ଶନିବାର ହୋଲି ଉତ୍ସବ ଧୁମ୍ଧାମ୍ ପାଳିତ ହୋଇଯାଇଛି । ବ୍ଲକସ୍ଥ ବଡ଼ଗୁଣ୍ଡୁରି, ପଥରମୁଣ୍ଡା, କରଡ଼େଇ, ବିଜିଗୋଳ, ଏନଟିପିସି ପାଣିପମ୍ପ ହାଇସସ୍ଥ କଳ୍ପତରୁ ମା’ଭୈରବୀ ଆଶ୍ରମ, ବାରଡାଙ୍ଗୁଆ, ଦଣ୍ଡସିଂହା, ଖଇରନାଳି, ଗଣ୍ଡବେରଣ, ଜୁଲିବନ୍ଧ, ଗୁଣ୍ଡୁରିନାଳି, ବଡ଼ତ୍ରିବିଡ଼ା, ସାନତ୍ରିବିଡ଼ା, ଘଣ୍ଟିଆନାଳି, ବଜ୍ରକୋଟ, ନାଲମ, ବଡ଼ହିରା, ସମଲ, ଦୁମଦୁମା, ସାନହାର, ବଡ଼ହାର, ଖଜୁରିଆ, ପରାବିଲ ପ୍ରମୁଖ ଗ୍ରାମାଞ୍ଚଳରେ ଦୋଳଯାତ୍ରା ମହାଆଡମ୍ବର ସହିତ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଗତ ଗୁରୁବାର ସଂଧ୍ୟାରେ ବିଭିନ୍ନ ଗ୍ରାମବାସୀଙ୍କ ପକ୍ଷରୁ ରାଧା,କୃଷ୍ଣ ଯୁଗଳ ପ୍ରିତିମୂର୍ତ୍ତି ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବିରାଜମାନ କରି ଗ୍ରାମ ପରିକ୍ରମା ସାଙ୍ଗକୁ ଫଗୁ ଖେଳରେ ରାଧା,କୃଷ୍ଣ ପ୍ରେମୀ ଭକ୍ତ ଶ୍ରଦ୍ଧାଳୁ ମସ୍ଗୁଲ ଥିଲେ ।
ଖଂଜଣୀ ଓ ଘଣ୍ଟଘଣ୍ଟା ବାଦ୍ୟ ସାଙ୍ଗକୁ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା । ବିଭିନ୍ନ ଗ୍ରାମରୁ ଆସିଥିବା ଗୋପାଳ ସମ୍ପ୍ରଦାୟଙ୍କ ପକ୍ଷରୁ ଲଉଡ଼ିବାଡ଼ି ଖେଳ ବେଶ୍ ଆକର୍ଷଣ ସାଜିଥିଲା । ହୋମଯଜ୍ଞ, ଲଉଡିଖେଳ, ବିମାନକୁ ଗ୍ରାମରେ ପରିକ୍ରମା, ଯୁଗଳମୁର୍ତ୍ତୀ ଦେବାଦେବୀଙ୍କୁ ଦୋଳମଣ୍ଡପକୁ ବିଜେ କରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକଙ୍କ ମନୋରଂଜନ ପାଇଁ ଗୁଣ୍ଡୁରିନାଳିରେ କଣ୍ଟିଲୋ ମହିଳା ସଂକୀର୍ତ୍ତନ, ବଡଗୁଣ୍ଡୁରି, ପଥରମୁଣ୍ଡା, ଖଇରିନାଳି ଓ ଘଣ୍ଟିଆନାଳିରେ ଅପେରା ଓ କରଡେଇରେ ବାଦଦଣ୍ଡ ପରିବେଷଣ ହୋଇଥିବା ବେଳେ ବଡତ୍ରିବିଡା ଗାଁର ଯୁବପିଢୀ ପକ୍ଷରୁ ନାଟକ ପରିବେଷଣ ହୋଇଥିଲା । ଫଳରେ ସମଗ୍ର କଣିହାଁ ଅଂଚଳ ଚଳଚଞ୍ଚଳ ହୋଇଉଠିଥିଲା । ବିଶେଷକରି ବ୍ଲକ୍ସ୍ଥ କମରେଇ ପଂଚାୟତ ଖଇରନାଳି ଓ ଗଣ୍ଡବେରଣା ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀ ଶ୍ରୀ ଦୋଳଗୋବିନ୍ଦ ମହାପ୍ରଭୁଙ୍କ ଦୋଳଯାତ୍ରା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଖଇରନାଳି ଓ ଗଣ୍ଡବେରଣା ଗୋପାଳ ସମିତି ପକ୍ଷରୁ ରାଧାକୃଷ୍ଣ ମହାପ୍ରଭୁଙ୍କ ଚାଞ୍ଚେରୀ ଖେଳ, ଓ ମହାପ୍ରଭୁ ଦୋଳ ମଣ୍ଡପକୁ ବିଜେ, ସଂଧ୍ୟାରେ ପ୍ରସେସନ ଓ ରାତିରେ ହଜାର ହଜାର ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ରାଧାକୃଷ୍ଣଙ୍କ ଯୁଗୋଳ ବିଗ୍ରହଙ୍କୁ ଏକ ସୁସଜ୍ଜିତ ବିମାନରେ ବିରାଜିତ କରାଯାଇ ଶୋଭାଯାତ୍ରାରେ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାରେ ଘଣ୍ଟୁଆ, ସଂକୀର୍ତ୍ତନ ଦଳ ଓ ହଜାର ହଜାର ଲୋକଙ୍କ ସମାଗମରେ ନଗର ପରିକ୍ରମା କରିଥିଲେ । ଏହାପରେ ଠାକୁରଙ୍କୁ ମେଳଣ ପଡ଼ିଆସ୍ଥିତ ମଣ୍ଡପରେ ବିଜେ କରିଥିଲେ । କଣିହାଁ ବ୍ଲକର ଖଇରନାଳି ଓ ଗଣ୍ଡବେରଣା ଗ୍ରାମରେ ଏହି ପର୍ବକୁ ଧୁଧାଧାମ୍ରେ ପ୍ରତିବର୍ଷ ଦଶ ଦୋଳ ପର୍ଯ୍ୟନ୍ତ ଏହି ଉତ୍ସବ ଯାକଜକମରେ ପାଳନ କରିଥାନ୍ତି ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶା ଏନଟିପିସି, କଣିହାଁ, ସମଲ,ରେଙ୍ଗାଲି ଆଦି ଥାନା ପକ୍ଷରୁ ପୋଲିସ୍ ପେଟ୍ରୋଲିଂଗକୁ କଡାକଡି କରାଯାଇଥିଲା ।
Recent Comments