କାକଟପୁର/ ୧୮/୩/୨୯୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ) ଆଜିଥିଲା ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ପାଳି ଯାତ୍ରା।ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା ।ବଲ୍ଲଭ ନୀତି ପରେ ସକାଳ ଧୂପ,ବନ୍ଦାପନା ଆଳତୀ କରାଯାଇ ସର୍ବସାଧାରଣ ମାନଙ୍କ ଦର୍ଶନପାଇଁ ମନ୍ଦିରର ସାହାଣ ମେଲା କରାଯାଇଥିଲା ।
ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ମାତୃଭକ୍ତ ବ୍ୟାରିକେଟ ମଧ୍ଯରେ ଧାଡ଼ିରେ ମନ୍ଦିର ଭିତରକୁ ଯାଇ ମା ମଙ୍ଗଳାଙ୍କୁ ଦର୍ଶନ କରିଥିଲେ। ପ୍ରଥମ ପାଳି ଯାତ୍ରା ଅବସରରେ ମାଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରା ଯାଇଥିଲା। ସଧବା ମହିଳା ମାନେ ନିଜ ସ୍ଵାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ମନ୍ଦିର ବେଢାରେ ଥିବା ପନ୍ଥେଇକୁ ପୂଜା କରିଥିଲେ। ଦିନ ପ୍ରାୟ ୧ ଟା ସମୟରେ ନେତ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ନୂଆ ନେତ( ପତାକା) କୁ ମା ମଙ୍ଗଳାଙ୍କ ନିକଟରେ ପୂଜା କରାଯିବାପରେ ଏକ ବିରାଟ ଶୋଭାଯାତ୍ରା ରେ ମନ୍ଦିର ବେଢ଼ା କୁ ୩ ଥର ପରିକ୍ରମା କରାଯିବା ପରେ ମନ୍ଦିର ଚୁଡ଼ା କୁ ନେତ ନିଆଯାଇ ବନ୍ଧା ଯାଇଥିଲା ଓ ପୁରୁଣା ନେତକୁ ଖୋଲି ଦିଆଯାଇଥିଲା। ଏହି ସମୟରେ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା।
ନେତୋତ୍ସବ ଅବସରରେ ମନ୍ଦିର ଓ ମୁଖଶାଳା ଶୀର୍ଷରେ ଥିବା ଚକ୍ରକୁ ଚୁଆ,ଚନ୍ଦନ,ଅଗୁରୁ,ମହୁର ମିଶ୍ରିତ ଶୁଦ୍ଧ ଜଳରେ ସ୍ନାନ କରାଯାଇଥିଲା । ବିଭିନ୍ନ ଗ୍ରାମରୁ ଆସିଥିବା ଗୋପାଳ ବେହେରା ସେବକ ମାନେ ନିଜ ନିଜ ଚିରାଟ ଧରି ଓଗାଳ ଲଉଡ଼ି ଗୀତ ଗାଇ,ନାଚି ନାଚି ମନ୍ଦିର ବେଢ଼ା ପରିକ୍ରମା କରିଥିଲେ।ଜଗତସିଂହପୁର ଅଞ୍ଚଳରୁ ଆସିଥିବା ରାଉଳ ସେବକମାନେ ଓ ସ୍ଥାନୀୟ ଅଞ୍ଚଳର ଭୋଇ ସେବକ ମାନେ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠରୁ ପାଣିତୋଳି ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ। ମନ୍ଦିର ବେଢାରେ ଓ ସମ୍ମୁଖରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ। ରାତିରେ ଭ୍ରମଣୀ ନୀତି ଓ ଭୋଗ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପାଳି ଯାତ୍ରା ପାଇଁ ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା ଏବଂ ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ଉପସ୍ଥିତ ରହି ଭକ୍ତ ମାତୃଭକ୍ତ ମାନେ କିଭଳି ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରିପାରିବେ ତାହା ତଦାରଖ କରିଥିଲେ l କାକଟପୁର ପୋଲିସ ପ୍ରଶାସନ ପକ୍ଷରୁ କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ,ଏ ଏସ ଆଇ ପ୍ରମୋଦ କୁମାର ସେଠୀ, ମନୋରଞ୍ଜନ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟ ରାସ୍ତାର ତୋରଣ ଠାରୁ ମନ୍ଦିର ପର୍ଯ୍ୟନ୍ତ ମେଳା ଲାଗିଥିଲା।
Recent Comments