logo
add image
ଭାଲେରିରେ ବିରାଜିତ ଦାରୁବ୍ରହ୍ମ ଗୋପୀନାଥ

ଭାଲେରିରେ ବିରାଜିତ ଦାରୁବ୍ରହ୍ମ ଗୋପୀନାଥ

ଗୁଣୁପୁର/ରାୟଗଡା/ ୨୨/୩/୨୦୨୫/(ଆଧାର ମିଡ଼ିଆ)-ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଭାଲେରି ଗ୍ରାମରେ ବିରାଜିତ ଦାରୁବ୍ରହ୍ମ ଗୋପୀନାଥ ମନ୍ଦିରର ସ୍ୱତନ୍ତ୍ରତା ରହିଛି । ଜୟପୁର ମହାରାଜା ବିକ୍ରମଦେଵଙ୍କ ଅମଳରୁ ଦାରୁବ୍ରହ୍ମ ଗୋପୀନାଥ ଭାବେ ଏଠାରେ ବିରାଜମାନ କରିଛନ୍ତି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ । କେଉଁଠି ପିତ୍ତଳ ତ ଆଉ କେଉଁଠି ଶିଳା ବିଗ୍ରହ ପୂଜା ପାଉଥିବା ବେଳେ ଭାଲେରିରେ ନିଜ ଇଚ୍ଛାରେ ଭଗବାନ ଦାରୁ ବିଗ୍ରହ ଭାବେ ପୂଜା ପାଉଛନ୍ତି । କିମ୍ବଦନ୍ତୀରୁ ଜଣାଯାଏ କି ଏକ ବିଶାଳ ଦାରୁ ବଂଶଧାରା ନଦୀରେ ଭାସିଆସି ଭାଲେରି ଗ୍ରାମ ନିକଟରେ ଲାଗିଥିଲା । ସେହି ସମୟରେ ମହାରାଜା ବିକ୍ରମଦେଵଙ୍କୁ ସ୍ୱପ୍ନାଦେଶ ହୋଇଥିଲା ସେହି ଦାରୁରେ ଶ୍ରୀକୃଷ୍ଣଙ୍କ ବିଗ୍ରହ ନିର୍ମାଣକରି ପୂଜାର୍ଚ୍ଚନା କରିବା ପାଇଁ । ରାଜା ଭାଲେରି ଆସି ଦାରୁ ସଂଗ୍ରହ କରି ୫ ଫୁଟରୁ ସାମାନ୍ୟ ଉଚ୍ଚତା ବିଶିଷ୍ଟ ବିଗ୍ରହ ନିର୍ମାଣ କରାଇଥିଲେ । ତେବେ ମୂର୍ତ୍ତି ନିର୍ମାଣ ପରେ ଆହୁରି ଦାରୁ ବଳି ପଡିବାରୁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଦାରୁର ମଝି ଅଂଶରେ ଲିହୁରି ଗ୍ରାମଠାରେ ଏକ ମନ୍ଦିର ନିର୍ମାଣ କରାଇ ଉକ୍ତ ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ । ଦାରୁର ଶେଷ ଅଂଶ ରେ ମେଳିଆପୁଟ ଠାରେ ମଧ୍ୟ ଏକ ବିଗ୍ରହ ନିର୍ମାଣ କରି ପାରଳା ରାଜା ପ୍ରତିଷ୍ଠା କରାଇଥିଲେ ।
ବର୍ତ୍ତମାନ ଲିହୁରି ଓ ମେଳିଆ ପୁଟ ଉଭୟ ଅଞ୍ଚଳ ଆନ୍ଧ୍ରପ୍ରଦେଶରେ ରହିଛି । ଭାଲେରି ଗ୍ରାମରେ ଗୋପୀନାଥଙ୍କ ପୂଜାପାଇଁ ଜୟପୁର ରାଜା ଏକ ତାମ୍ରପଟା ଓ ପଦ୍ମପୁର ବ୍ଲକ୍ ଜାତିଲି ଗ୍ରାମର ୧୨ ଏକର ଜମି ମଧ୍ୟ ପ୍ରଦାନ କରିଥିଲେ । ତେବେ ବର୍ତ୍ତମାନ ସମୟରେ ଏସବୁ ଇତିହାସ ହୋଇ ରହିଯାଇଛି । ପଦ୍ମପୁରର ବାଲାଜି ପାଢ଼ୀ ଗୋପୀନାଥଙ୍କୁ ୧ ଏକର ୧୪ ସେଣ୍ଟ ଜାଗା ଦେଇଥିବା ଜଣାପଡିଛି । ସ୍ୱୟଂ ଶ୍ରୀକୃଷ୍ଣ ନିଜ ଇଚ୍ଛାରେ ଏଠାରେ ଦାରୁବ୍ରହ୍ମ ଗୋପୀନାଥ ଭାବେ ବିରାଜମାନ କରିଥିବାରୁ ଡାକିଲେ ଓ କରନ୍ତି ବୋଲି ବିଶ୍ୱାସ ରହିଛି । ଦେବତ୍ତୋର ବିଭାଗ ହାତକୁ ନେଇ ନଥିବାରୁ ସ୍ଥାନୀୟ ଲୋକମାନେ ପରିଚାଳନା କମିଟି କରି ମନ୍ଦିର ପରିଚାଳନା କରୁଛନ୍ତି । ଏଠାରେ ଦୋଳ ପୂର୍ଣ୍ଣିମା,ହୋଲି, ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ,ରାଧାଷ୍ଟମୀ,ଗିରି ଗୋବର୍ଦ୍ଧନ ପୂଜା, ଗୋଷ୍ଠ।ଷ୍ଟମୀ,ରାଧାପାଦ ଦର୍ଶନ ଇତ୍ୟାଦି ପର୍ବ ପର୍ବାଣୀ ଖୁବ ଧୁମଧାମରେ ପାଳିତ ହୋଇଥାଏ । ଦୋଳ ପୂର୍ଣ୍ଣିମା ରେ ଯାତ୍ରା ଅନୁଷ୍ଠିତ ହେବା ସହ ରଙ୍ଗ ଖେଳ, ଦୋଳ ମେଲଣ ଅନୁଷ୍ଠିତ ହୋଇଥାଏ । ଆଖପାଖ ର ବହୁ ଶ୍ରଦ୍ଧାଳୁ ଏଠାକୁ ଆସି ମହାପ୍ରଭୁଙ୍କ ଦିବ୍ୟ ଦାରୁବ୍ରହ୍ମ ମୂର୍ତ୍ତି ଙ୍କୁ ଦର୍ଶନ କରି ନିଜ ଜୀବନକୁ କୃତାର୍ଥ ମଣିଥାନ୍ତି  ।

Recent Comments

Leave Comments

Top