ପୁରୀ/୮/୮/୨୦୨୫/(ଆଧାର ମିଡ଼ିଆ)-ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ପରମ୍ପରା ବହୁ ପ୍ରାଚୀନ।କୃଷ୍ଣ ଜନ୍ମଠାରୁ କଂସବଧ ପର୍ଯ୍ୟନ୍ତ ମନ୍ଦିର ଭିତରେ ଓ ବାହାରେ ଏହି ନୀତି ଗୁଡିକ ଅନୁଷ୍ଠିତ ହୋଇଥାଏ।ଚଳିତ ବର୍ଷ ଆଠସାହି ଆଖଡା ମିଳିତ ସମନ୍ୱୟ ସମିତି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଏହା ପାଳିତ ହେବ।ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣ ଲୀଳାକୁ ଶୃଙ୍ଖଳା ଓ ପାରମ୍ପରିକ ରୀତିନୀତି ଅନୁସାରେ ପାଳନ ପାଇଁ ପରାମର୍ଶ ଦେଇଥିଲେ।ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତାଘାଟ ମରାମତି, ପରିସ୍କାର ପରିଛନ୍ନ,ଆଲୋକୀକରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା ହେବା ସହ ଏହାକୁ ସଠିକ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
କାର୍ଯ୍ୟସୂଚୀ ଅନୁସାରେ ଅଗଷ୍ଟ ୧୬ ତାରିଖ ଭାଦ୍ରବ କୃଷ୍ଣ ନବମୀ ତିଥିରେ ମାର୍କଣ୍ଡେଶ୍ବର ସାହି ପକ୍ଷରୁ ପୁତନା ବଧ ଅନୁଷ୍ଠିତ ହେବ।ସେହିପରି ୧୮ ତାରିଖ ଦଶମୀ ତିଥିରେ ବାଲି ସାହି ପକ୍ଷରୁ ବକାସୁର ବଧ ଓ ହରଚଣ୍ଡୀ ସାହି ପକ୍ଷରୁ ଅର୍ଘାସୁର ବଧ,୧୯ ତାରିଖ ଏକାଦଶୀ ତିଥିରେ ତିଥିରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ଧେନୁକାସୁର ବଧ,୨୦ ତାରିଖ ଦ୍ବାଦଶୀ ତିଥିରେ ଦୋଳମଣ୍ଡପ ସାହି ପକ୍ଷରୁ ପ୍ରଳମ୍ବାସୁର ବଧ,୨୧ ତାରିଖ ତ୍ରୟୋଦଶ ତିଥିରେ ଗୌଡବାଡ ସାହି ପକ୍ଷରୁ ଅନ୍ନ ପ୍ରଥା,୨୩ ତାରିଖ ଭାଦ୍ରବ ଅମାବାସ୍ୟା ତିଥିରେ କାଳିକା ଦେବୀ ସାହି ପକ୍ଷରୁ ବସ୍ତ୍ର ହରଣ,୨୪ ତାରିଖ ଭାଦ୍ରବ ଶୁକ୍ଳ ପ୍ରତପଦା ତିଥିରେ ମାଟି ମଣ୍ଡପ ସାହି ପକ୍ଷରୁ ଦାବାଗ୍ନୀ,୨୫ ତାରିଖ ଶୁକ୍ଳ ଦ୍ବିତୀୟା ତିଥିରେ ହରଚଣ୍ଡୀ ସାହି ପକ୍ଷରୁ ନିକୁଞ୍ଜ ଲୀଳା,୨୬ ତାରିଖ ତୃତୀୟା ତିଥିରେ ହରଚଣ୍ଡୀ ସାହି ବାସେଳୀ ସାହି ପକ୍ଷରୁ ଅନ୍ଧ ମନ୍ଦିର ହାତୀ,୨୮ ତାରିଖ ପଞ୍ଚମୀ ତିଥିରେ ଗୌଡବାଡ ସାହି ପକ୍ଷରୁ ଦାହ ଲୀଳା,୨୯ ତାରିଖ ଷଷ୍ଠୀ ତିଥିରେ ମାର୍କଣ୍ଡେଶ୍ବର ସାହି ପକ୍ଷରୁ ବିମ୍ବାସୁର ବଧ,୩୦ ତାରିଖ ସପ୍ତମୀ ତିଥିରେ କାଳିକାଦେବୀ ସାହି ପକ୍ଷରୁ କେକେଶୀ ବଧ, ସେପ୍ଟେମ୍ବର ୨ତାରିଖ ଶୁକ୍ଳ ଦଶମୀ ତିଥିରେ ମାଟି ମଣ୍ଡପ ସାହି ପକ୍ଷରୁ ମଲ୍ଲଯୁଦ୍ଧ ଓ ବାଲିସାହି ପକ୍ଷରୁ କଂସବଧ ଅନୁଷ୍ଠିତ ହେବ ବୋଲି ଆଠସାହି ଆଖଡା ପକ୍ଷରୁ ସୂଚନା ଦିଆଯାଇଛି।
ଏହି ବୈଠକରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଆଠସାହି ଆଖଡା ସଭାପତି ରବି ନାରାୟଣ ସେନାପତି,ପ୍ରଫୁଲ୍ଲ ଖୁଣ୍ଟିଆ, ସହ ସମ୍ପାଦକ ଚକ୍ରଧର ମହାପାତ୍ର, ପୁଅ ସୁଆର, ସଦସ୍ୟ ନାରାୟଣ ମହାସୁଆର ,ନରେନ୍ଦ୍ର ମହାନ୍ତି, ରବି ଦାଶ,ରଘୁନାଥ ଖୁଣ୍ଟିଆ,ଦାମୋଦର ମହାପାତ୍ର, ବିଶ୍ବଜିତ ସେନାପତି, ଶ୍ୟାମ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଆଠସାହି ଆଖଡା ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Recent Comments