ବାଲିଗୁଡା/୨୦/୦୯/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ କାଶୀପୁର ରେଞ୍ଜରଙ୍କ କାର୍ଯ୍ୟାଳୟ,ବାସଭବନ ସମେତ ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ୨୦୦୭ ମସିହାରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ ସାହୁଙ୍କ ଚାକିରୀକାଳ ୧୮ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ପ୍ରାଥମିକ ଆକଳନରୁ ୫ଟି କୋଠା, ୯ଟି ମୂଲ୍ୟବାନ ପ୍ଲଟ, ୨୬୩ ଗ୍ରାମ ସୁନା ଅଳଙ୍କାର ସହିତ ୨୭ ଲକ୍ଷ ୯୯ ହଜାର ୬୫୯ ଟଙ୍କା ବ୍ୟାଙ୍କ ଏବଂ ଡାକଘରେ ଜମା ରହିଥିବା ଜଣାପଡ଼ିଛି।ଏହାବ୍ୟତୀତ ଘରକରଣା ସାମଗ୍ରୀ ଏବଂ ନଗଦ ଟଙ୍କା ୯.୪୩ ଲକ୍ଷ ଟଙ୍କା ଜବତ କରାଯାଇଛି।
ସୂଚନା ଅନୁସାରେ, କନ୍ଧମାଳ ଜିଲା ବାଲିଗୁଡ଼ାରେ ୨୨୫୦ ବର୍ଗଫୁଟ ଓ ୧୦୦୦ ବର୍ଗଫୁଟର ଦୁଇଟି ଘର, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶ୍ରନିକେତାରେ ୧୬୦୦ ବର୍ଗଫୁଟର, ବ୍ରହ୍ମପୁର ଟକ୍ନୋ ପାର୍କରେ ୧୬୫୦ ବର୍ଗଫୁଟର ଘର ସହ ଦାରିଙ୍ଗବାଡ଼ିରେ ମଧ୍ୟ ଏକଘର ଠାବକରିଛି ଭିଜିଲାନ୍ସ। ସେହିପରି ବାଲିଗୁଡ଼ା ସହର ଓ ଉପକଣ୍ଠରେ ୬ପ୍ଲଟ୍ ଠାବ ହୋଇଥିବାବେଳେ ବ୍ରହ୍ମପୁର ଯୋଗିଆ ପଲ୍ଲୀରେ ଗୋଟିଏ ଓ ଖୋଡ଼ାସିଙ୍ଗିରେ ୨ଟି ପ୍ଲଟ୍ ରହିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି। କନ୍ଧମାଳ ଜିଲା ବାଲିଗୁଡ଼ା ଏସ୍ବିଆଇରେ ଶ୍ରୀ ସାହୁ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଏକ ଲକର ରହିଛି। ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ତାଙ୍କ ସରକାରୀ ବାସଭବନ ସମେତ କନ୍ଧମାଳ ଜିଲା ବାଲିଗୁଡ଼ାରେ ସ୍ତ୍ରୀ ନାମରେ ଥିବା ଘର, ବାଲିଗୁଡ଼ାରେ ଥିବା ତାଙ୍କର ଆଉଏକ ଘର, ଦାରିଙ୍ଗବାଡ଼ିରେ ଥିବା ଶ୍ରୀ ସାହୁଙ୍କ ଘର, ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ କରଡପଡ଼ା ଗାଁରେ ଥିବା ଶ୍ବଶୁରଘର,ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକର ଯୋଗିଆପଲ୍ଲୀ ଓ ଭଞ୍ଜନଗର ଦୋମୁହାଣୀରେ ଥିବା ଜଣେ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା ଭିଜିଲାନ୍ସ। ଶ୍ରୀ ସାହୁ ଗତ ୨୦୨୩ ମସିହା ଅଗଷ୍ଟ ୧୦ ତାରିଖଠାରୁ କାଶୀପୁରରେ ରେଞ୍ଜର ଭାବେ କାର୍ଯ୍ୟ କରୁଛନ୍ତି। କାଶୀପୁର ବନାଞ୍ଚଳରେ ଗତ ୨ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ସହ ରାୟଗଡ଼ା ଭିଜିଲାନ୍ସ ଟିମ୍ ସହାୟତାରେ ଏହି ଚଢ଼ଉ କରାଯାଇଥିଲା।
Recent Comments