ବଲାଙ୍ଗିର/୧/୧୧/୨୦୨୫(ଆଧାର ମିଡ଼ିଆ)ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ଅକ୍ଟୋବର ୨୭ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି।ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନ ରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଡ଼ା.ବିଜୟାନନ୍ଦ ସେଠୀ ଓ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ପତାକା ଦେଖାଇ ଶୋଭାଯାତ୍ରା ଆରମ୍ଭ କରିଥିଲେ।ସ୍ଥାନୀୟ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର ବୈଠକ ଗୃହ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ବିଜୟାନନ୍ଦ ସେଠୀ ମୁଖ୍ୟଅତିଥି ଭାବେ, ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ତରଣୀ ସୁନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ,ସହ କମାଣ୍ଡାଣ୍ଟ, ଶରତ ସୁନା,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ନିର୍ବାହୀ ଅଧିକାରୀ, ପୌରପରିଷଦ ସନ୍ତୋଷ ବେହେରା, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ସୁଷୁମା ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ।ଜନସାଧାରଣ ନିଜର ଦାୟିତ୍ଵ,କର୍ତ୍ତ୍ୟବ୍ୟ ଓ ଅଧିକାର ପ୍ରତି ସଚେତନ ହେଲେ ଦୁର୍ନୀତି କୁ ରୋକାଯାଇ ପାରିବ ଏବଂ ପ୍ରତ୍ୟେକ ସ୍ତରରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।ସେହିପରି ସମାଜରୁ ଦୁର୍ନୀତି ରୋକିବାକୁ ହେଲେ ବ୍ୟାପକ ଜନସଚେତନତା ସହ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକତା ବୋଲି ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଉପ ଅଧିକ୍ଷକ, ଦୁର୍ନୀତି ନିବାରଣ ଶାଖା,ବଲାଙ୍ଗିର ପୁଲସ୍ତି ଛତ୍ରିଆ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ର ତାତ୍ପର୍ଜ୍ୟ ସମ୍ପର୍କରେ ସୂଚନା ଦେବା ସହ ଦୁର୍ନୀତି ନିବାରଣ ସକାଶେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଏବଂ ଇଂରାଜୀ ଭାଷା ରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଏହି ପ୍ରତିଯୋଗିତା ପ୍ରଥମେ ବ୍ଲକ,ପୌରପରିଷଦ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରରେ କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଓଡିଆ ଏବଂ ଇଂରାଜୀ ଭାଷା ରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ଅନୁଷ୍ଠିତ ସଚେତନତା ସଭା ରେ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ରୂପେ ଡ଼. ପ୍ରେମଚାନ୍ଦ ମହାନ୍ତି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ନିଜ ମନ୍ତବ୍ୟ ରଖିଥିଲେ।ଆରକ୍ଷୀ ନିରୀକ୍ଷକ,ଦୁର୍ନୀତି ନିବାରଣ ଶାଖା,ବଲାଙ୍ଗିର ଟେରେସା ଖେସ ଧନ୍ୟବାଦ ଅର୍ପଣ କରିଥିଲେ ଓ ପ୍ରଧାନ ଶିକ୍ଷକ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ, କନକେଲ ରାମ ଗୋପାଳ ଖମାରି ଶର୍ମା ସଭା ସଂଚାଳନ କରିଥିଲେ.ସରକାରୀ ଅଧିକାରୀ,ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର କର୍ମଚାରୀ ଓ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟର ପୁରୁଷୋତ୍ତମ ମୁନା,ସୁରେଶ ଚନ୍ଦ୍ର ପଟେଲ,କେଶବ ବାଗ,ସମୀର ସାହୁ ଓ ତପନ କୁମାର ପଟେଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Recent Comments