ପୁରୀ/୬/୧୧/୨୦୨୫(ଆଧାର ମିଡ଼ିଆ)ପୁରୀ ଟାଉନ୍ ହଲ ଠାରେ ପୁରୀ ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ବିଦ୍ୟାଳୟ ମାନଙ୍କର"ମକ୍ ପାର୍ଲିଆମେଣ୍ଟ"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ସମୁଦାୟ ୧୭ଗୋଟି ଭିନ୍ନ ଭିନ୍ନ ବିଦ୍ୟାଳୟର ମାନଙ୍କରୁ ମୋଟ୍ ୬୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ,ପୁରୀ,ଶ୍ରୀ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସାଧୁବାଦ ଜଣାଇବା ସହ ଏପରି କାର୍ଯ୍ୟକ୍ରମ ବିଦ୍ୟାଳୟ ମାନଙ୍କରେ ଆୟୋଜିତ ହେଲେ ପିଲାମାନେ ପାର୍ଲିଆମେଣ୍ଟର ଆୟୋଜନ, ପରିଚାଳନା, କାର୍ଯ୍ୟକାରିତା ତଥା ସାଂସଦ ଓ ବିଭାଗୀୟ ମନ୍ତ୍ରୀମାନଙ୍କ ଦେଶପାଇଁ ଅବଦାନ ସମ୍ପର୍କରେ ଉପଯୁକ୍ତ ଧାରଣା ପାଇ ଭବିଷ୍ୟତରେ ଦେଶ ଓ ଜାତି ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ମତପୋଷଣ କରିଥିଲେ।ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦ୍ବିତୀକାନ୍ତ ପ୍ରଧାନ ପିଲାମାନଙ୍କ ଅଭିନୟ ଓ କାର୍ଯ୍ୟକଳାପର ଭୂୟସୀ ପ୍ରଶଂସା କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପରିଡ଼ା ଯୋଗଦାନ କରି ଏପରି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ନିଜକୁ ସଂଯତ ଓ ଶୃଙ୍ଖଳିତ କରିବା ସହ ସଂସଦୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଜ୍ଞାନ ଆହରଣ କରି ଦେଶପାଇଁ ନିଜକୁ ନିୟୋଜିତ କରିପାରିବେ ବୋଲି ମତପୋଷଣ କରିଥିଲେ।ଛାତ୍ରଛାତ୍ରୀମାନେ ପାର୍ଲିଆମେଣ୍ଟର ତିନି ଗୋଟି ଅଧିବେଶନ ଯଥା ପ୍ରଶ୍ନକାଳ,ଶୂନ୍ୟକାଳ ଓ ବିଲ୍ ଆଗତ ସମ୍ପର୍କରେ ପ୍ରଶ୍ନୋତ୍ତର ଓ ତର୍ଜମା ମାଧ୍ୟମରେ ଅଭିନୟ ପ୍ରଦର୍ଶନ କରିଥିଲେ ଯାହା କି ଅତ୍ୟନ୍ତ ପ୍ରଶଂସନୀୟ ଥିଲା।ଜୁରୀ ରୂପେ ସେବା ନିବୃତ ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, କଳାକାର ଶ୍ରୀ ଭରତ କୁମାର ନାୟକ,ବରିଷ୍ଠ ଆଇନଜୀବୀ ଶ୍ରୀ ଶରତ ଚନ୍ଦ୍ର ରାୟଗୁରୁ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ,ରାଜନୀତି ବିଜ୍ଞାନ ବିଭାଗ ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସମୁଦାୟ ୬୮ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଜ୍ୟ ସ୍ତରୀୟ ପାଇଁ ମନୋନୀତ କରିଥିଲେ।
Recent Comments