ବୌଦ୍ଧ/୧୮/୧୨/ ୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ଟାଉନ୍ ହଲ୍ରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟକ ଚାକିରି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ଯୋଗଦେଇଥିଲେ.ବିଶେଷକରି ମହିଳା ପ୍ରାର୍ଥୀମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ କାର୍ଯ୍ୟକ୍ରମର ଆକର୍ଷଣୀୟ ଦିଗଥିଲା।ନିଯୁକ୍ତି ମେଳାର ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ଉଦଘାଟନ କରିଥିଲେ। ଉଦ୍ବୋଧନ ଦେଇ ସେ କହିଥିଲେ ଯେ ସେନିଜେ ଏକ ସାଧାରଣ ପୃଷ୍ଠଭୂମିରୁ ଯାତ୍ରା ଆରମ୍ଭ କରି ସଂଘର୍ଷ ଓ ଅଦମ୍ୟ ପ୍ରୟାସ ମାଧ୍ୟମରେ ଏହି ସ୍ଥାନକୁ ପହଞ୍ଚିଛନ୍ତି। ସୁଯୋଗକୁ ସଦ୍ ବ୍ୟବହାର କଲେ ସମସ୍ତେ ସଫଳତା ଅର୍ଜନ କରିପାରିବେ ବୋଲି ସେ ଯୁବମାନଙ୍କୁ ପ୍ରେରଣା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ,ଏନ୍ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଏବଂ ଜେଏସଏସ୍,ନିର୍ଦ୍ଦେଶକ ଅରୁଣ କୁମାର ସାହୁ ଉପସ୍ଥିତ ଥିଲେ।ନିଯୁକ୍ତି ମେଳାରେ ୨୮ଟି ବିଭିନ୍ନ କ୍ଷେତ୍ରର ନିଯୁକ୍ତି ଦାତା ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଜିଲ୍ଲା ଭିତରେ,ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଚାକିରି ସୁଯୋଗ ପ୍ରଦାନ କରିଥିଲେ। ତଦ୍ ସହିତ ୧୦ଟି ସରକାରୀ ଫ୍ରି ଟ୍ରେନିଂ ପ୍ରଦାନକରି ନିଯୁକ୍ତି ଦେବା ସଂସ୍ଥା ଓ ୧ଟି ଭାରତୀୟ ବାୟୁସେନା ଷ୍ଟଲ୍ ମଧ୍ୟ ଅଂଶଗ୍ରହଣ କରି କ୍ୟାରିଅର ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ।
ନିଯୁକ୍ତି ମେଳାରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଚାକିରି ଆଶାୟୀ ଯୋଗଦେଇଥିଲେ। ମୋଟ ୭୯୧ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିବାବେଳେ, ସାକ୍ଷାତ୍କାର ଓ ଚୟନ ପ୍ରକ୍ରିୟା ପରେ ୫୫୪ ଜଣପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିଆଯାଇଥିଲା । ଏଥିରୁ ୨୮ ଜଣ ପ୍ରାର୍ଥୀଙ୍କୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ସମସ୍ତ ଷ୍ଟଲ୍ଗୁଡ଼ିକୁ ପରିଦର୍ଶନ କରି ପ୍ରାର୍ଥୀମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ପ୍ରେରଣା ଦେଇଥିଲେ।ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ କରିଥିଲେ।ନିଯୁକ୍ତି ମେଳାର ସମଗ୍ର ଆୟୋଜନ ଓ ସୁଚାରୁ ପରିଚାଳନାରେ କାର୍ଯ୍ୟାଳୟ କର୍ମଚାରୀ ରୁଦ୍ର ନାରାୟଣ ସାମନ୍ତ,ରମାକାନ୍ତ ମିର୍ଧା, ଶ୍ରୀ ସିବ୍ବଲ କୁମାର,ହେମନ୍ତ ତିୱାରୀ ଏବଂ ଡମ୍ଵରୁଧର ଖାଲ୍ଖୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲେ।କାର୍ଯ୍ୟକ୍ରମଟି ଚାକିରି ସୃଷ୍ଟି, କୌଶଳ ଉନ୍ନୟନ ଓ ଯୁବ ସଶକ୍ତିକରଣ ପ୍ରତି ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପୁନଃରୁଦ୍ଧାର କରି ସକାରାତ୍ମକ ଟୀକାସହ ଶେଷ ହୋଇଥିଲା।
Recent Comments