logo
add image
ଭବ୍ୟ ସମାରୋହରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳାଉଦ୍ଘାଟିତ.

ଭବ୍ୟ ସମାରୋହରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳାଉଦ୍ଘାଟିତ.

ଭବାନୀପାଟଣା/୦୩/୦୧/୨୦୨୬/(ଆଧାର ମିଡ଼ିଆ)–କଳାହାଣ୍ଡି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଭବାନୀପାଟଣା ସ୍ଥିତ କୃଷିମହାବିଦ୍ୟାଳୟ ପ୍ରାଙ୍ଗଣରେ ଭବ୍ୟ ସମାରୋହ ମଧ୍ୟରେ ଉଦଘାଟିତ ହୋଇଯାଇଛି।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ମେଳା ଜାନୁଆରୀ ୦୩ ତାରିଖ ଠାରୁ ଆରମ୍ଭ ହୋଇ ଏହା ୦୭ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଉପଲକ୍ଷେ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିତରଣ ତଥା କୃଷି ଓ ଅନୁସଙ୍ଗିକ ବିଭାଗ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏଠାରେ ଉନ୍ନତ ମାନର କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିକ୍ରୟ, ବିଭିନ୍ନକୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା,କୃଷି ଓ ଅନୁସଙ୍ଗିକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର,ବ୍ୟାଙ୍କ ସହାୟତା ମାଧ୍ୟମରେ କୃଷି ଯନ୍ତ୍ରପାତି କ୍ରୟନିମନ୍ତେ ଆବଶ୍ୟକୀୟ ଋଣର ସହାୟତା,ତତ୍କାଳ ଅଗ୍ରିମ ବୁକିଂର ସୁବିଧା ମଧ୍ୟ ରହିଛି। ଏହି ମେଳାକୁ ଭବାନୀପାଟଣା କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ଦିପ୍ତ କୁମାର ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ମେଳାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷକମାନଙ୍କୁ ଉତ୍ସାହିତ କରିବା ସହ ନିଜର ଉଦବୋଧନ ରଖିଥିଲେ।କୃଷି କାର୍ଯ୍ୟରେ ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ଵାରା ସ୍ୱଳ୍ପସମୟ ଓ ସ୍ୱଳ୍ପ ଖର୍ଚରେ ଅଧିକ ଉତ୍ପାଦନ ମିଳିଥାଏ। ଏହାଦ୍ୱାରା କୃଷି ଭାଇର ଶ୍ରମ ଲାଘବ ହେବାସହ କୃଷିକାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରାଯାଇପାରିବ। ଫସଲ ବିବିଧତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଯାହା ଚାଷୀମାନଙ୍କୁ ଆଧୁନିକ କୃଷିଯନ୍ତ୍ରପାତି ସହ ପରିଚିତ କରାଇବା ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିବ।
ମୁଖ୍ୟବକ୍ତା ଡଃ ସଂଦିପ୍ତ କୁମାର ନାଏକ କୃଷିକାର୍ଯ୍ୟ କିପରି କଲେ ଆମେ ଅଧିକ ଅମଳ କରିପାରିବା ଓ ବିଭିନ୍ନ ପ୍ରକାର ବୈଜ୍ଞାନିକ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ପ୍ରମୋଦ କୁମାର ବେହେରା ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅଜୟ କୁମାର ମାରାଣ୍ଡି,ନିର୍ବାହୀ ଯନ୍ତ୍ରୀ (କୃଷି) ମେଳାର ଉଦ୍ଦେଶ୍ୟ,କୃଷି ଯନ୍ତ୍ରପାତିର ବ୍ୟବହାର ଏବଂ ତାଉପରେ ମିଳୁଥିବା ସରକାରୀ ରିହାତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅମିତାଭ ପଣ୍ଡା ଚାଷରେ ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ସମ୍ପର୍କରେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସଭାରେ ଆଞ୍ଚଳିକ ଅନୁସନ୍ଧାନ ଓ ସମ୍ପ୍ରସାରଣ କେନ୍ଦ୍ରର ସହକାରୀ ଗବେଷଣା ନିର୍ଦ୍ଦେଶକ ଡଃ ଭବାନୀ ନାଏକ,ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାକର ନାଏକ,ଭବାନୀପାଟଣାର ଅତିରିକ୍ତ କୃଷି ଅଧିକାରୀ ଅଜିତ କୁମାର ମହାପାତ୍ର,ଅତିରିକ୍ତ ଉଦ୍ୟାନ କୃଷିଅଧିକାରୀ ମୋନାଲିସା ପ୍ରଧାନ ଏବଂ ଜୁନାଗଡ଼ର ସାଂସଦ ପ୍ରତିନିଧି ଭାବେ କୁନ୍ତଳା ରାଉତ ଦେବୀ ଯୋଗଦେଇ ଥିଲେ। 
ମେଳାରେ ମୋଟ ୬୦ଟି ଷ୍ଟଲ ଖୋଲାଯାଇଛି,ଯେଉଁଥିରେ କୃଷି ଯନ୍ତ୍ରପାତି ନିର୍ମାତା ଏବଂ ବିକ୍ରେତା। କୃଷି ଭିତ୍ତିକ ଷ୍ଟାର୍ଟଅପ୍ ଏବଂ ବେସରକାରୀ ସଂସ୍ଥା,ଉଦ୍ୟାନ କୃଷି,ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିଭାଗ ଭଳି ସରକାରୀ ଆନୁଷଙ୍ଗିକ ସଂସ୍ଥାମାନେ ସାମିଲ ଅଛନ୍ତି। ଆଜି ପ୍ରଥମ ଦିନରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇଥିଲେ। ମେଳାର ପ୍ରଥମ ଦିବସରେ ମୋଟ ୨.୮୨ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବୁକିଂ ହେଇଥିଲା ଯାହାର ରିହାତି ମୂଲ୍ୟ ୪୬.୩୪ ଲକ୍ଷ୍ୟ ଟଙ୍କା।
କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳାହାଣ୍ଡିର ସମସ୍ତ ସହକାରୀ କୃଷି ଯନ୍ତ୍ରୀ,ସହକାରୀ କୃଷି ଅଧିକାରୀ,ବ୍ଲକ କୃଷି ଅଧିକାରୀ,ଗ୍ରାମ୍ୟ କୃଷି କର୍ମଚାରୀ( ଭି ଏ ଡବ୍ଲୁ)ଏବଂ କୃଷି ପର୍ଯ୍ୟବେକ୍ଷକ (ଏ ଓ) ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ସଜାଗ ରହିଥିଲେ,ଯାହାଫଳରେ ମେଳାର ସାଜସଜା ଓ ପରିଚାଳନା ଅତ୍ୟନ୍ତ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା। ଅଜିତ କୁମାର ମହାପାତ୍ର ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top