ବାଲିଗୁଡା/୧୨/୦୧/୨୦୨୬/(ଆଧାରମିଡିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଟିକାବାଲି ଥାନା ଅଧିକାରିଣୀ ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ, ଅବକାରୀ ଏବଂ ରାଜସ୍ୱ ବିଭାଗର ମିଳିତ ସହଯୋଗରେ ପ୍ରାୟ ୮୬ ଏକର ଜଙ୍ଗଲଜମିରେ ହୋଇଥିବା ବେଆଇନ ଗଞ୍ଜେଇଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି। ସୂଚନା ଅନୁଯାୟୀ,ଟିକାବାଲି ଥାନା ଅନ୍ତର୍ଗତ କଟିମାହା ପଞ୍ଚାୟତର ଅଡ଼ାଖୋଲ,ଡୁଙ୍ଗିସାହି,ଉପରଖୋଲ,ଲଦାସାହି,ବିଲାବାଡ଼ା,ଦାସାଗୁଡ଼ା ଏବଂ କଇଁଝର ପଞ୍ଚାୟତର ଗଣ୍ଡଗାଁ ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକଭାବେ ଗଞ୍ଜେଇଚାଷ ହୋଇଥିବା ପୋଲିସ କୌଣସିସୂତ୍ରରୁ ଖବର ପାଇଥିଲା। ଏହି ଖବର ଆଧାରରେ ପୋଲିସ ଏବଂ ଅବକାରୀ ବିଭାଗପକ୍ଷରୁ ଚଢ଼ାଉ କରାଯାଇ ୮୬ ଏକର ପରିମିତ ଜମିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି। ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ଏହି ବେଆଇନ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନ କରାଯାଉଛି। ଏହାସତ୍ତ୍ୱେ କିଛିଲୋକ ଅଧିକ ଲାଭଆଶାରେ ଆଇନକୁ ହାତକୁନେଇ ଏହି କାରବାର ଜାରୀ ରଖିଛନ୍ତି। ଏହି ଘଟଣାରେ ଟିକାବାଲି ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ଯେ, ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏନଡିପିଏସର ଧାରା ୨୦ ଏ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏହିଭଳି ଦମନମୂଳକ ଅଭିଯାନ ଜାରିରହିବ ବୋଲି ପୋଲିସପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜିର ଏହି ଅଭିଯାନରେ ଟିକାବାଲି ତହସିଲଦାର ହରିଶଚନ୍ଦ୍ର ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତଥିଲେ। ଏଥିସହିତ ଟିକାବାଲି ଥାନା ଏସ.ଆଇ ଅବନୀ ପ୍ରଧାନ,ପଞ୍ଚାନନ ମଳିକ,ଅବକାରୀ ବିଭାଗର କର୍ମଚାରୀ,ହୋମଗାର୍ଡ ଏବଂ ଏସଓଜି ଜବାନମାନେ ସାମିଲ ହୋଇ ଗଞ୍ଜେଇଗଛ କାଟିବାରେ ସହଯୋଗ କରିଥିଲେ।
Recent Comments