logo
add image
ଜିଲ୍ଲାଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଜିଲ୍ଲାସ୍ତରୀୟ ପାଠଚକ୍ର ଉଦଯାପିତ : 

ଜିଲ୍ଲାଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଜିଲ୍ଲାସ୍ତରୀୟ ପାଠଚକ୍ର ଉଦଯାପିତ : 

ରଣପୁର/୧୩/୦୨/୨୦୨୬/(ଆଧାର ମିଡ଼ିଆ)-ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ଠାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦୁଇଦିନିଆ ଜିଲ୍ଲାସ୍ତରୀୟ ପାଠଚକ୍ର ଗୁରୁବାର ଉଦଘାଟିତ ହୋଇ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏହି ପାଠଚକ୍ର ୧୨ ଓ ୧୩ ଫେବୃଆରୀ ଦୁଇଦିନ ଧରି ଅନୁଷ୍ଠିତ ହୋଇ ଶିକ୍ଷକମାନଙ୍କ ମଧ୍ୟରେ ଜ୍ଞାନ ବିନିମୟ,ପାଠଦାନ କୌଶଳ ଓ ଶିକ୍ଷାର ଗୁଣଗତ ଉନ୍ନତି ଉପରେ ଆଲୋଚନାର ମଞ୍ଚ ସୃଷ୍ଟି କରିଥିଲା |
ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଏ.ଡି.ଏମ.ରୋଜିନା ଦାଶ ଯୋଗଦେଇ ଶିକ୍ଷାମାଧ୍ୟମରେ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେ କହିଥିଲେ ପାଠଚକ୍ର ଭଳି କାର୍ଯ୍ୟକ୍ରମ ଶିକ୍ଷକଙ୍କୁ ନୂତନ ଧାରଣା ଓ ନୂତନ ପାଠଦାନ ପ୍ରଣାଳୀ ସହ ପରିଚିତ କରାଇ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ଉନ୍ନତ କରିଥାଏ।
ସ୍ୱତନ୍ତ୍ର ଅତିଥି ଭାବେ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଯୋଗଦେଇ ଶିକ୍ଷକମାନଙ୍କ ନିଷ୍ଠା ଓ ସମର୍ପଣ ଭାବନାକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ଅକ୍ଷୟ କୁମାର ମହାନ୍ତି ପାଠଚକ୍ର ମାଧ୍ୟମରେ ଅଭିଜ୍ଞତା ବିନିମୟ ଶିକ୍ଷାକ୍ଷେତ୍ରରେ ନୂତନଦିଗ ଖୋଳିଥାଏ ବୋଲି ମତପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷାଅଧିକାରୀ ପିଣ୍ଟୁ କୁମାର ପ୍ରଧାନ,ପ୍ରଫେସର ପ୍ରକାଶ କୁମାର ସାହୁ,ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ,ସନ୍ତୋଷ କୁମାର ମିଶ୍ର ଓ ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଉପଦେଷ୍ଟା ଜୟଶଙ୍କର ବାଗ ପ୍ରମୁଖ ଯୋଗଦେଇ ପାଠଚକ୍ରର ଗୁରୁତ୍ୱ ଉପରେ ମତ ରଖିଥିଲେ। ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପ୍ରଦାନକରି ଅତିଥିମାନଙ୍କୁ ଆତ୍ମୀୟ ସ୍ୱାଗତ ଜଣାଇଥିଲେ। ଶିକ୍ଷକ ପ୍ରଶିକ୍ଷକ ମାନସରଞ୍ଜନ ସାହୁ ବିଭୁ ବନ୍ଦନା ପ୍ରଦାନ କରିଥିବାବେଳେ,ଦୀପକ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ “ସୁରଭି” ନାମକ ପତ୍ରିକା ଉନ୍ମୋଚନ କରାଯାଇଥିଲା, ଯାହା ପ୍ରତିଷ୍ଠାନର ଶିକ୍ଷାମୂଳକ କାର୍ଯ୍ୟକଳାପର ଏକ ଦର୍ପଣ ଭାବେ ପରିଚିତ ହେବ। ପାଠଚକ୍ରର ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ ଓ ପ୍ରତାପ କୁମାର ମହାପାତ୍ର ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ପାଠଚକ୍ର ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବା ସହିତ ଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ସମସ୍ତେ ମତପ୍ରକାଶ କରିଥିଲେ |

Recent Comments

Leave Comments

Top