ଖଡ଼ିଆଳ/୧୭/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତକୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚେନାବେଡା ଗ୍ରାମ ପଂଚାୟତ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଚନାବେଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପାଳଙ୍କ ସହିତ ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ୍,ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷମାନିଧୀ ଭୋଇ,ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ,ବିଡ଼ିଓ ମିଲନ କୁମାର ଝାଙ୍କର,ତହସିଲଦାର ନରସିଂହ ଗଡବା, ସ୍ଥାନୀୟ ସରପଞ୍ଚ ମଥାମଣି ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଏହି ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଜିଲ୍ଲାପାଳ ଶିଶୁ କନ୍ୟାକୁ ଆଶିର୍ବାଦ ସହିତ ଉପହାର ପ୍ରଦାନ କରିଥିଲେ ।
ଗର୍ଭସ୍ଥ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ସାତଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ ପନିପରି ବା,ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥିମାନେ ଭେଟି ଦେଇଥିଲେ lଏହାପରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ଯା ଦୂର କରିବାପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସଭାରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଜନ ସାଧାରଣଙ୍କୁ ନିଜ ନିଜ ବିଭାଗର ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ପ୍ରବାସୀ ଶ୍ରମିକ ପ୍ରଥାର ଅପକାରୀତା ଓ ଏହାକୁ କିଭଳି ଭାବେ ନିରାକରଣ କରାଯାଇ ପାରିବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l
ଏହା ସହିତ ନୂଆପଡ଼ା ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଏସବୁର ବ୍ୟବହାର ନକରିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା l ଏହା ସହିତ ବିବାହ ତଥା ପର୍ବ ପର୍ବାଣୀରେ ପ୍ଲାଷ୍ଟିକ ଖଲିଦନା ଗ୍ଲାସ୍ ଇତ୍ୟାଦିର ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରିବାପାଇଁ ଜିଲ୍ଲାପାଳ ଜିଲ୍ଲାର ୧୪୧ ତ୍ତମ ବର୍ତ୍ତନ ବ୍ୟାଙ୍କର ଉଦ୍ଘାଟନ କରିଥିଲେ l ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାର ପ୍ରଥମ "ସ୍ୱଚ୍ଛତା ମିତ୍ର" ପୁରସ୍କାର ୟାରର ସଭାପତି ମହେନ୍ଦ୍ର ଯୋଶୀଙ୍କୁ ପ୍ରଦାନ କରିଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ମିଳୁଥି ବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯିବା ପାଇଁ ସମସ୍ତେ ପଣକରନ୍ତୁ l ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ,ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନା ରେ ସାମିଲ କରିବାପାଇଁ ପଦକ୍ଷେପ ନେଉଛନ୍ତି l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l
ସଭାରେ ଦୁଇଜଣ ଶ୍ରେଷ୍ଠ ଶ୍ରୋତା,ମନରେଗା ଯୋଜନାରେ ଅଧିକଦିନ କାମ କରିଥିବା ଶ୍ରମିକ ମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରା ଯାଇଥିଲା l ଏହା ସହିତ ଶିଳ୍ପ ବିଭାଗ,ପ୍ରାଣୀ ସମ୍ପଦ ବିଭାଗ ଏବଂ ଶ୍ରମ ବିଭାଗ ଦ୍ଵାରା ହିତାଧୀକାରୀ ମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆ ଯାଇଥିଲା l ଚନାବେଡା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମାନେ ପରିବେଶ ସୁରକ୍ଷା ତଥା ପ୍ରବାସୀ ଶ୍ରମିକ ସଚେତନତା ପାଇଁ ସୁନ୍ଦର ନୃତ୍ୟଗୀତ ପରିବେଷଣ କରିଥିଲେ l ଶେଷରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଜଳ ଯୋଗାଇ ଦେଇଥିଲେ l ଏହି ଶିବିରକୁ ଖଡିଆଳ ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର୍ ନମିତା ପାଢ଼ୀ,ଖଡିଆଳ ସିଡିପିଓ ଲତା ଦିଗାଲ,ସ୍ଥାନୀୟ ସରପଞ୍ଚ,ପଞ୍ଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ।
Recent Comments