କଟକ/୧୯/୦୨/୨୦୨୬/(ଆଧାର ମିଡ଼ିଆ-ପରମେଶ୍ୱର ପରିଡା)-ବିଳମ୍ବିତ ରାତିରେ ଚାଲୁଥିଲା ଅପରାଧ ଷଡ଼ଯନ୍ତ୍ର। ଜଣଙ୍କ ଦୋକାନ ଘରକୁ ଭାଙ୍ଗି କିପରି ନିଜ କବ୍ଜାକୁ ନେବେ ସେ ନେଇ ଆରମ୍ଭ କରୁଥିଲେ କାର୍ଯ୍ୟ।ଏହି ଖବର ପାଇବା ପରେ ସିଆରଆଇଆଇ ଥାନାର ଅଧିକାରୀ ସଦଳବଳ ଘଟଣାସ୍ଥଳରେ ଚଢ଼ଉ କରିବାରୁ ଅଭିଯୁକ୍ତମାନେ ପୁଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ଠେଲାପେଲା କରିଥିଲେ। ପୁଲିସ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କରିବା ବେଳେ ୩ଜଣ ଖସି ଯାଇଥିବା ବେଳେ ଜଣେ ଧରାପଡ଼ିଥିଲା। ଅଭିଯୁକ୍ତର ନାମ ଚେତନ ଶର୍ମା ଏବଂ ଘର ଚାଉଳିଆ ଗଞ୍ଜ ଅଞ୍ଚଳରେ।କୋର୍ଟଚାଲାଣ ପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଚାଉଳିଆଗଞ୍ଜ ଥଟ୍ଟାରିସାହିର ଗଜାନନ ସାହୁ ୨୦୦୬ରେ ବ୍ୟବସାୟ କରିବା ନିମନ୍ତେ ତଳସାହିର ବିଶ୍ଵନାଥ ସାହୁଙ୍କଠାରୁ ଦୁଇଟି ପ୍ଲଟ ଯାହାର ନମ୍ବର ୧୪୩୫ ଓ ୧୪୩୬କୁ ଭଡ଼ାସୂତ୍ରରେ ନେଇଥିଲେ।ଏଥିପାଇଁ ୩୦ବର୍ଷ ପାଇଁ ବିଶ୍ଵନାଥଙ୍କ ସହିତ ଚୁକ୍ତିନାମା ହୋଇଥିଲା। ଗତ ଦୁଇ ତିନିବର୍ଷ ପୂର୍ବରୁ ବିଶ୍ବନାଥଙ୍କ
ନାମରେ ଥିବା ସମସ୍ତ ସମ୍ପତ୍ତି ବଣ୍ଟନ ହୋଇଥିଲା। ଫଳରେ ଏହି ଦୁଇଟି ପ୍ଲଟ ପରିବାରର ଦୁଇ ସଦସ୍ୟଙ୍କ ଭାଗରେ
ପଡ଼ିଥିଲା । କୌଣସି କାରଣରୁ ସଦସ୍ୟଜଣକ ତାଙ୍କ ଭାଗରେ ପଡ଼ିଥିବା ୧୪୩୬ନଂ ପ୍ଲଟ ଦୁଇଜଣକୁ ବିକ୍ରି କରି ଦେଇଥିଲେ। ଏହାପରେ ଉକ୍ତପ୍ଲଟ ଯେ ଖରିଦ କରିଥିଲେ ତୁରନ୍ତ ଜମିରେ ଥିବା ଦୋକାନ ଘର ହଟାଇବା ଲାଗି ଗଜାନନଙ୍କୁ କହିଥିଲେ।
ହେଲେ ୩୦ବର୍ଷିଆ ଅର୍ଥାତ ୨୦୩୬ ପର୍ଯ୍ୟନ୍ତ ବ୍ୟବସାୟ କରିବା ଲାଗି ଚୁକ୍ତି ରହିଥିବା କହିବା ସହିତ ନଥିପତ୍ର ମଧ୍ୟ
ଦେଖାଇଥିଲେ। ଏହାସତ୍ତ୍ବେବିବାଦ ଉପୁଜିବାରୁ ନିଜର ଓ ବ୍ୟବସାୟ ପ୍ରତିଷ୍ଠାନର ସୁରକ୍ଷା ପାଇ ଗଜାନନ ଡିସିପିଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିଲେ।କୋର୍ଟ ଏହାର ବିଚାରକରି ଚୁକ୍ତିନାମାକୁ ମାନି ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦେଶଦେଇଥିଲେ।ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୨ଟାରେ ଉକ୍ତ ଜମି କିଣିଥିବା ବ୍ୟକ୍ତି ତାଙ୍କର କିଛି ସହଯୋଗୀଙ୍କୁ ଧରି ସେଠାରେ ପହଞ୍ଚିବା ସହିତ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ତିନିଟ୍ରିପ୍ ବାଲି ଗଦେଇ ଦେଇଥିଲେ। ଫଳରେ ଦୋକାନକୁ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏହି ଖବର ଜାଣିବା ପରେ ଗଜାନନ ଏବଂ ତାଙ୍କ ପୁଅ ନିରଞ୍ଜନ ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଜମିକ୍ରେତା ଓ ସହଯୋଗୀମାନେ ତୁରନ୍ତ ଦୋକାନ ନ ହଟାଇଲେ ସକାଳେ ଭାଙ୍ଗି ଦେବୁ ବୋଲି ଧମକ ଦେଇଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ଗଜାନନ ଓ ନିରଞ୍ଜନଙ୍କୁ ଗାଳିଗୁଲଜ କରିଥିଲେ।
ଏନେଇ ଗଜାନନ ସିଆରଆରଆଇ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଏସଆଇ ଝୁନୁଲତା ବେହେରା କିଛି ପୁଲିସ କର୍ମଚାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଏଠାରୁ ଚାଲିଯିବା ଲାଗି ଅଭିଯୁକ୍ତମାନଙ୍କୁ କହିଥିଲେ। ହେଲେ ସେମା ନେ ସେଠାରୁ ଚାଲିଯିବା ପରିବର୍ତ୍ତେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତଠେଲାପେଲା କରିଥିଲେ। ସୂଚନା ପାଇ ଥାନା ଅଧିକାରୀ ପିଟି ଗଣେଶ ସାହୁ ସଦଳବଳ ସେଠାରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟର ସାହୁଙ୍କ ସାର୍ଟ ବକ୍ରମକୁ ଟାଣି ଧରିବା ସହିତ ଧମକ ଦେଇଥିଲା।ଖବରପାଇ ଚାଉଳିଆଗଞ୍ଜ ଥାନା ଅଧିକାରୀ ଚିନ୍ତେଶ୍ଵର ମୁଣ୍ଡା ସେଠାରେ କିଛି କର୍ମଚାରୀଙ୍କସହିତ ପହଞ୍ଚିଥିଲେ। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ସହ ତିନିଜଣ ଖସି ପଳାଇଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଚେତନଙ୍କୁ ପୁଲିସ ମାଡ଼ି ବସିଥିଲା। ଏ ଘଟଣାକୁ ନେଇ ମହିଳା ପୁଲିସ ଏସଆଇ ଜଣକ ଏତଲା ଦେଇଛନ୍ତି। ଦୁଇଟି ମାମଲା ଆଧାରରେ ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢ଼ଉ ଜାରି ରହିଥିବା ଜୋନ୍ ଏସିପି ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।
Recent Comments