logo
add image
ପୁରୀରେ ବିଶ୍ବ ସାମାଜିକ ନ୍ୟାୟଦିବସ ପାଳିତ

ପୁରୀରେ ବିଶ୍ବ ସାମାଜିକ ନ୍ୟାୟଦିବସ ପାଳିତ

ପୁରୀ/୨୦/୨/୨୦୨୬/(ଆଧାର ମିଡ଼ିଆ)-ବରିଷ୍ଠ ନାଗରିକ ମାନଙ୍କ ଅନୁଭବ, ଅଭିଜ୍ଞତା ଓ ସଂସ୍କାର ସମାଜର ମାର୍ଗଦର୍ଶିକା।ସେମାନେ ସମାଜ ପାଇଁ ବୋଝ ନୁହନ୍ତି ବରଂ ସମ୍ବଳ ବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଆଜି ପୂର୍ବାହ୍ନରେ ପୁରୀଜିଲ୍ଲା ସଂସ୍କୃତି ଭବନଠାରେ ବିଶ୍ଵ ସାମାଜିକ ନ୍ୟାୟଦିବସ ଉପଲକ୍ଷେ ବରିଷ୍ଠ ନାଗରିକ ମାନଙ୍କ ଲାଗି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସେଠୀ ପୁରାଣ,ଇତିହାସ ଓ ସାମାଜିକ ବାର୍ତ୍ତାର ବିଭିନ୍ନ ଉଦାହରଣ ଦେଇ ବରିଷ୍ଠ ମାନେ କିପରି ରାଜ୍ୟ,ରାଷ୍ଟ୍ର ଓ ସମାଜପାଇଁ ଜଣେ ଜଣେ ସମ୍ପତ୍ତି ଭଳି ତାହାକୁ ଉଲ୍ଲେଖ କରିଥିଲେ।
ସମ୍ପ୍ରତି ସାମାଜିକ ସଂସ୍କାରରେ ଅବକ୍ଷୟ ଯୋଗୁଁ ବରିଷ୍ଠ ମାନେ କେଉଁଠି କେଉଁଠି ଅବହେଳାର ଶୀକାର ହେଉଥିବାର ସୂଚନା ମିଳୁଛି।କାର୍ଯ୍ୟାନୁଷ୍ଠାନ ଲାଗି ଏ ସମ୍ପର୍କରେ ଆଇନରେ ମଧ୍ୟ ପ୍ରାବଧାନ ରହିଛି।ତେଣୁ ବ୍ୟାପକ ସଚେତନତା ମାଧ୍ୟମରେ ବରିଷ୍ଠ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାର ପ୍ରକ୍ରିୟାରେ ସାମିଲ ହେବାକୁ ସେ ଅନୁରୋଧ କରିଥିଲେ।ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ପ୍ରତିନିଧି ଡା ଉତ୍ପଳ କୁମାର ନନ୍ଦୀ,ଜିଲ୍ଳା ବରିଷ୍ଠ ନାଗରିକ କମିଟିର ସଦସ୍ୟ ହରିଶଙ୍କର ମିଶ୍ର, ସଦସ୍ୟା ଶ୍ରୀମତୀ ସବିତା ମିଶ୍ର,ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପରିଚାଳକ ପୀୟୂଷ ଚକ୍ରବର୍ତ୍ତୀ, ଆରକ୍ଷୀ ନିରୀକ୍ଷକ ପବିତ୍ର କୁମାର ମହାରଣା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା,ବରିଷ୍ଠ ନାଗରିକ ଭରଣପୋଷଣ ଓ କଲ୍ୟାଣ ଆଇନ,ସାଇବର ଠକେଇରୁ ବର୍ତ୍ତିବାପାଇଁ ବିବିଧ ସତର୍କତା ଅବଲମ୍ବନ,ସୁସ୍ଥ ରହିବା ପାଇଁ ବିବିଧ ଉପାୟ ଓ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ନମିତା ଚାନ୍ଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ବ୍ୟାଙ୍କ ଏବଂ ବୀମା ସେକ୍ଟର ତରଫରୁ ଆଶିଷ ପଟ୍ଟନାୟକ ଓ କେଲ୍ଲ ଶ୍ୟାମ ବ୍ୟାଙ୍କରେ ସୁରକ୍ଷିତ ନେଣ ଦେଣ,ଆର୍ଥିକ ସାକ୍ଷରତା ସମ୍ପର୍କରେ ଅବଗତ କରାଇଥିଲେ।ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ସହରାଞ୍ଚଳରୁ ବରିଷ୍ଠ ନାଗରିକ ମାନେ ଉକ୍ତ ସଚେତନତା ଶିବିରରେ ଯୋଗ ଦେଇଥିଲେ। ବେଲର ମୁଖ୍ୟ ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରାତଃ ୭ ଟାରେ ଏକ ଯୋଗ କାର୍ଯ୍ୟକ୍ରମ ସଂସ୍କୃତି ଭବନ ଠାରେ ଆୟୋଜିତ କରାଯାଇ ଥିଲା। ତତ୍ ପରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ମୂଖ୍ୟ ଚିକିତ୍ସାଳୟ ଏବଂ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ,ପୁରୀରୁ ବରିଷ୍ଠ ଡ଼ାକ୍ତରମାନେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଔଷଧ ବିତରଣ କରିଥିଲେ।

Recent Comments

Leave Comments

Top