ନୂଆପଡା/୨୩/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ବୁଧୁରାମ ନାଏକ (୫୪ )ଙ୍କ ଦୁର୍ଘଟଣା ଜନିତ ଅକାଳ ମୃତ୍ୟୁଘଟିଛି। ଗତ ୧୭ତାରିଖ ଦିନ ସ୍ବର୍ଗତ ନାଏକ ନିଜ ନୂଆପଡା ସ୍ଥିତ ବାସଗୃହରୁ ବାହାରିବା ବେଳେ ଏକ ବାଇକ ତାଙ୍କୁ ଜୋର ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ମସ୍ତିସ୍କରେ ଅସ୍ତ୍ରୋପଚାର କରାଯାଇଥିଲେ ସୁଦ୍ଧା ତାଙ୍କ ଚେତା ଫେରି ନଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହେବାନେଇ ଜଣା ପଡିବାପରେ ଜିଲ୍ଲାର କର୍ମଚାରୀ ଓ ଅଧିକାରୀ ମହଲରେ ଶୋକର ଛାୟା ଖେଳିଯାଇଛି।
ଆଜି ତାଙ୍କର ମରଶରୀର ନିଜସ୍ୱ ପୈତୃକଗ୍ରାମ ନୂଆପଡା ବ୍ଲକ ଅନ୍ତର୍ଗତ ଧନୋରାରେ ପହଂଚିବା ପରେ ଜ୍ଞାତି ପରିଜନ ଙ୍କ ଏକ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଯାଇଛି। କୋମନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପବିତ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଶୋକସଭାରେ ତାଙ୍କ ଅମରଆତ୍ମାର ସଦଗତି ନିମିତ୍ତ ଦୁଇମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା l ଶୋକସନ୍ତପ୍ତ ପରିବାରଙ୍କୁ ଏହି ଅପୂରଣୀୟ କ୍ଷତିର ସମ୍ମୁଖୀନ ହେବା ପାଇଁ ଭଗବାନ ଶକ୍ତିପ୍ରଦାନ କରିବାକୁ ପ୍ରାର୍ଥନା କରାଯିବା ସହ ପରିବାରଙ୍କୁ ସମବେଦନା ଜ୍ଞାପନକରି ତାଙ୍କ ସ୍ମୃତି ଚାରଣ କରାଯାଇଥିଲା।ସ୍ବର୍ଗତ ନାଏକ ଜଣେ ଶାନ୍ତ,ସରଳ,ମେଳାପୀଓ ମିଷ୍ଟଭାଷୀ କର୍ମଚାରୀ ଥିବାରୁ କୋମନା ବ୍ଲକ ଅଂଚଳର ବିଭିନ୍ନ ବର୍ଗରଵ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
Recent Comments