logo
add image
ଅନ୍ତର୍ଜାତୀୟ ମହିଳା ଦ୍ୱିତୀୟ ଦିବସରେ ଯୋଗ,ଆତ୍ମରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ l 

ଅନ୍ତର୍ଜାତୀୟ ମହିଳା ଦ୍ୱିତୀୟ ଦିବସରେ ଯୋଗ,ଆତ୍ମରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ l 

ନୂଆପଡ଼ା/୦୮/୦୩/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲାରେ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ପାଳନ ଉପଲକ୍ଷେ ସମାରୋହର ଦ୍ୱିତୀୟ ଦିବସରେ ଆତ୍ମରକ୍ଷା, ଯୋଗ ଓ ଶାରୀରିକ ବ୍ୟାୟାମ ଉପରେ ପ୍ରଶିକ୍ଷଣ ଓ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମରେ ଆୟୋଜିତ ଏହି ଶିବିରରେ ୩୯୧ ଜଣ ବାଳିକା ଓ ମହିଳା ଅଂଶଗ୍ରହଣ କରିଥିଲେ।ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ,ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଅଭିଭାବକମାନେ ମଧ୍ୟ ଯୋଗଦାନ କରିଥିଲେ।
ଯୋଗଗୁରୁ ଶଶୀ ଭୂଷଣ ପାଣିଗ୍ରାହୀ ସମସ୍ତଙ୍କୁ ଯୋଗାଭ୍ୟାସ କରାଇ ଥିବାବେଳେ ଦେବବ୍ରତ ସାହୁ ଶାରୀରିକ ବ୍ୟାୟାମ ଅଭ୍ୟାସ କରାଇଥିଲେ। ଏହାସହ ଶ୍ରୀମତୀ ନିରୂପମା ପଟେଲ ଆତ୍ମରକ୍ଷା ତାଲିମ ପ୍ରଦାନ କରିଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ, ପ୍ରାଣାୟାମ, ଶାରୀରିକ ବ୍ୟାୟାମ ଓ ଖେଳକୁଦ କରିବା ପାଇଁ ଆହ୍ବାନ ଦେଇଥିଲେ।
ଏହି ଶିବିରପରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ଏହି  ଷ୍ଟାଡିୟମରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ମଧ୍ୟରେ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହାକୁ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଓ ଡେପୁଟି କଲେକ୍ଟର ବିଜୟ କୁମାର ଛତ୍ରିୟା ଉପସ୍ଥିତ ରହି ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ।  ଯୋଗଗୁରୁ ଶଶୀ ଭୂଷଣ ପାଣିଗ୍ରାହୀ ଓ ଶ୍ରୀମତୀ ନିରୂପମା ପଟେଲଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆସନ୍ତାକାଲି ଆୟୋଜିତ ହେବାକୁଥିବା 'ପାୱାର ୱାକ' କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଥିଲେ।

Recent Comments

Leave Comments

Top