ସୁବର୍ଣ୍ଣପୁର/୧୩/୦୩/୨୦୨୬/(ଆଧାର ମିଡ଼ିଆ)-ଆଜି ସୋନପୁର ବ୍ଲକ ସମ୍ମିଳନୀ କକ୍ଷରେ ନାବାର୍ଡ ଏବଂ ଆଶାଦୀପ ବେସରକାରୀ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର ଯୁକ୍ତ ଉଦ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।
ଅନ୍ୟତମ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ବୀଣାପାଣି ମିଶ୍ର, ସୋନପୁର,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀ ପ୍ରତୀକ କୁମାର କର, ସାଧାରଣ ପରିଚାଳକ, ଡି.ଆଇ.ସି, ସୁବର୍ଣ୍ଣପୁର, ସତ୍ୟସ୍ୱରୂପ, ବେଦାନ୍ତ, ଡି.ଜି.ଏମ,ନାବାର୍ଡ, ସୁବର୍ଣ୍ଣପୁର,କାର୍ତ୍ତିକେଶ୍ୱର ପଣ୍ଡା, ଅଗ୍ରଣୀ ଜିଲ୍ଲା ଅଧିକାରୀ (ବ୍ୟାଙ୍କ), ଲୁସି ପ୍ରିୟଦର୍ଶିନୀ,ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ,ତପନ କୁମାର ପଟ୍ଟନାୟକ ଓ ଆଶାଦୀପ ବେସରକାରୀ ଅନୁଷ୍ଠାନ ସଭାପତି ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସେମାନଙ୍କର ସଫଳତା ପାଇଁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୧୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ମେହେର ମହିଳାମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ପରିବାର ଗଠନରେ ମହିଳାମାନଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଦେଶର ଉନ୍ନତିରେ ସେମାନେ ମେରୁଦଣ୍ଡ ଭୂମିକା ନିଭାଇପାରିବେ। ନିଜ ଅବକାଶ ସମୟକୁ ଆୟମୂଳକ କାର୍ଯ୍ୟରେ ବ୍ୟୟକଲେ ସେମାନେ ଆର୍ଥିକ ଭାବେ ଆତ୍ମନିର୍ଭର ହୋଇପାରିବେ। ସେହିପରି ସରକାରଙ୍କ ବିଭିନ୍ନ ଯୋଜନା ବିଷୟ ରେ ଅବଗତ ହୋଇ ତାହାର ଲାଭଉଠାଇ “ଲକ୍ଷପତି ଦିଦି” ହେବାର ସୁଯୋଗ ନେବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ।ଆଶାଦୀପ ଏକ ବେସରକାରୀ ସଂସ୍ଥା ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଦକ୍ଷତା ବିକାଶ, ସଚେତନତା ସୃଷ୍ଟି ଓ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି ପ୍ରଶିକ୍ଷଣ ଭଳି କାର୍ଯ୍ୟକ୍ରମ କରୁଥାଏ। ଏହା ମହିଳାମାନଙ୍କର ତୃଣମୂଳ ସ୍ତରରେ ବିକାଶରେ ପ୍ରତ୍ୟକ୍ଷ ଭାବେ ଜଡିତ।
ଏହି ଅବସରରେ ଶ୍ରୀମତୀ ବୀଣାପାଣି ମିଶ୍ର ଉପସ୍ଥିତ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବିଷୟରେ ଅବଗତ କରାଇଥିଲେ। ଅନୁସୂଚିତ ଜାତି, ଜନଜାତି ଝିଅ ଓ ବିଧବା ମହିଳାମାନେ ଏହି ଯୋଜନାରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇପାରିବେ। ସରକାର ୧୦ ହଜାର ଟଙ୍କାର ଉପହାର ଏବଂ ଝିଅମାନଙ୍କ ପାଇଁ ୩୫୦୦୦ ଟଙ୍କା ସରକାର ବ୍ୟାଙ୍କ ଖାତାରେ ଜମା କରିବେ।
ପରିଶେଷରେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ ଜେନା ମାମାନଙ୍କୁ ତାଙ୍କ ଉତ୍ପାଦିତ ଦ୍ରବ୍ୟକୁ କିପରି ବଜାରରେ ବିକ୍ରୟ କରିପାରିବେ ଏବଂ ଅନଲାଇନ ମାର୍କେଟିଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ।
Recent Comments