ସିନାପାଲି/ନୂଆପଡା/୨୪/୦୩/୨୬/(ଆଧାର ମିଡ଼ିଆ /ରିପୋର୍ଟ - ହେରମ୍ବ ମେହେର)- ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତର ଅନକାପୁର ଗ୍ରାମରେ ଏକ ଅସହାୟ ପରିବାର ଏବେ ଦୁଃଖର ପାହାଡ଼ ତଳେ ଚାପି ହୋଇ ଦିନ କାଟୁଥିବା ଦେଖିବାକୁ ମିଳିଛି । ପରିବାର କହିଲେ ଦୁଇ ଭଉଣୀ ହେମଳତା ଗୁଆଲ (୨୨) ଓ ତାଙ୍କ ସାନ ଭଉଣୀ ନମନ୍ତୀ ଗୁଆଲ (୧୮) । କିଛି ଦିନ ପୂର୍ବରୁ ମାଆ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ ଓ ମାଆଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା ଅମର ଗୁଆଲ (୬୫) ପରିବାର ପ୍ରତିପୋଷଣର ଭାର ବହନ କରିବାକୁ ତେଲେଙ୍ଗାନାକୁ ଦାଦନ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ଚଳିତ ମାର୍ଚ୍ଚ ୧୭ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଏହା ପରେ ଦୁଇ ଭଉଣୀ ସଂପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଛନ୍ତି ।
ପ୍ରକାଶ ଥାଉକି ବଡ଼ ଭଉଣୀ ହେମଳତା ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ସେ ନିଜ କାମମଧ୍ୟ କରିପାରୁନାହାନ୍ତି ତାଙ୍କ ଦେଖାଶୁଣା ପାଇଁ ସାନଭଉଣୀ ନମନ୍ତୀ ନିଜ ପାଠପଢା ବନ୍ଦକରି ଦେଇଛନ୍ତି । ଏବେ ଘରର ସମସ୍ତ ଦାୟିତ୍ୱ ତାଙ୍କ କାନ୍ଧ ଉପରେ ରହିଛି । ସରକାରୀ ସହାୟତା କହିଲେ ପରିବାରକୁ କେବଳ ରାସନ କାର୍ଡ ଓ ଦିବ୍ୟାଙ୍ଗ ଭତା ମିଳୁଛି କିନ୍ତୁ ଏହି ସହାୟତାରେ ଦୁଇଜଣଙ୍କ ଦୈନନ୍ଦିନ ଖର୍ଚ୍ଚପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ । ଏଣୁ ଏହି ପରିବାରର ହେମଳତାକୁ ଦିବ୍ୟାଙ୍ଗ ସହାୟତା ଓ ନମନ୍ତିର ପାଠପଢା ଏବଂ ଦୈନନ୍ଦିନ ଖର୍ଚ୍ଚର ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ପ୍ରଶାସନକୁ ଅନୁରୋଧ କରିଛନ୍ତି.
Recent Comments