logo
add image
୩୭ତ୍ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଉଦଯାପିତ :ହଜାର ହଜାର ଭକ୍ତଙ୍କ ସମାଗମ 

୩୭ତ୍ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଉଦଯାପିତ :ହଜାର ହଜାର ଭକ୍ତଙ୍କ ସମାଗମ 

ବାଲିଗୁଡା/୦୫/୦୪/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ ହୋଇ ଶାନ୍ତି ଶୃଙ୍ଖଳା ଭାବେ ଉଦଯାପିତ ହୋଇଯାଇଛି। ତେର ଶମ୍ଭୁ ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l
ଏହି ଅବସରରେ ଏଥିରେ ବାଲିଗୁଡ଼ା, ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍‌ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍‌ବାଡ଼ି (ଦାରିଙ୍ଗବାଡ଼ି) ଅଞ୍ଚଳ ର ଦଣ୍ଡଥଳ ଯୋଗ ଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ l ରବିବାର ଦିନ ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ବରଣ କରାଯାଇ ଥିଲା l ମଧ୍ୟାହ୍ନରେ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଆଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ ,ବୀଣାକାର, ବିଲରେ ଧାନରୁଆ ଇତ୍ୟାଦି ନାଟକ ବେଶ୍ ଆକର୍ଷିତ କରିଥିଲା। ଅପରାହ୍ନରେ ନିକଟସ୍ଥ ପୁଷ୍କରିଣୀରେ ପାଣିଦଣ୍ଡ ପରେ ସନ୍ଧ୍ୟାରେ ସ୍ଥାନୀୟ ବଜାର ଛକ ନିକଟରେ ୧୩ ଦଣ୍ଡର ଆକର୍ଷଣୀୟ ମହା ମିଳନ ଉତ୍ସବରେ ଢୋଲିଆ, ପାଟଭୁକ୍ତା, ମହୁରିଆ ଙ୍କ ମିଳନ ହୋଇଥିବା ବେଳେ ଯାହାକୁ ହଜାର ହଜାର ଭକ୍ତ ଓ ଦର୍ଶକ ଉପଭୋଗ କରିଥିଲେ l
ଏହି ମିଳନ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏସ ଡି ପି ଓ ଶୁଭମ ଭୋସଲେ ଉପସ୍ଥିତ ଥିଲେ l  ପରିଚାଳନା ସମିତିର ମୁଖ୍ୟ ପରିଚାଳକ ରାଜକିଶୋର ଦାଶ, ସଭାପତି କିଶୋର ଚନ୍ଦ୍ର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାତ୍ର ୮ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା 
ଏହା ପରେପରେ ଝୁଣାଦଣ୍ଡର ମହା ପଟୁଆର ଆୟୋଜନ ହୋଇଥିଲା

ଏହି ମିଳନ ଉତ୍ସବରେ ଟାଉନର ବିପଦର ବନ୍ଧୁ, ବେହେରା ସଂଘ, ସତ୍ୟ ସାଇ ସେବା ସମିତି, ହାଟ ବେପାରୀ ସଂଘ ସମେତ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ସ୍ୱେଚ୍ଛାସେବୀ ତଥା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଷ୍ଟଲ କରି ଦିନ ତମାମ କନିକା ଭୋଗ, ଅର୍ଣ୍ଣ ଭୋଗ, ଦହି ପଣା ସହ ବିଭିନ୍ନ ପ୍ରକାର ପାନୀୟ ଜଳ ବଣ୍ଟନ କରିଥିଲେ l ଏହି ତେର ଶମ୍ଭୁ ଦଣ୍ଡ ନାଚକୁ ଆଖି ଆଗରେ ରଖି ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦେଶରେ ଥାନା ଅଧିକାରୀ ଶିବ ଶଙ୍କର ସିଂଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଟାଉନର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତାଧିନ କରିଥିଲେ l ଏଥିରେ ସମିତିର ଶତାଧିକ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ପରିଚାଳନା କରିଥିବାରୁ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା l

Recent Comments

Leave Comments

Top