ଭୁବନେଶ୍ୱର/୧୦/୦୪/୨୦୨୬/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା ଜେନାକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଫା ୧୩୭(୨), ୧୦୩(୧), ୬୫(୨) ଏବଂ ୨୩୮(କ) ସହିତ ପକ୍ସୋ ଆକ୍ଟର ଧାରା ୬ ଅନୁଯାୟୀ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି। ମାତ୍ର ଏକବର୍ଷ ମଧ୍ୟରେ ଏହି ମାମଲାର ବିଚାର ପ୍ରକ୍ରିୟା ସମାପ୍ତ କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯିବା ଘଟଣା ପୋଲିସର ଦକ୍ଷତା ଓ ତ୍ୱରିତ ନ୍ୟାୟ ପ୍ରଦାନର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି।
ମାମଲାର ବିବରଣୀ ଅନୁଯାୟୀ ଗତ ୨୦୨୫ ମାର୍ଚ୍ଚ ୧୩ ତାରିଖରେ ଇଣ୍ଡଷ୍ଟ୍ରିଆଲ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଜ ଘର ସମ୍ମୁଖରେ ଖେଳୁଥିବା ସମୟରେ ହଠାତ ନିଖୋଜ ହୋଇଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଖୋଜାଖୋଜି କରାଯିବା ପରେ ମାର୍ଚ୍ଚ ୧୫ ତାରିଖରେ ନିକଟସ୍ଥ ଏକ ମହୁଲ ଗଛମୂଳରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାକୁ ଦୁଷ୍କର୍ମ କରାଯିବା ସହ ଗଳା ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ଅନୁଗୋଳ ଏସପି ଶ୍ରୀ ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ଇଣ୍ଡଷ୍ଟ୍ରିଆଲ ଥାନା ଆଇଆଇସି ଏବଂ ଡିଏସପି (IUCAW) ଯୋଗେଶ୍ୱରୀ ବେହେରାଙ୍କ ନେତୃତ୍ୱରେ ପୋଲିସ ଘଟଣାର ତୁରନ୍ତ ଅଭିଯୁକ୍ତ ବାବୁଲା ଜେନାକୁ ଗିରଫ କରିଥିଲା। ବୈଜ୍ଞାନିକ ଏବଂ ଫୋରେନସିକ୍ ପ୍ରମାଣ ସଂଗ୍ରହ, ଡିଏନଏ (DNA) ନମୁନା ପରୀକ୍ଷା ଏବଂ ସଠିକ ସମୟରେ ପୋଲିସର ଚାର୍ଜସିଟ୍ ଦାଖଲ ଯୋଗୁଁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପୋଲିସ ସଫଳ ହୋଇପାରିଥିଲା।ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ଓଡ଼ିଶା ପୋଲିସର ‘ଶୂନ୍ୟ ସହନଶୀଳତା’ ନୀତି ଏବଂ ପ୍ରଶାସନିକ ସମନ୍ୱୟ ଯୋଗୁଁ ପୀଡ଼ିତାଙ୍କ ପରିବାରକୁ ଖୁବ୍ କମସମୟ ମଧ୍ୟରେ ନ୍ୟାୟ ମିଳିପାରିଛି। ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଅନୁଗୋଳ ଏସପି ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହେବାପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି।
Recent Comments