logo
add image
ଗୁଣପୁର ମିନି ଷ୍ଟାଡିୟମ୍‌ର ଉନ୍ନତିକରଣ ପାଇଁ  କ୍ରୀଡ଼ାମନ୍ତ୍ରୀଙ୍କ ପ୍ରତିଶ୍ରୁତି,୫କୋଟିର ଡିପିଆର୍ ପ୍ରଦାନ।

ଗୁଣପୁର ମିନି ଷ୍ଟାଡିୟମ୍‌ର ଉନ୍ନତିକରଣ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ପ୍ରତିଶ୍ରୁତି,୫କୋଟିର ଡିପିଆର୍ ପ୍ରଦାନ।

ଗୁଣପୁର/ରାୟଗଡା,୧୯/୧୨/୨୦୨୪(ଆଧାର ମିଡ଼ିଆ)ଗୁଣପୁର ମିନିଷ୍ଟାଡିୟମ୍‌ର ରୂପରେଖ ବଦଳିବ।ଉନ୍ନତି କରଣ ନିମନ୍ତେ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ନିକଟରେ ଅର୍ଥର ଅଭାବ ନାହିଁ।ପ୍ରତି ଜିଲ୍ଲାରେ କ୍ରୀଡ଼ା ହଷ୍ଟେଲ ଖୋଲିବା ପାଇଁ ସରକାରଙ୍କ ଯୋଜନା ରହିଥିବା ସେ କହିଛନ୍ତି।ଗୁଣପୁରର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଙ୍କୁ ଭେଟି ୫ କୋଟି ଟଙ୍କା ବ୍ୟୟ ଅଟକଳର ଡିପିଆର ପ୍ରସ୍ତୁତ ଏକ ରିପୋର୍ଟ ସହ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ମିନିଷ୍ଟାଡିୟମରେ ଏବେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପ୍ରତିନିଧି ଦଳ ସହ ମନ୍ତ୍ରୀ ଆଲୋଚନା କରିଥିଲେ।ଗତ ସରକାରଙ୍କ ଅମଳରେ ମିନିଷ୍ଟାଡିୟମର ଉନ୍ନତି କରଣ ପାଇଁ ମିଳିଥିବା ୨୦ଲକ୍ଷ ଟଙ୍କା ଅନୁଦାନକୁ ବିଦ୍ୟୁତ ଓ ପାଣିର ବ୍ୟବସ୍ଥା  ଦିଗରେ ବିନିଯୋଗ କରିବାକୁ ପ୍ରତିନିଧି ଦଳରେ ଯାଇଥିବା ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା,ବିଜେପି ନେତା ଅମର ସାହୁ,ଟୁକୁରୁ ପାଣିଗ୍ରାହୀ,ସଂଗ୍ରାମ ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କ୍ରୀଡ଼ାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଡିପିଆର୍ ରିପୋର୍ଟରେ ପଡ଼ିଆ ସମତଳ କରି ଘାସ ରୋପଣ,ପ୍ରାଚୀର ଓ ନାଳ ନିର୍ମାଣ,ଫୁଟ୍‌ପାଥ, ପାଣି ବ୍ୟବସ୍ଥା,ପଡ଼ିଆ ଚତୁପାର୍ଶରେ ଆଲୋକୀକରଣ ସହ ଟ୍ରାନ୍ସଫର୍ମର ସ୍ଥାପନ,ଗ୍ୟାଲେରୀ ନିର୍ମାଣ, ପାକିଂ,ଯୋଗ ମଣ୍ଡପ, ପତାକା ଉତ୍ତୋଳନ ଷ୍ଟେଜ୍,ବ୍ୟୟାମଶାଳା,ଭଲିବଲ,ଫୁଟ୍‌ବଲ ଓ କ୍ରିକେଟ୍ ନେଟ୍ ଅଭ୍ୟାସ ଇତ୍ୟାଦି ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି। ସୂଚନା ଯୋଗ୍ୟ ଯେ,ଗତ ମେ ମାସ ପ୍ରଥମ ସପ୍ତାହରେ ୫-ଟି ସଚିବଙ୍କ ଗୁଣପୁର ଗସ୍ତ ଅବସରରେ ସୋସିଆଲ୍ ସର୍ଭିସ୍ ଏଣ୍ଡ ସ୍ପୋଟିଂ କ୍ଲବ୍ କର୍ମକର୍ତ୍ତା ମିନିଷ୍ଟାଡିୟମ୍‌ର ବିକାଶ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରିଥିଲେ।ଏହା ଭିତ୍ତକରି ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ।ଉକ୍ତ ଟଙ୍କା ପୂର୍ତ୍ତ ବିଭାଗ ନିକଟରେ ଅଵ୍ୟଵହୃତ ହୋଇପଡିଛି।ଏହା ବ୍ୟତୀତ ପ୍ରତିନିଧି ଦଳର ସଭ୍ୟ ମାନେ ଭୁବନେଶ୍ୱରରେ ରାଜ୍ୟ ପଞ୍ଚାୟତ ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ,ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ସରକାରୀ ଅଧିକାରୀ ଏବଂ ବ୍ୟକ୍ତିଗତ ସଚିବଙ୍କୁ ଭେଟି ଗୁଣପୁର ଅଞ୍ଚଳର ବିଭିନ୍ନ ଉନ୍ନୟନ ଯୋଜନା ଏବଂ ସମସ୍ୟା ଗୁଡିକ ସମ୍ପର୍କରେ ଆଲୋଚନା କରି  ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି।

Recent Comments

Leave Comments

Top