logo
add image
ବେଆଇନ ପଥର ବ୍ଲାଷ୍ଟିଂ ଓ ପ୍ରଦୂଷଣପାଇଁ ଜନ ଅଭିଯୋଗ ଭୁଷୁଡି ପଡୁଛି ଏନ୍ଏଚ ୪୯ ପାର୍ଶ୍ୱ ଘରକାନ୍ଥ

ବେଆଇନ ପଥର ବ୍ଲାଷ୍ଟିଂ ଓ ପ୍ରଦୂଷଣପାଇଁ ଜନ ଅଭିଯୋଗ ଭୁଷୁଡି ପଡୁଛି ଏନ୍ଏଚ ୪୯ ପାର୍ଶ୍ୱ ଘରକାନ୍ଥ

ଜମନକିରା/ସମ୍ବଲପୁର/୧୩।୧/୨୦୨୫/(ଆଧାର ମିଡ଼ିଆ): ଏନ୍ଏଚ ୪୯ ପାର୍ଶ୍ଵରେ ଭୋଜପୁର ଠାରୁ ତିଲେଇବଣୀ ରାସ୍ତା ପାର୍ଶ୍ବରେ ପ୍ରାୟ ବର୍ଷେହେଲା ପାହାଡିଆ ଜଙ୍ଗଲ ଭିତରେ ଦିନରାତି ବେଆଇନ ପଥର ବ୍ଲାଷ୍ଟିଂଯୋଗୁଁ ପାହାଡ଼ିଆ ଜଙ୍ଗଲ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ପରିବେଶ ପ୍ରଦୂଷଣରୁ ଆଖ ପାଖ ଜମିରେ ପଥର ଧୂଳିଧୂଆଁ, ଆବର୍ଜନା ଗୁଣ୍ଡ ହେବାଦ୍ଵାରା କୌଣସି ଚାଷକାର୍ଯ୍ୟ ହୋଇ ପାରିନାହିଁ। ହାଇୱା ଟ୍ରକ ଗୁଡ଼ିକ ପଥର ଚିପ୍ସ ବୋଝେଇ ହୋଇ ଯିବାବେଳେ ରାସ୍ତା ଖରାପ୍ ହେଉଛି। ବେଆଇନ ପଥର ବ୍ଲାଷ୍ଟିଂ ହେବାଯୋଗୁଁ ଆଖପାଖ ଘର ଗୁଡ଼ିକ ଫାଟ ସୃଷ୍ଟି ହେଉଥିବାରୁ ଏହାର ସ୍ଥାୟୀତ୍ବ ରହୁନାହିଁ। ଜନ ସାଧାରଣ,ସ୍କୁଲ୍ ଛାତ୍ର ଛାତ୍ରୀ ମାନେ ବିପଦପୂର୍ଣ୍ଣ ରାସ୍ତାଦେଇ ପ୍ରତିଦିନ ଯାତାୟାତ କରୁଛନ୍ତି। ସୋମବାର ଜମନକିରା ପଂଚାୟତ ସମିତି ସଭାଗୃହ ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ ଙ୍କୁ ଏହି ମର୍ମରେ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ଗତବର୍ଷ ଅଗଷ୍ଟ ୧୨ ତାରିଖରେ ରାଜ୍ଯ ଗ୍ରାମ ଉନ୍ନୟନ,ପଞ୍ଚାୟତିରାଜ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ମଧ୍ଯ ଅଭିଯୋଗ ଜଣାଇଥିଲେ। ପ୍ରଦତ୍ତ ଅଭିଯୋଗ ଅନୁଯାୟୀ, ଡିମିରିମୁଣ୍ଡା ପଂଚାୟତ ଅଧୀନ ୱାର୍ଡ଼ ନଂ ୧୭ ସୁଇପଦର୍ ,ସିରିଡ ପଂଚାୟତ ଓ ଭୋଜପୂର ପଂଚାୟତ ସୀମା ସଂଲଗ୍ନ ମଝିରେ ଏନଏଚ ୪୯ ଠାରୁ ୨୦୦ ମିଟର ଦୂରତାରେ ବଡ଼ କ୍ରସର୍ ଚାଲୁଛି।
ବେଆଇନ ପଥର ବ୍ଲାଷ୍ଟିଂ ସାଙ୍ଗକୁ କ୍ରସରରୁ ବାହାରୁ ଥିବା ପଥର ଗୁଣ୍ଡ ପରିବେଶକୁ ଅତ୍ୟନ୍ତ ଦୂଷିତ କରୁଛି। ଗାଁ ଲୋକେ ଜଙ୍ଗଲ ସୁରକ୍ଷା ପାଇଁ ରଖିଥିବା ଗ୍ରାମ୍ୟ ଜଙ୍ଗଲ ମଧ୍ୟ ନଷ୍ଟ ହୋଇଗଲାଣି। କ୍ରସର ଚାଲିଥିବା ଚାରି ପାର୍ଶ୍ୱରେ କୌଣସି ପ୍ରକାର ପନିପରିବା, ତୈଳବୀଜ ଚାଷ, ଆଳୁ, ଲଙ୍କା ଚାଷ ମଧ୍ୟ ହୋଇପାରୁ ନାହିଁ। ଦିନରାତି କ୍ରସର ଚାଲିଥିବାରୁ ଆଖ ପାଖ ଗାଁ ଲୋକେ ରାତିରେ ଶାନ୍ତିରେ ଶୋଇ ପାରୁନାହାନ୍ତି। କ୍ରସର ଧୂଳିଧୂଆଁ ଗାଧୁଆ ବନ୍ଧରେ ପଡୁଥିବାରୁ ବନ୍ଧ ଦୂଷିତ ହେବା ସହ ଗାଧୋଇବା ଉପଯୋଗୀ ହୋଇପାରୁ ନାହିଁ। ପ୍ରାୟ ୪୦ରୁ ୬୦ ଟନ ପଥର ଚିପ୍ସ ବୋଝେଇ ହୋଇ ହାଇୱା ଟ୍ରକ ଯୋଗେ ବିନା ଢାଙ୍କୁଣିରେ ପରିବହନ କରୁଥିବାରୁ ରାସ୍ତା ଉପରେ ଚିପ୍ସ ପଡ଼ି ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ତେଣୁ ବେଆଇନ ପଥର ବ୍ଲାଷ୍ଟିଂ କରୁଥିବା କ୍ରସର ବନ୍ଦ୍ କରିବାକୁ ଦାବି କରାଯାଇଥିଲା। ଜିଲ୍ଲାପାଳ ଅଭିଯୋଗ ଉପରେ ତଦନ୍ତ କରିବାକୁ ଜମନକିରା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜନ ଶୁଣାଣୀରେ ଉପସ୍ଥିତ ଥିବା ସ୍ଥାନୀୟ ତହସିଲଦାର ହରେକୃଷ୍ଣ ବରିହା ବେଆଇନ ପଥର ବ୍ଲାଷ୍ଟିଂ ହେଉଥିବା ସ୍ବୀକାର କରି ଜିଲ୍ଲାପାଳଙ୍କୁ ଜଣାଇଥିଲେ। ମାଜିଷ୍ଟ୍ରେଟ ତଥା ଜମନକିରା ତହସିଲଦାର ଶ୍ରୀ ବରିହାଙ୍କ ଉପସ୍ଥିତିରେ ସ୍ଥାନୀୟ ଭୋଜପୁର ଫରେଷ୍ଟ ଅଫିସର ହେମନ୍ତ ମିଶ୍ର, ଭୋଜପୁର ଆରଆଇ, ଜିଲ୍ଲା ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ପ୍ରମୁଖ ମିଳିତ ଭାବେ କ୍ରସର ସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଗାଁ ଲୋକଙ୍କୁ ବେଆଇନ ପଥର ବ୍ଲାଷ୍ଟିଂ ବନ୍ଦ ହେବା ସାଙ୍ଗକୁ କ୍ରସର ୟୁନିଟ୍ ନିୟମ ପାଳନ କରି ଚାଲୁଛି ନା ନାହିଁ ତାହା ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

 

Recent Comments

Leave Comments

Top