ଜମନକିରା/୧୦/୨/୨୦୨୫/(ଆଧାର ମିଡ଼ିଆ): ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ)ଙ୍କ ଅଫିସ୍ ପ୍ରାଙ୍ଗଣରେ ସପ୍ତମ ବାର୍ଷିକ ଶିକ୍ଷକ, ଶିକ୍ଷୟିତ୍ରୀ ସମାବେଶ ୨୦୨୪-୨୫ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ନିମନ୍ତ୍ରିତ ଅତିଥି ବୃନ୍ଦ ମା' ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜମନକିରା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀକାନ୍ତ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷା ଡ.ଗୀତାଞ୍ଜଳି ଭୋଇ ଏଵଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ମୁରଲୀଧର ବେହେରା,ଏବିଇଓ ସୁଶ୍ରୀ ଦେବକୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏବିଇଓ ସୁଶ୍ରୀ ଦେବକୀ ନାଏକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ କହିଥିବା ବେଳେ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷା ଡ. ଗୀତାଞ୍ଜଳି ଭୋଇ ଶିକ୍ଷାର ମାନ ବୃଦ୍ଧି, ଶୈକ୍ଷିକ ସହାୟତା ଦେବା ଦିଗରେ ଶିକ୍ଷକ ମାନଙ୍କ ଭୂମିକା ଓ ରାଜ୍ଯ ନୂତନ ଶିକ୍ଷା ନୀତି ୨୦୨୦ (ଏଫ୍ଏଲ୍ଏନ୍) ଉପରେ ଅନେକ ଦୃଷ୍ଟାନ୍ତ ଦେଇଥିଲେ।
ଏଥିରେ ମୌଳିକ ସାକ୍ଷରତା,ଭାଷାଜ୍ଞାନ ଓ ସଂଖ୍ୟା ଜ୍ଞାନ ଉପରେ ଯେଉଁ ସ୍କୁଲ୍ ଗୁଡ଼ିକ ଉତ୍ତମ ଶୈକ୍ଷିକ୍ ଜ୍ଞାନ ପ୍ରଦାନ କରୁଥିବେ ସେହି ସ୍କୁଲ୍ କୁ ଏଫ୍ଏଲ୍ଏନ୍ ସ୍କୁଲ ଭାବେ ଚୟନ କରାଯାଇ ସମସ୍ତ ଶିକ୍ଷକ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକ ବୋଧକ ଗୀତ, ଭଜନ, ଜଣାଣ ଆଦି ଗାନ କରାଯାଇଥିଲା। ଜମନକିରା ବ୍ଲକ୍ ଅଧୀନ ୧୯ ଗୋଟି ସାଧନ କେନ୍ଦ୍ରରୁ ୧୯ ଟି ସ୍କୁଲକୁ ଏଫ୍ଏଲ୍ଏନ୍ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୧୮ ଜଣ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇଥିବା ବେଳେ ନବ ନିଯୁକ୍ତ ୨୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିମନ୍ତ୍ରିତ ଅତିଥି, ସଭାପତି, ବରିଷ୍ଠ ଶିକ୍ଷକ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ। ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀକାନ୍ତ ପଟେଲ୍ ଚଳିତ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସଂପାଦକ କାର୍ତ୍ତିକ କିସାନ ଶିକ୍ଷକ ମାନଙ୍କୁ କାର୍ଯ୍ୟକ୍ରମ ର ଶିକ୍ଷାଦାନରେ ବ୍ରତୀ ହେବାକୁ ନିଜ ବକ୍ତବ୍ୟ ରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଅବସରପ୍ରାପ୍ତ ଶିକ୍ଷକ ଭୁବନେଶ୍ୱର ଦ୍ବିବେଦୀ, ଦିଲ୍ଲୀପ ବୋହିଦାର, ସନ୍ତୋଷ ପଟେଲ୍, ସଂଚୟ ପଟେଲ୍ ପ୍ରମୁଖ ଶିକ୍ଷା ମହାପୁଣ୍ୟ କହି ଶିକ୍ଷକ ସମାଜ ଛାତ୍ରଛାତ୍ରୀଙ୍କୁ ହେଳା ନ କରି ମଣିଷ କରି ପାରିଲେ ସବୁ ଜାଗାରେ ପୂଜିତ ହେବେ ବୋଲି କହିଥିଲେ। ମଂଚ ପରିଚାଳନା ଶିକ୍ଷକ ପ୍ରତାପ ମହାପାତ୍ର ତୁଲାଇ ଥିବା ବେଳେ ଖର୍ସନମାଲ୍ ସିଆରସିସି ପ୍ରଶାନ୍ତ ପଣ୍ଡା ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
Recent Comments