ବଲାଙ୍ଗୀର/୩୦/୦୩/୨୦୨୫/(ଆଧାର ମିଡ଼ିଆ)-ସ୍ଥାନୀୟ ପିଏମ୍ ଶ୍ରୀ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ,ମୁଖ୍ଯବକ୍ତା ଭାବେ ବ୍ଯଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର,ପୁଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା,ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ବସନ୍ତ ସ୍ବାଇଁ ଯୋଗ ଦେଇଥିଲେ। ମୁଖ୍ଯଅତିଥି ଶ୍ରୀ ନାଗ ନିଜ ବକ୍ତବ୍ଯରେ ସକାରାତ୍ମକ ଭାବନା ସଫଳତା ଆଣେ ବୋଲି କହିବା ସହ ଛାତ୍ର ଛାତ୍ରୀମାନଙ୍କ ମଧ୍ଯରେ ଲୁଚି ରହିଥିବା ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହୋଇଥାଏ ବୋଲି କହିଥିଲେ। ମୁଖ୍ଯବକ୍ତା ଶ୍ରୀ ପୁରୋହିତ ନିଜ ବକ୍ତବ୍ଯରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ଭାବେ ରହିଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ଘଟି ଶୈକ୍ଷିକ ଓ ସହଶୈକ୍ଷିକ ଦିଗ ଗୁଡିକ ବିକଶିତ ହେଉଥିବା ମତବ୍ୟକ୍ତ କରିଥିଲେ।ସମ୍ମାନୀତ ଅତିଥି ଶ୍ରୀ ମେହେର ପିଏମ୍ ଶ୍ରୀ ସ୍କୁଲର ଆଭିମୁଖ୍ଯ ବିଷୟରେ ବକ୍ତବ୍ଯ ରଖିବା ସହ ଚରିତ୍ର ନିର୍ମାଣ ଦିଗରେ ଥିବା ଶିଶୁର ପ୍ରବୃତ୍ତି ଗୁଡିକ ବୁଝି ତାହାକୁ ବାସ୍ତବ ଜୀବନରେ କ୍ରିୟାଶୀଳ କରିବାକୁ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ସଚେତନ ହେବାକୁ ପଡିବ ବୋଲି କହିଥିଲେ।
ପୁଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁନା ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଗଠନରେ ବାପା ମାଙ୍କ ଭୂମୀକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ସ୍ବାଇଁ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଖୁବ ମନୋରମ ବୋଲି କହିବା ସହ ଏହି ଅନୁଷ୍ଠାନର ବିକାଶ ପାଇଁ ସମସ୍ତ ଅଭିଭାବକ ଯୋଡି ହୁଅନ୍ତୁ ବୋଲି କହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ବିକାଶ ସାହୁ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ବର୍ଷାରାଣୀ ସାହୁ। ଏହି ଅବସରରେ ଦ୍ବିତୀୟ ସମାପ୍ତି ସୂଚକ ଆକଳନରେ ପ୍ରଥମ ହୋଇଥିବା ଛାତ୍ରଙ୍କ ସମେତ ପୂର୍ବ ରୁ ଆୟୋଜିତ ନୃତ୍ଯ,କୁଇଜ,ପ୍ରବନ୍ଧ ଓ ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ର ନୈତିକ ଦାସ ଓ ଶୁଭମ ପଣ୍ଡାଙ୍କ ଦ୍ବାରା ମଂଚ ସଂଚାଳନ ମାଧ୍ୟମରେ ଛାତ୍ରମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯଙ୍କ ପ୍ରତ୍ୟକ୍ଷ ସହଯୋଗ ଦ୍ବାରା ଏହି ବାର୍ଷିକୋତ୍ସବ ଧୂମ୍ ଧାମ ସହକାରେ ପାଳିତ ହୋଇଥିଲା।
Recent Comments