logo
add image
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା,ଅଭିଯୁକ୍ତକୁ ୨୦ବର୍ଷ ଜେଲ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା,ଅଭିଯୁକ୍ତକୁ ୨୦ବର୍ଷ ଜେଲ

କନ୍ଧମାଳ/୦୨/୦୫/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୭ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବଉଳଝୋଲି ଗ୍ରାମର ସମୀର ପାତ୍ର ।
ସୂଚନା ମୁତାବକ, ଜି ଉଦୟଗିରି ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ଅଭିଯୁକ୍ତ ସମୀର ତାଙ୍କ ପାଖରେ କାମ କରୁଥିଲେ । ୨୦୧୮ ମସିହାରେ ନାବାଳିକାଙ୍କ ବାପା ନିଖୋଜ ହୋଇ ଯାଇଥିଲେ । ଏହାପରେ ସମୀର ତାଙ୍କ ବ୍ୟବସାୟ ସମ୍ଭାଳୁଥିଲେ। ସେହିବର୍ଷ ମେମାସ ୧୩ ତାରିଖ ଦିନ ପୀଡିତାଙ୍କ ମା ଭଞ୍ଜନଗର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ ଏବଂ ପୀଡିତା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକାଙ୍କୁ ବାପାଙ୍କୁ ଖୋଜିବା ପାଇଁ ଯିବା କହି ଡାକି ନେଇଥିଲେ । ଯିବା ବେଳେ ସାଙ୍ଗରେ ଘରେ ଥିବା ୧୮ ହଜାର ଟଙ୍କା ଓ ଅଳଙ୍କାର ନେଇ ଯାଇଥିଲେ । ନାବାଳିକାଙ୍କୁ ନେଇ ଫେରାର ହୋଇଯିବା ସହିତ ତାଙ୍କୁ ବିଭିନ୍ନ ସ୍ଥାନରେ ରଖିଥିଲେ । ଏହି ସମୟ ମଧ୍ୟରେ ସେ ପୀଡିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ମାଆ ଘରକୁ ଫେରି ଝିଅକୁ ନ ପାଇବାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।
ଏହାପରେ ସେ ୧୬ ତାରିଖରେ ଜି.ଉଦୟଗିରି ଥାନାରେ ଏତଲା ଦେଇଥିଲେ । ପୋଲିସ କେଶ ନଂ.୪୧/୧୮ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ପ୍ରାୟ ଦୁଇମାସ ପରେ ସେମାନଙ୍କୁ ପୋଲିସ ଉଦ୍ଧାର କରିଥିଲା । ତେବେ ଶୁକ୍ରବାର ଏହି ମାମଲାର ବିଚାର କରି ପୋକସୋ କୋର୍ଟ ବିଚାରପତି ରାଜେଶ ଦାଶ ୧୧ ଜଣ ସାକ୍ଷୀ ଓ ପୀଡିତାଙ୍କ ବୟାନ ସହିତ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ମାମଲାଟିକୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

Recent Comments

Leave Comments

Top