logo
add image
ରାୟଗଡା: ଶିଶୁ କଲ୍ୟାଣ କମିଟିର ୪ଜଣ ନିଲମ୍ବିତ

ରାୟଗଡା: ଶିଶୁ କଲ୍ୟାଣ କମିଟିର ୪ଜଣ ନିଲମ୍ବିତ

ରାୟଗଡା/୦୫/୦୫/୨୦୨୫/(ଆଧାର ମିଡ଼ିଆ//)-ଏକ ନଅଦିନର ଶିଶୁକନ୍ୟା ସହ ଜଡିତ ମାମଲାରେ ସନ୍ଦେହ ଘେରରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି I ଉକ୍ତ ମାମଲା ଆଧାରରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟିର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି I ମାମଲାକୁ ଗମ୍ଭୀରତାର ସହ ଗ୍ରହଣକରି ନିଜର ଶକ୍ତ ଆଭିମୁଖ୍ୟ ଜାହିର କରିଛନ୍ତି ରାଜ୍ୟ ସରକାର I
ଘଟଣାକ୍ରମେ ନଅଦିନର ଏକ ଶିଶୁକନ୍ୟା ସହିତ ଜଡିତ ଅବୈଧ ପୋଷ୍ୟସନ୍ତାନ ଗ୍ରହଣ ମାମଲାର ତଦନ୍ତପରେ ଓଡ଼ିଶା ସରକାର ରାୟଗଡ଼ା ଶିଶୁ କଲ୍ୟାଣ କମିଟିର ୩ଜଣ ସଦସ୍ୟ ସମେତ ଅଧକ୍ଷଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ବିଷୟ ବର୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛିI ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୧ ମଇ, ୨୦୨୫ର ପତ୍ର ସଂଖ୍ୟା ୧୦୯୧୦, ୧୦୯୦୨,୧୦୯୩୪ ଏବଂ ୧୦୯୨୬ ମାଧ୍ୟମରେ ଏହି ନିଲମ୍ବନ ଆଦେଶକୁ ମହାମହିମ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଜାରି କରାଯାଇଥିବା କୁହାଯାଉଥିବା ବେଳେ ଜିଲ୍ଲା ଶିଶୁ କଲ୍ୟାଣ କମିଟିପାଇଁ ଏହା ଏକ ଶକ୍ତଝଟକା ବୋଲି ଚର୍ଚ୍ଚା ହେଉଛିI ରାୟଗଡା ଶିଶୁ କଲ୍ୟାଣ କମିଟି ଦ୍ୱାରା ଶିଶୁ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟିସବୁ ତଦନ୍ତ ପ୍ରକ୍ରିୟାରେ ଜଣାପଡିବା ପରେ ସରକାରଙ୍କ ତରଫରୁ ଏହି କଠୋର ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି I
ପ୍ରକାଶ ଥାଉକି ଆନ୍ଧ୍ରପ୍ରଦେଶର ଏକ ଦମ୍ପତିଙ୍କୁ ବେଇଆଇନ ଭାବେ ଶିଶୁ ସନ୍ତାନ ହସ୍ତାନ୍ତର କରାଯାଇଥିବା ବିଷୟ ସାମ୍ନାକୁ ଆସିଥିଲାI ଏହିଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ପାରୁଲ ପଟୱାରୀ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରେ ବହୁ ଅନିୟମିତତା ଥିବା ବିଷୟ ସାମ୍ନାକୁ ଆସିଥିଲା I
ବିଶେଷ ସୂତ୍ରରୁ ପ୍ରାପ୍ତତଥ୍ୟ ଆଧାରରେ ଏହି ମାମଲାରେ ପାଞ୍ଚଦିନ ଧରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ କରିବାରେ ଶିଶୁ କଲ୍ୟାଣ କମିଟିର ବିଫଳତା, ତା ୧୧. ୧୨. ୨୦୨୪ ର ଏକ ଅଣପଞ୍ଜିକୃତ ପୋଷ୍ୟ ସନ୍ତାନ ଗ୍ରହଣ ପତ୍ର ପାଇବା ସତ୍ତ୍ୱେ ନିଷ୍କ୍ରିୟତା ଅବଲମ୍ବନ କରିବା ଏବଂ ବେଆଇନ ଦଲିଲ ପ୍ରସ୍ତୁତ କରିବାରେ ସମ୍ପୃକ୍ତ ନୋଟାରୀ ଏବଂ ଆଇନଯିବିଙ୍କ ଭୂମିକା ପ୍ରତି ଅବହେଳା ଆଦି ଅନେକ ଗୁଡିଏ ଅନିୟମିତତା ବିଷୟ ତଦନ୍ତରେ ସାମ୍ନାକୁ ଆସିଥିଲା। ଏହିଭଳି ଅନିୟମିତତା ସବୁ ଜଣାପଡିବା ପରେ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ତା୧୫. ୧୨. ୨୦୨୪ରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଥିଲା। ତେଵେ ଅଧକ୍ଷଙ୍କ ବ୍ୟତୀତ ଅନ୍ୟ କେହି କାରଣ ଦର୍ଶାଅ ନୋଟିସର ଜବାବ ରଖିବାରେ ବିଫଳ ହୋଇଥିଲେ I ତେଵେ ଉତ୍ତର ସନ୍ତୋଷ ଜନକ ନଥିବା କାରଣରୁ ଏଭଳି ସମ୍ବେଦନଶୀଳ ମାମଲାରେ ଅବହେଳା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ କମିଟିକୁ ଭଙ୍ଗ କରାଯିବା ପାଇଁ କୁଆଡେ ସୁପାରିଶ କରାଯାଇଥିବା କୁହାଯାଉଛି I ଯାହାର ପରିଣାମ ସ୍ୱରୂପ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ସଦସ୍ୟ ଶ୍ରୀ ଗାଗାରିନ୍ ସବର, ପ୍ରିୟଦର୍ଶିନୀ ମହାକୁଲ, କୈଳାସ ଚନ୍ଦ୍ର ପାଳଙ୍କ ସମେତ ଅଧକ୍ଷ ବିଦୁଲତା ହୁଇକା ଙ୍କୁ ମଧ୍ୟ ନିଲମ୍ବନ ସକାଶୁ ଆଦେଶ ଜାରିକରାଯାଇଥିବା କୁହାଯାଉଛି I
ଏହି ମାମଲାର ତଦନ୍ତ ରିପୋର୍ଟରେ ସନ୍ତୋଷ ପ୍ରକାଶ କରି ଜିଲ୍ଲା ଶିଶୁ କଲ୍ୟାଣ କମିଟିର ପ୍ରସ୍ତୁତିର ଅଭାବ,ଶିଶୁ କଲ୍ୟାଣ କମିଟି ପ୍ରୋଟୋକଲର ଅପର୍ଯ୍ୟାପ୍ତ ଜ୍ଞାନ ଏବଂ ଦୁର୍ବଳ ଓ ସଂକଟାଗ୍ରସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବାରେ ବିଫଳତା, ଅବହେଳା ଆଦି ପାଇଁ ବହିଷ୍କାର କରାଯାଇଥିବା ଜଣାପଡିଛି I ରାଜ୍ୟ ସରକାର ଏହି ସମସ୍ତ ଚାରିଜଣଙ୍କୁ ଶିଶୁ କଲ୍ୟାଣ କମିଟି ସହ ଜଡିତ ସମସ୍ତ ରେକର୍ଡ ଆଦି ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ପତ୍ରଯୋଗେ ନିର୍ଦ୍ଦେଶ ଜାରିକରିଥିବା ଜଣାପଡିଛି। ଏହି ଘଟଣା ଜିଲ୍ଲାରେ ଶିଶୁ କଲ୍ୟାଣ ପ୍ରକ୍ରିୟାର ତଦାରଖ, ଶିଶୁ କଲ୍ୟାଣ କମିଟିର କାର୍ଯ୍ୟଶୈଳୀ ଓ ଦୋଷ ଦୁର୍ବଳତାକୁ ଉଜାଗର କରିଥିବା କୁହାଯାଉଛି I

Recent Comments

Leave Comments

Top