ଗୁଣୁପୁର/ରାୟଗଡା,୧୩/୦୫(ଆଧାର ମିଡ଼ିଆ)ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ଠାରେ ଥିବା ଜିଲ୍ଲାର ଏକମାତ୍ର ବାଳକ ଶିଶୁଯତ୍ନ ଅନୁଷ୍ଠାନ ବାଳ ନିକେତନ ପରିସରରେ ଆଜି ଏହାର ୪୬ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ସଭାପତି ଏଲ ସୁରେଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ କିରଣଦିପ କୌର ସହେତା ଯୋଗଦେଇ ପିଲାମାନେ ବିଭିନ୍ନ ମହାପୁରୁଷ ଙ୍କ ଜୀବନୀ ଅଧ୍ୟୟନ କରି ଉତ୍ତମ ଚରିତ୍ର ଓ ସୁନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଗ୍ରଣୀ କୃଷିବିତ କୃଷ୍ଣ ପ୍ରସାଦ ବେବର୍ତ୍ତା, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ବେଦାନ୍ତ ଆଶ୍ରମ ର ନଳିନୀ ଗୁରୁଜୀ,ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ,ସେବା ସମାଜର ସମ୍ପାଦିକା ରାଜେଶ୍ୱରୀ ଦଳେଇ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ର ଇତିହାସ ଓ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ।ଅନୁଷ୍ଠାନ ର ପୁରାତନ ଛାତ୍ର ଯେଉଁମାନେ କି ବିଭିନ୍ନ ସରକାରୀ ପଦ ପଦବୀରେ ନିଯୁକ୍ତି ପାଇଛନ୍ତି ସେମାନେ ଉପସ୍ଥିତ ରହି ଅନୁଭୂତି ବଖାଣିବା ସହ ବର୍ତ୍ତମାନ ଅନ୍ତେବାସୀ ଙ୍କୁ ଉତ୍ତମ ଛାତ୍ର ଭାବରେ ପରିଗଣିତ ହେବା ପାଇଁ ଉତ୍ସାହିତ କରିଥିଲେ । ପୁରାତନ ଛାତ୍ର ବିଜୟନନ୍ଦ ଆନିମ, ଦାମୋଦର କୈବର୍ତ୍ତ, ଦିଲେଶ୍ବର ଶବର, ପବିତ୍ର ଶବର, ମୂରଲୀ ଶବର, ରାଜୁ ଶବର, ଖତୁ ଶବର ପ୍ରମୁଖ ଅନୁଷ୍ଠାନ ର ଅବଦାନ ଯୋଗୁଁ ଆଜି ଆମେ ବିଭିନ୍ନ ନିଯୁକ୍ତି ସୁଯୋଗ ପାଇଛୁ ଆଜିର ଏହି କାର୍ଯ୍ୟକ୍ରମ ରେ ଆମେ ଗର୍ବିତ ବୋଲି କହିଥିଲେ।ଜୀବନ ବ୍ୟାପି ତ୍ୟାଗ ଓ ସେବା ଯୋଗାଇ ଦେଇଥିବାରୁ ଅନୁଷ୍ଠାନ ପ୍ରତିଷ୍ଠାତା ବାଞ୍ଛାନିଧି ମହାନ୍ତି ଙ୍କୁ ଉପ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ।ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପିଲାଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପରିଚାଳନା କମିଟିର ସଦସ୍ୟ, ଅନ୍ତେବାସୀ ଙ୍କ ଅବିଭାବକ, କର୍ମଚାରୀ ମାନେ ଯୋଗ ଦେଇଥିଲେ।ଅନୁଷ୍ଠାନ ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments