logo
add image
ଆନ୍ତଃଜିଲ୍ଲା ସାହାଣୀକପ୍‌ ଫୁଟ୍‌ବଲ୍‌ ଚାମ୍ପିଆନସିପରେ-ସମ୍ବଲପୁରକୁ ହରାଇ କଟକବିଜୟୀ

ଆନ୍ତଃଜିଲ୍ଲା ସାହାଣୀକପ୍‌ ଫୁଟ୍‌ବଲ୍‌ ଚାମ୍ପିଆନସିପରେ-ସମ୍ବଲପୁରକୁ ହରାଇ କଟକବିଜୟୀ

ବୌଦ୍ଧ/୧/୮/୨୦୨୫/(ଆଧାର ମିଡ଼ିଆ)-ଓଡିଶା ଫୁଟବଲ ଆସୋସିଏସନ ଓ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ବିଭାଗ ସହାୟତାରେ ବୌଦ୍ଧଜିଲ୍ଲା ଏଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ବୌଦ୍ଧ ଜୋନ୍‌ ସ୍ତରୀୟ ୬୪ତମ ଆନ୍ତଃ ଜିଲ୍ଲା ସାହାଣୀ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ଫାଇନାଲ ମ୍ୟାଚ ସମ୍ବଲପୁର ଓ କଟକ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି  ।ଏହି ଫାଇନାଲ ମ୍ୟାଚରେ କଟକ ସମ୍ବଲପୁରକୁ ୧-୦ ଗୋଲ୍‌ରେ ହରାଇ ବିଜୟୀ ହୋଇଛି  ।
ଆଜିର ପ୍ରଥମ ଫାଇନାଲ ମ୍ୟାଚରେ ମୂଖ୍ୟ ଅତିଥି ଭାବେ ଶିଳ୍ପ,ଦକ୍ଷତା ବିକାଶ,ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଅନଗୁଳ ବିଧାୟକ ପ୍ରତାପ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ, ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଫାଓ ଯୁଗ୍ମ ସଂପାଦକ ଅଭିଜିତ ପାଲ,ଫାଓ ଉପ ସଭାପତି ସହଦେବ ରାଉତ, ଫାଓ ଉପ ସଭାପତି ବିଶ୍ୱରଂଜନ ଘଡ଼ାଇ, ଫାଓ କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ସମ୍ବଲପୁର ଏଥେଲେଟିକ ଆସୋସିଏସନ ସମ୍ପାଦକ ସୁନୀଲ ସାହୁ, ଭଦ୍ରକ ଏଥେଲେଟିକ ଆସୋସିଏସନ ସମ୍ପାଦକ ଧିରେନ ପଲେଇ, ଫୁଲବାଣୀ ଏଥେଲେଟିକ ଆସୋସିଏସନ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ  । 
ଆଜିର ମ୍ୟାଚ ଆରମ୍ଭର ୨୦ ମିନିଟ୍‌ରେ କଟକର ପରାଓ ତୁଡୁ ଗୋଟିଏ ଗୋଲ୍‌ ଦେଇଥିଲେ । ଦ୍ୱିତୀୟାର୍ଦ୍ଧରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ଥିବାବେଳେ କେହି କାହାରିକୁ ଗୋଲ୍‌ ଦେଇନଥିଲେ ।ଫଳରେ କଟକ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା  । ଆଜିର ମ୍ୟାଚରେ ମୁଖ୍ୟ ରେଫରୀ ଭାବେ ଆଶୀର୍ବାଦ କାନୁନଗୋ ପରିଚାଳନା କରିଥିବାବେଳେ ଲାଇନରେ ଅରୁଣ ନାୟକ ଓ ଶଶିକାନ୍ତ ଦାସିଆ ସହାୟତା କରିଥିଲେ  ।ଚତୁର୍ଥ ରେଫରୀ ଭାବେ ସଲିଳ କୁମାର ବେହେରା ଦାୟିତ୍ୱ ତୁଲାଇଥିଲେ । ବୌଦ୍ଧ ଜିଲ୍ଲା ଏଥଲେଟିକ ଆସୋସିଏସନ ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ଓ ଉପସଭାପତି ଲମ୍ବୋଦର ପୁରୋହିତ, ସନ୍ତୋଷ ଟ୍ରଫି ଖେଳାଳୀ ସତ୍ୟପ୍ରକାଶ ଦାଶ ଅତିଥି ମାନଙ୍କ ସହିତ ମଞ୍ଚାସୀନ ଥିଲେ  ।
ଫାଇନାଲ ମ୍ୟାଚରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା କଟକର ଗୋଲକିପର ସଞ୍ଜୟ ହେମ୍ରମଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ରାକେଶ ଓରାମଙ୍କୁ ମହେଶ ମେମୋରିଆଲ ବେଷ୍ଟ ଡିଫେଣ୍ଡର ଟ୍ରଫିଦେଇ ପୁରସ୍କୃତ କରାଯାଇଥିଲା  । ଅତିଥି ମାନେ ଉଭୟ ବିଜେତା କଟକ ଓ ଉପବିଜେତା ସମ୍ବଲପୁର ଦଳକୁ ଟ୍ରଫି ପ୍ରଦାନ କରିଥିଲେ  । ଆଜିର ପ୍ରଥମ ଫାଇନାଲ ମ୍ୟାଚରେ ମ୍ୟାଚ କମିଶନର ଭାବେ ଦୁର୍ଗାମାଧବ ନାୟକ ଖେଳ ପରିଚାଳନା କରିଥିଲେ  ।
ଏହି ଅବସରରେ ପୂର୍ବତନ ଫୁଟବଲ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଏଥଲେଟିକ ଆସୋସିଏସନର କର୍ମକର୍ତ୍ତା ଏବଂ ବୌଦ୍ଧର ଅବସରପ୍ରାପ୍ତ ଫୁଟବଲ୍ ଖେଳାଳୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା  । ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ ଦେଖିବାକୁ ବୌଦ୍ଧ ତଥା ଆଖପାଖ ଜିଲ୍ଲାରୁ ୨୦ ହଜାରରୁ ଉର୍ଦ୍ଧ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ । ଜିଲ୍ଲା ଏଥଲେଟିକ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସାହାଣି କପ୍‌ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଥିଲେ  ।

Recent Comments

Leave Comments

Top