ଜମନକିରା/ସମ୍ବଲପୁର /୯/୮୨୦୨୫/(ଆଧାର ମିଡ଼ିଆ): ଜମନକିରା ତହସିଲ ଅଧୀନ ଖଇରଡିହି ମୌଜା ଉପର ମୁଣ୍ଡରେ ଭାଦେଲବସା ନାଳ ପ୍ରବାହିତ ହେଉଛି। ଦୀର୍ଘବର୍ଷ ତଳେ ଭାଦେଲବସା ନାଳରେ କ୍ଷୁଦ୍ର ଜଳସେଚନ ବିଭାଗପକ୍ଷରୁ ଏକ ଚେକ୍ ଡେମ୍ ନିର୍ମାଣପରେ ଖଇରଡିହି ଗାଁ ସମେତ ଜମନକିରା ମୌଜାର ପ୍ରାୟ ୫ ଶହ ଏକର ଜମିକୁ ଜଳସେଚନ ହେଉଥିଲା। ଖଇରଡିହିରୁ ଜମନକିରା ପର୍ଯ୍ୟନ୍ତ ଚେକ ଡେମରୁ ତଳମୁଣ୍ଡ ଚାଷଜମିକୁ ଶାଖା କେନାଲ ମାଧ୍ୟମରେ ଜଳସେଚିତ ହେଉଥିଲା। କିନ୍ତୁ କ୍ଷୁଦ୍ରଜଳ ସେଚନ ବିଭାଗ ( ଏମ୍ ଆଇ)ପକ୍ଷରୁ ପ୍ରତିବର୍ଷ ମୁଖ୍ୟ କେନାଲ ସାଙ୍ଗକୁ ଶାଖା କେନାଲ ସବୁ ମରାମତି ତଥା ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତାର ମୂଳଅସ୍ତିତ୍ବ ହରାଇବାକୁ ବସିଲାଣି। ମୁଖ୍ୟ କେନାଲ ଏବଂ ଶାଖା କେନାଲ୍ ବିଭିନ୍ନ କାରଣରୁ ଭାଙ୍ଗିରୁଜି ଯିବାରୁ ଜମିକୁ ଆଦୌ ପାଣି ମାଡ଼ିପାରୁ ନାହିଁ।
ବର୍ତ୍ତମାନ ପରିସ୍ଥିତିରେ ଚାଷକାର୍ଯ୍ଯ କରିଥିବା ଅଧିକାଂଶ ଜମି ମାଟି ଫାଟି ଆଁ କଲାଣି। ଖଇରଡିହି- ଜମନକିରା ମୁଖ୍ୟ କେନାଲ ଭାଙ୍ଗି ଯାଇଥିବାରୁ ପ୍ରାୟ ୫ ଶହ ଏକର ଚାଷଜମି ଶୁଖିଲାପଡ଼ିଛି। ପ୍ରାୟ ୩ ବର୍ଷହେଲା ଏହି ଚାଷଜମି ଜଳସେଚିତ ହୋଇପାରୁ ନାହିଁ ବୋଲି ଚାଷୀ ନେତା ଅର୍ଜୁନ ମୋହନ୍ ପଧାନ କହିଛନ୍ତି। । ଆଜକୁ ୩ ବର୍ଷ ହେବ କେନାଲ ମରାମତି ପାଇଁ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଚାଷୀବୃନ୍ଦ ଅଭିଯୋଗ କରି ଆସୁଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଏସମ୍ପର୍କରେ କୁଚିଣ୍ଡା ବିଧାୟକ ତଥା ପଞ୍ଚାୟତିରାଜ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।
ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ଦେଲେନାହିଁ। ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କଲେ ବିଭାଗ ନିଶ୍ଚିତ ପଦକ୍ଷେପ ନେବ ଏହି ଆଶା ମଉଳିଗଲା। ଏହାର ବିକଳ୍ପ ବ୍ୟବସ୍ଥା ନିଜେ ନକଲେ ଏ ବର୍ଷ ମଧ୍ଯ ଚାଷକାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କାରେ ସଭିଏଁ କଥାବାର୍ତ୍ତା ହୋଇ କେନାଲ ମରାମତି ପାଇଁ ନିଷ୍ପତ୍ତି ନେଲେ। ଆଜି ଚାଷୀ ନେତା ସୁନୀଲ ପଧାନଙ୍କ ନେତୃତ୍ୱରେ ନିରାକାର ମହାକୁଲ, ମହାଦେବ ରଣା, ଭାସ୍କର ରଣା, ଶ୍ୟାମସୁନ୍ଦର ସାହୁ, ଗୋବିନ୍ଦ ପଧାନ, ସରୋଜ ସାହୁ, ରଞ୍ଜିତ ଦେହୁରୀ, ଅଜିତ୍ ପଧାନ, ଗଣେଶ ରଣା, ସନ୍ତୋଷ ମହାକୁଲ୍ ଓ ଗୁଣନିଧି ସାହୁ ପ୍ରମୁଖ ଶାଖା କେନାଲ ମରାମତି କରିଥିଲେ।
ପ୍ରତି ବର୍ଷ ଜଳକର ନଦେଲେ ବିଭିନ୍ନ ରାଜସ୍ବ ମାମଲାକୁ ଅଧିକାରୀ ଖାରଜ କରୁଥିବା ବେଳେ ଏପଟେ ଜଳକର ବାବଦକୁ ଟଙ୍କା ଗଣି ଚାଷୀଭାଈ ଠିକ୍ ସମୟରେ ଜଳସେଚନ ପାଇଁ ପାଣି ବୁନ୍ଦାଏ ପାଇ ପାରୁନାହୁଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏସଂପର୍କରେ ବୁଧବାର କୁଚିଣ୍ଡା ସ୍ଥିତ କ୍ଷୁଦ୍ର ଜଳସେଚନ ଅଫିସ୍ କୁ ଯାଇ ପଚାରିବାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୌଦାମିନୀ କିସାନ ମାସକୁ ପ୍ରାୟ ୫/୬ ଦିନ ଅଫିସ୍ କୁ ଆସିଥାନ୍ତି ବୋଲି କହିଥିଲେ। ସେ ସମ୍ବଲପୁର ଏବଂ କୁଚିଣ୍ଡା ଅଫିସ୍ ଦୁଇ ଗୋଟି ଦାୟିତ୍ୱରେ ଥିବାରୁ ତାଙ୍କୁ ଏଠାରେ ଭେଟିବା ଆଶା କ୍ଷୀଣ ବୋଲି ସୂଚନା ଦିଆଯାଇଥିଲା। ତାଙ୍କ ବ୍ୟକ୍ତିଗତ ମୋବାଇଲ୍ ନମ୍ବର୍ କୁ ଦୁଇଥର କଲ୍ କରିବାରୁ ରିଙ୍ଗ ହୋଇ ସୁଦ୍ଧା ଉଠାଇଲେ ନାହିଁ।
Recent Comments