ରେଢ଼ାଖୋଲ/ସମ୍ବଲପୁର/ ୧୪/୦୮/୨୦୨୫/(ଆଧାର ମିଡ଼ିଆ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟି ଦେଉଳ ବ୍ଲକ ଅଧୀନ ଘୋଷରାମାଳ ଗ୍ରାମ ପଞ୍ଚାୟତ ବାସୀ ମୋବାଇଲ ସେବା ନେଟୱାର୍କ ପାଇ ପାରୁ ନଥିବାରୁ ଗୁରୁବାର ଦିନ ରେଢ଼ାଖୋଲ ସହରର ସ୍ଥାନୀୟ କଲେଜ ଛକ ନିକଟରେ ୫୫ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଘୋଷରାମାଳ ପଞ୍ଚାୟତ ଏବଂ ପଞ୍ଚାୟତର ପ୍ରାୟ ୨୦ ଟି ଗାଁରେ ଗ୍ରାମବାସୀ ମାନେ ମୋବାଇଲ ସେବାରୁ ବଞ୍ଚିତ ରହିଛନ୍ତି। ପଞ୍ଚାୟତର ଲାଣ୍ଡିମାଲ ଗାଁରେ ଏକ ବିଏସଏନଏଲ ଟାୱାର ରହିଛି। କିନ୍ତୁ ଟାୱାରଟି କାର୍ଯ୍ୟକ୍ଷମ ହେଉ ନଥିବାରୁ ବିଭାଗୀୟ ଅଧିକାରୀ ତଥା ପ୍ରଶାସନ ଅଧିକାରୀ ମାନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଜଣାଇବା ସତ୍ୱେ ଗ୍ରାମବାସୀ ମାନଙ୍କ ଅଭିଯୋଗକୁ ଅଧିକାରୀ ମାନେ କର୍ଣ୍ଣପାତ କରିନଥିଲେ। ତେଣୁ ବାଧ୍ୟହୋଇ ଶତାଧିକ ସଂଖ୍ୟାରେ ପଞ୍ଚାୟତ ବାସୀ ଆଜି ରେଢ଼ାଖୋଲ ଆସି ଜାତୀୟ ରାଜପଥ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ।
ଘଟଣା ସ୍ଥଳକୁ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଏସଡ଼ିପିଓ ପ୍ରଶାନ୍ତ କୁମାର ମେହେର, ଥାନା ଅଧିକାରୀ ଚନ୍ଦ୍ର ମୋହନ ସିଂ ପହଞ୍ଚି ଗ୍ରାମବାସୀ ମାନଙ୍କୁ ସହିତ ବୁଝାସୁଝା କରିବା ସହିତ ଆଲୋଚନା କରିଥିଲେ । ଏହା ସହ ବିଏସଏନଏଲ ଅଧିକାରୀ ସହିତ ଅନ୍ୟ ପ୍ରଶାସନ ଅଧିକାରୀ ମାନେ ଗ୍ରାମବାସୀ ମାନଙ୍କ ସହିତ ମୋବାଇଲ ସେବା ଯୋଗାଇ ଦେବାକୁ ଘୋଷରାମାଳ ପଞ୍ଚାୟତକୁ ଯିବା ସହିତ ମୋବାଇଲ ସେବା ଦେବାକୁ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ଦିନ ୧୨ ଟା ୩୦ ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ଏହି ରାସ୍ତା ଅବରୋଧରେ ଉତ୍ୟକ୍ତ ଗ୍ରାମବାସୀ ମାନେ ମୋବାଇଲ ସେବା ଯୋଗାଇବାରେ ସରକାର ପ୍ରଶାସନ ବିଫଳ ହେଉଥିବାରୁ ନାରାବାଜି କରି ଲୋକେ ସେମାନଙ୍କ ମୋବାଇଲ ଗୁଡିକୁ ରାଜରାସ୍ତାରେ କଚାଡି ଭାଙ୍ଗିଦେଇ ଅଭିନବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା l
Recent Comments