ନିମାପଡ଼ା/ପୁରୀ/ଗତକାଲି/୦୭/୦୯/୨୫/(ଆଧାର ମିଡ଼ିଆ)-ନିମାପଡ଼ା କଲେଜ ସମ୍ମିଳନୀ କକ୍ଷରେ,ମାନନୀୟା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଗୁରୁ 'ପୂଜ୍ୟପୂଜା ସମାରୋହ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନିମାପଡ଼ାରେ ପ୍ରଥମ ଥରପାଇଁ ଅନୁଷ୍ଠିତ ହୋଇଥିବା ଏହି ଅଦ୍ଭୁତ କାର୍ଯ୍ୟକ୍ରମରେ ପ୍ରଜ୍ଞା ଓ ଶ୍ରଦ୍ଧାର ଅପୂର୍ବ ମିଳନ ଘଟିଥିଲା। ଏହି ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନିମାପଡ଼ା ଅଞ୍ଚଳର ପାଖାପାଖି ୨୦୦ ପ୍ରମୁଖ ଅବସରପ୍ରାପ୍ତ ଗୁରୁ-ଗୁରୁମାତା ମାନଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କୁ ଗୁରୁସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ପ୍ରଜ୍ଞାବନ୍ତ ମନୀଷୀ ମାନଙ୍କର ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ଉନ୍ନତି ପାଇଁ ଯୋଗଦାନ ଉପରେ ଆଲୋକପାତ କରିଥିଲେ ମାନନୀୟା ଉପ-ମୁଖ୍ଯମନ୍ତ୍ରୀ।
ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ମାନରେ ଉନ୍ନତି ଶୈକ୍ଷିକ ପରିବେଶର ନିର୍ମାଣ ଓ ବିକାଶ ସହିତ ଏକ ନିଶାମୁକ୍ତ ଶିକ୍ଷିତ ଓ ଆଦର୍ଶ ଛାତ୍ର ସମାଜ ଗଠନ ପାଇଁ ଏହି ଅତି ଅଭିଜ୍ଞତା ସମ୍ପର୍ଣ୍ଣ ବୁଦ୍ଧିଜିବୀ ମଣ୍ଡଳୀଙ୍କ ଠାରୁ ସୁଚିନ୍ତିତ ପରାମର୍ଶ ମାଗିଥିଲେ 'ଅପା'। ଉପସ୍ଥିତ ଅଭିଜ୍ଞ ଶିକ୍ଷକମାନେ ନିଜ ନିଜ ଅଞ୍ଚଳର ଗୌରବମୟ ଇତିହାସ,ସଂସ୍କୃତି,ଆଧ୍ୟାତ୍ମିକ ବୈଶିଷ୍ଟ୍ୟ ଗୁଡ଼ିକୁ ଚିହ୍ନଟ କରିବା ସହିତ ନିମା ପଡ଼ା-ଗୋପ ଅଞ୍ଚଳର ଶୈକ୍ଷିକ ଭିତ୍ତି ସଂରଚନା ନିର୍ମାଣରେ ନିଜର ବିଶାଳ ଅଭିଜ୍ଞତାକୁ ଉପଯୋଗ କରିବା ଉପରେ ନିଜର ମତ ପୋଷଣ କରି ସେମାନଙ୍କ ଠାରୁ ସହଯୋଗ ଆଗ୍ରହ କରିଥିଲେ। ନିମାପଡ଼ା-ଗୋପ ଅଞ୍ଚଳରେ ବିଭିନ୍ନ ଚାକିରି ପ୍ରତ୍ୟାଶୀ, ଉଚ୍ଚ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀ, ଗବେଷକ, ଜିଜ୍ଞାସୁ ମାନଙ୍କ ଉଦ୍ଦେଷ୍ୟରେ ଏକ ଅତ୍ୟାଧୁନିକ କମ୍ପୁଟରାଇଜଡ୍ ଡିଜିଟାଲ୍ ଲାଇବ୍ରେରୀ ନିର୍ମାଣ ବିଚାର ଭିତରେ ଥିବାବେଳେ, ଏହାକୁ ବହୁବିଧ, ସୁବିଧା ଯୁକ୍ତ ଓ ଲୋକାଭିମୁଖୀ କରିବାପାଇଁ,ଏଥିରେ ଅଭିଜ୍ଞ ଶିକ୍ଷକ ମାନଙ୍କ ପରାମର୍ଶ ଓ ସିଧାସଳଖ ଯୋଗଦାନ ଉପରେ ଆଲୋକପାତ କରିଥିଲେ ଶ୍ରୀମତୀ ପରିଡ଼ା। ଅଞ୍ଚଳର ଛାତ୍ରୀଛାତ୍ର ମାନଙ୍କ ପାଇଁ ହେବାକୁଥିବା ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର,ଭୋକେସନାଲ ଟ୍ରେନିଂ ସେଣ୍ଟର,କ୍ୟାରିଅର କାଉନସେଲିଂ ଇତ୍ୟାଦି ଜନୋପକାରୀ କାର୍ଯ୍ୟ ପାଇଁ ଶିକ୍ଷକ ମାନଙ୍କୁ ଆଗାମୀ ଦିନ ମାନଙ୍କରେ ଲିଖିତ ଆକାରରେ ପରାମର୍ଶ ଦେବାପାଇଁ ଆହ୍ଵାନ ଦେଇଥିଲେ ମନ୍ତ୍ରୀ ମହୋଦୟା।
ସର୍ବଶେଷରେ BEO ଅଫିସ ଅଧୀନରେ ଏକ ଅବସର ପ୍ରାପ୍ତ ଶିକ୍ଷକ ଡେସ୍କ ପ୍ରତିଷ୍ଠା, ଯାହା ଅବସରପ୍ରାପ୍ତ ଶିକ୍ଷକ ଗୁରୁ ମାନଙ୍କ ଦରମା, ଗ୍ରେଡ୍ ସହିତ ଅନ୍ୟାନ୍ୟ ବହୁବିଧ ଅବସରକାଳୀନ ସମସ୍ୟା ଗୁଡ଼ିକର ନିରାକରଣ ଦିଗରେ କାର୍ଯ୍ୟକରିବ। ଏହିପରି ସମସ୍ୟା ଗୁଡ଼ିକ ସିଧାସଳଖ ଭାବରେ ସେ ନିଜେ ଦେଖିବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ ମାନନୀୟା ଉପ ମୁଖ୍ୟମନ୍ତ୍ରୀ। ଏକ ଭାବବିହ୍ବଳ ପରିବେଶ ଭିତରେ ସମାପନ ହୋଇଥିଲା ଏହି ବିଦ୍ଵାନସଭା।
Recent Comments