କନ୍ଧମାଳ/୧୩/୦୯/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ପିଲାଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ କନ୍ଧମାଳ ଜିଲ୍ଲାପାଳ ବଡ଼ ପଦକ୍ଷେପ ନେଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବନ କଲେ କନ୍ଧମାଳ ଜିଲ୍ଲାପାଳ । ଘଟଣା ଦିନ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବାରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିଏ ଓ କାହିଁକି ଅଠା ପକାଇଥିଲା ତଦନ୍ତ ଜାରିରହିବ କହିଲେ ଜିଲ୍ଲାପାଳ । ହଷ୍ଚେଲରେ ଶୋଇଥିବା ବେଳେ ପିଲାଙ୍କ ଆଖିରେ ଅଠା ପକାଯାଇଥିଲା । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୭ ଛାତ୍ର ଚିକିତ୍ସାଧୀନ ଥିବାବେଳେ ଜଣେ ଡିସ୍ଚାର୍ଜ ହୋଇଥିବା ଜଣାପଡିଛି।
ସୂଚନାଥାଉକି, ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲେ। ସେବାଶ୍ରମ ହଷ୍ଟେଲ୍ରେ ୪୦ଜଣ ଛାତ୍ର ଓ ୧୦୦ ଜଣ ଛାତ୍ରୀ ରହୁଛନ୍ତି । ଗୁରୁବାର ରାତିରେ ଛାତ୍ରମାନେ ଖାଇସାରି ଶୋଇବା କକ୍ଷକୁ ଯାଇଥିଲେ । ଅଧିକାଂଶ ଛାତ୍ର ଶୋଇଥିଲେ । ଏହି ସମୟରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର କେତେକ ଛାତ୍ର ୮ ଜଣ ସହପାଠୀଙ୍କ ଆଖିପତାରେ ଫେବିକ୍ୱିକ୍ ଅଠାଲଗାଇ ଦେଇଥିଲେ । ଭୋରରୁ ଛାତ୍ରମାନେ ଉଠିବାବେଳକୁ ଆଖି ଖୋଲିନଥିଲା । ସେମାନେ କାନ୍ଦ ବୋବାଳି ପକାଇବାରୁ ଘଟଣା ପଦାକୁ ଆସିଥିଲା । ଶିକ୍ଷକ ଏବଂ ମାଟ୍ରନ୍ ପୂର୍ବାହ୍ନ ପ୍ରାୟ ୯ଟାରେ ପୀଡ଼ିତ ଛାତ୍ରଙ୍କୁ ଗୋଚ୍ଛାପଡ଼ା ମେଡିକାଲ୍ ନେଇଥିଲେ । ସେଠାରେ ଜଣେ ଛାତ୍ରଙ୍କ ଆଖି ଖୋଲି ଯାଇଥିଲା । ଅନ୍ୟ ୭ ଛାତ୍ର ଗୁରୁତର ହୋଇପଡ଼ିଥିଲେ ।
ସଲାଗୁଡ଼ା ସରପଞ୍ଚ ରୋହିତ କହଁର ସେମାନଙ୍କୁ ନିଜ ଗାଡ଼ିରେ ଫୁଲବାଣୀ ଜିଲ୍ଲା ହସ୍ପିଟାଲ୍ ନେଇଥିଲେ । ବିଭାଗୀୟ ଅଧିକାରୀଙ୍କ ସହ ଫୁଲବାଣୀ ବିଧାୟକ ଉମାଚରଣ ମଲିକ ହସ୍ପିଟାଲ୍ରେ ପହଞ୍ଚି ଅସୁସ୍ଥ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ । ସମସ୍ତ ଛାତ୍ରଙ୍କ ଆଖିଖୋଲି ଯାଇଥିବା ବେଳେ ଆଖିରେ ଯନ୍ତ୍ରଣା ଓ ଫୁଲା ରହିଛି। ସ୍କୁଲ୍ରେ ପ୍ରଧାନ ଶିକ୍ଷକ ରାତିରେ ରହୁ ନଥିବାରୁ ଏଭଳି ସାଙ୍ଘାତିକ ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଥିଲା । ତାଙ୍କୁ ଏଠାରୁ ତୁରନ୍ତ ବଦଳି ନ କରାଗଲେ ପଞ୍ଚାୟତବାସୀ ସ୍କୁଲ୍ରେ ତାଲା ପକାଇବେ ବୋଲି ସରପଞ୍ଚ ରୋହିତ କହିଛନ୍ତି ।
ଜିଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ରଖି ଚିକିତ୍ସା କରାଯାଉଛି। ଆବଶ୍ୟକ ପଡିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ପାଇଁ ବାହାରକୁ ପଠାଯିବ ।ସେପଟେ ଶନିବାର ସକାଳୁ ଗ୍ରାମବାସୀ ଏବଂ ଅଭିଭାବକ ବିଦ୍ୟାଳୟକୁ ଘେରାଉ କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ଜିଲ୍ଲା ମଙ୍ଗଳ ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ଅନ୍ୟ ପକ୍ଷରେ ଘଟଣା ଘଟିବା ଠାରୁ ପ୍ରଧାନ ଶିକ୍ଷକଙ୍କ ଦେଖା ମିଳୁ ନଥିବା କହୁଛନ୍ତି ଗ୍ରାମବାସୀ। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
Recent Comments