ପୁରୀ/୧୫/୦୯/୨୫/:(ଆଧାର ମିଡ଼ିଆ)- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ପରିସରରେ ଆଜି ନୂତନ ଶ୍ରେଣୀଗୃହ, ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା ଏବଂ ଇନ୍ ଡୋର ଷ୍ଟାଡିଅମର ଶୁଭ ଉଦଘାଟନ ମାନ୍ୟବର ସାଂସଦ ଡ଼ଃ ସମ୍ବିଦପାତ୍ର,ପୁରୀ ଏବଂ ସତ୍ୟବାଦୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ରଙ୍କ କର କମଳରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ନିର୍ମିତ ହୋଇଥିବା ପ୍ରକଳ୍ପଗୁଡିକ ଅନୁଷ୍ଠାନର ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ସ୍ତରରେ ସମର୍ଥ ପ୍ରତିଦ୍ବନ୍ଦୀ ହେବାପାଇଁ ସ୍ବପ୍ନ ଦେଖିବାକୁ ପ୍ରେରଣା ଦେବ ଏବଂ ତଦସହିତ ଅନୁଷ୍ଠାନରେ ସମର ଶିକ୍ଷାର୍ଥୀ ବାହିନୀ ଖୋଲିବା ଇନ୍ ଡୋର ଷ୍ଟାଡିଅମରେ ଆବଶ୍ୟକ ଅତ୍ୟାଧୁନିକ ସାଉଣ୍ଡ ସିଷ୍ଟମ ଇନ୍ ଡୋର ଷ୍ଟାଡିଅମ ତଥା ଶ୍ରେଣୀଗୃହକୁ ଶୀତତାପ ନିୟଂତ୍ରଣ ସଂଯୋଗୀ କରଣ, ଦୁଇ ହଜାର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡ଼ଃ ସମ୍ବିଦ ପାତ୍ର ପ୍ରତିଶୃତି ଦେଇଥିଲେ।
ଉତ୍ସବର ସମ୍ମାନୀତ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମିଶ୍ର ଅନୁଷ୍ଠାନର ଖେଳପଡିଆକୁ ଓଡିଶା ସରକାର ୧୫ କୋଟି ଟଙ୍କା ଅନୁଦାନ ଦେଇ ଏକ ଷ୍ଟାଡିଅମରେ ରୂପାନ୍ତରିତ କରିବାର ଘୋଷଣା କରିଥିଲେ, ତଥା ଅନୁଷ୍ଠାନର ସମଗ୍ର ପରିସରରେ ପ୍ରାଚୀର ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇଦିଆଯାଉଥିବା ଭିତ୍ତିଭୂମିର ବ୍ୟବହାର କରି ସୁନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ପୁଷ୍ପମିତ୍ରା ପଟ୍ଟନାୟକ ମହାବିଦ୍ୟାଳୟର ବିକାଶ ରଥକୁ ମାନ୍ୟବର ସାଂସଦ ତଥା ମାନ୍ୟବର ବିଧାୟକ ଆଗେଇ ନେଲେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କର୍ମଚାରିବୃନ୍ଦ ସେଥିରେ ସହଯୋଗୀ ହେବେବୋଲି ପ୍ରତିଶୃତି ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭ ପୁଣ୍ୟାତ୍ମା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ହୋଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ସସ୍ମିତା ପ୍ରଧାନ ବେଦପାଠ, ପ୍ରାଧ୍ୟାପକ ରତ୍ନାକର ସାହୁ ସ୍ୱାଗତ ଭାଷଣ ସହ ମଂଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାକ୍ତନ ଅଧକ୍ଷ ଡ଼ଃ ରତିକାନ୍ତ ପରିଡ଼ାଙ୍କ ଦ୍ୱାରା ରଚିତ ଯୁକ୍ତତିନ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକ ଉନ୍ମୋଚିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶୁଭ୍ରଦୀପ୍ତା ପଟ୍ଟନାୟକ ସଂଯୋଜନା କରିଥିଲାବେଳେ ଡ଼ଃ କଳ୍ପନା କୁମାରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରା. ନିହାର ରଞ୍ଜନ ଦାସ, ଡ଼ଃ ରତିକାନ୍ତ ପରିଡା, ପ୍ରା. ସତ୍ୟଶିବସୁନ୍ଦର ମିଶ୍ର ତଥା ସତ୍ୟବାଦୀ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।
Recent Comments