ଖୋର୍ଦ୍ଧା/୧୬/୦୯/୨୦୨୫/(ଆଧାର ମିଡ଼ିଆ)-ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ସଦର ପଂଚାୟତ ତୃତୀୟାପଡା ବଣିଆସାହି ସ୍ଥିତ ପୂର୍ବତନ ଆଦର୍ଶ ଶିକ୍ଷକ ସ୍ବର୍ଗତ ବସନ୍ତ କୁମାର ଚଉଧୁରୀଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଓ ସ୍ମୃତି ଚାରଣ ସଭା ମଙ୍ଗଳବାର ସନ୍ଧ୍ୟାରେ ନିଜ ବାସଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିଚାରଣ ସନ୍ଧ୍ୟାରେ ଶିକ୍ଷାବିତ ତଥା ପୁଜ୍ୟପୂଜା କମିଟିର ଅଧକ୍ଷ ଗୋପୀନାଥ ଖାଡଙ୍ଗାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଂଚଳର ବହୁ ଶିକ୍ଷାବିତ ଓ ସମାଜସେବୀମାନେ ଯୋଗଦେଇ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ କରିଥିଲେ।
ଏଥିରେ ବରିଷ୍ଟ ବ୍ୟକ୍ତିତ୍ଵ ମାନେ ଯୋଗଦେଇ ୨୪.୩.୧୯୪୪ ମସିହାରେ ସ୍ୱର୍ଗତ ବସନ୍ତ ଚଉଧୁରୀ ସମ୍ଭ୍ରାନ୍ତ ବଂଶୀୟ ପିତା ସ୍ବର୍ଗତ ଜ୍ୟୋତିର୍ବିତ ସାଧୁ ଚରଣ ଚଉଧୁରୀ ଓ ମାତା ସ୍ୱର୍ଗତ ନିଆସୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ। ତେବେ ବାଲ୍ୟ କାଳରୁ ବିଦ୍ୟାଧୟନ ଶେଷକରି ଉଚ୍ଚଶିକ୍ଷା ପ୍ରାପ୍ତହୋଇ ନୟାଗଡ଼ ଜିଲ୍ଲାରୁ ଶିକ୍ଷକତା ଜୀବନ ଆରମ୍ଭକରି ପରେ ସ୍ଥାନୀୟ ତଥା ନିଜଗ୍ରାମ ବୋଲଗଡ଼ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପରେ ବାମନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ଅଵସର ଗ୍ରହଣ କରିଥିଲେ।ଆଦର୍ଶ ଶିକ୍ଷକ ସ୍ବର୍ଗତ ଚୌଧୁରୀଙ୍କ ପିତା ସାଧୁଚରଣ ଅଞ୍ଚଳର ଜଣେ ବିଦ୍ୟାନ ଜୋତିର୍ବିଦ ଓ ଗାନ୍ଧିବାଦୀ ଭାବେ ବେଶ ଜଣାଶୁଣା। ବିଶେଷ କରି ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶିକ୍ଷା ଜୀବନଠାରୁ ମୃତ୍ୟୁପର୍ଯ୍ୟନ୍ତ ଖଦୀ ନିର୍ମିତ ଧୋତି ଓ ପଞ୍ଜାବୀ ବ୍ୟବହାର କରି ଆସୁଥିଲେ।
ବିଶେଷକରି ଖୁଦୁରୁକୁଣୀ ଓଷା ଓ ନଳ ଚରିତ କାବ୍ୟର ସ୍ରଷ୍ଟା ଅମରକବି ବଶ୍ୟଦୁଷ୍କର ସ୍ୱର୍ଗତ ଚୌଧୁରୀଙ୍କର ପୂର୍ବ ବଂଶଜ ଥିଲେ।ସେହିପରି ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ କୁମାର ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ଚଉଧୁରୀଙ୍କ ଜୀବନୀ ସମ୍ପର୍କରେ କହିଥିଲେଯେ ସେ କିଛି ବର୍ଷ ଗାଁ ଦୋଳଯାତ୍ରା କମିଟିର ସଭାପତି ଥାଇ ସୁଚାରୁ ରୂପେ ଯାତରା ପରିଚାଳନା କରି ସବୁରି ପ୍ରିୟପାତ୍ର ହୋଇ ପାରିଥିଲେ। ସର୍ବୋପରି ସ୍ବର୍ଗତ ଜଣେ କଳାପ୍ରିୟ ଥାଇ ଯୁବକ ସମୟରେ ଗାଁ ଥିଏଟରରେ ଅଂଶ ଗ୍ରହଣ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିନୟ ନିଭାଇବାରେ ସିଦ୍ଧହସ୍ତ ଓ ସ୍ୱର୍ଗତ ବସନ୍ତ ଜଣେ ସଫଳ ଫୁଟବଲ ଖେଳାଳି ଭାବେ ଅଂଚଳରେ ବେଶ ଜଣାଶୁଣା ଥିଲେ। ଏହି ସ୍ମୃତି ଚାରଣରେ ସମାଜସେବୀ ଲଲାଟେନ୍ଦୁ କେଶରୀ ସିଂହ, ଶିକ୍ଷାବିତ ରାଧାଶ୍ୟାମ ରାୟଗୁରୁ ମହାପାତ୍ର, ଫକୀର ମୋହନ ଫତେସିଂହ, ହରିବନ୍ଧୁ ସାହୁ, ରଘୁନାଥ ଦଳବେହେରା , ଗୌରାଙ୍ଗ ଚମ୍ପତି ଓ ଭକ୍ତ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଚୌଧୁରୀଙ୍କ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।ଶେଷରେ କନିଷ୍ଠ ପୁତ୍ର ସାମ୍ବାଦିକ ଦିଲୀପ ଚୌଧୁରୀ । ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments