logo
add image
ଆରିୟା ଆଇରନ ଏଣ୍ଡ ଷ୍ଟିଲକମ୍ପାନୀ କବ୍ଜାରେ ବଲାଣି-ବଡବିଲ ମୁଖ୍ୟରାସ୍ତା l

ଆରିୟା ଆଇରନ ଏଣ୍ଡ ଷ୍ଟିଲକମ୍ପାନୀ କବ୍ଜାରେ ବଲାଣି-ବଡବିଲ ମୁଖ୍ୟରାସ୍ତା l

ବଲାଣି/ବଡବିଲ/୨୬/୯/୨୫/(ଆଧାର ମିଡିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ଖଣିଅଞ୍ଚଳ ବଲାଣି, ବଡବିଲ, କିରିବୁରୁ ଓ ଆଖ ପାଖ ଅଞ୍ଚଳର ଜନସାଧାରଣଙ୍କ ନିମନ୍ତେ ଗମନାଗମନ ସହଜ,ସୁବିଧା ହୋଇ ପାରିବ ବୋଲି ଜିଲ୍ଲା ଖଣିଜ ପାଣ୍ଠି ଦ୍ଵାରା କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା ବଲାଣି -ବଡବିଲ ମୁଖ୍ୟ ରାସ୍ତା l ତେବେ ଉକ୍ତ ରାସ୍ତା କେତେଗୁଡ଼ିଏ ଶିଳ୍ପ ସଂସ୍ଥାଙ୍କ କବଳରେ ରହିଛି l ଶିଳ୍ପ ସଂସ୍ଥାଙ୍କ ଦ୍ଵାରା ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ ଏହି ରାସ୍ତାକୁ ନିୟନ୍ତ୍ରଣ କରୁଛନ୍ତି l ଫଳରେ ଦୈନ ଜୀବନରେ ଏହିରାସ୍ତା ସାଧାରଣ ଲୋକଙ୍କ ଉପକାରରେ ଲାଗିପାରୁ ନାହିଁ l ବର୍ଷକୁ ୩୬୫ ଦିନ ରାତି ରାସ୍ତାକଡ଼ରେ ଥିବା ଶିଳ୍ପସଂସ୍ଥା ଯଥା- ଆରିୟା ଆଇରନ ଏଣ୍ଡ ଷ୍ଟିଲକମ୍ପାନୀ ପ୍ରାଇଭେଟ୍ ଲିମିଟେଡ କାରଖାନା, ପଞ୍ଚବଟୀ କାରଖାନା ଓ ପିଟିସିଏଲ କାରଖାନାର ଗଚ୍ଛିତ ପେଲେଟ ମାଲ, ଲୌହ ଗୁଣ୍ଡ ଆଦି ମାଲ ପରିବହନରେ ନିୟୋଜିତ ଭାରିଯାନ ରାସ୍ତାକୁ ଉଭୟ ପାର୍ଶ୍ଵକୁ ଅବରୋଧ କରି ରଖୁଛନ୍ତି l
ଏହା ବ୍ୟତୀତ ପ୍ରାୟ ସମୟରେ ବେଆଇନ ପାର୍କିଂଯୋଗୁଁ ବଲାଣି କାରୋନଦି ନିକଟସ୍ଥ ଅକ୍ସିଜନ ଗେସ କାରଖାନା ଠାରୁ ବଡବିଲ କୁରିବୁରୁ ଛକପର୍ଯ୍ୟନ୍ତ ଚାରିଧାଡ଼ି ରାସ୍ତାଜାମ ରହୁଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି l ବିଶେଷ କରି ଆରିୟା ଆଇରନ ଏଣ୍ଡ ଷ୍ଟିଲକମ୍ପାନୀ ପ୍ରାଇଭେଟ୍ ଲିମିଟେଡ କାରଖାନା ଠାରୁ ଚମ୍ପୁଆ ନଈ ପୋଲ (ବଣେଇ କଡ଼ା) ପର୍ଯ୍ୟନ୍ତ ରାସ୍ତା କଡ଼ରେ ଭାରିଯାନ ଗୁଡ଼ିକ ବେଆଇନ ପାର୍କିଂ କରୁଥିବାରୁ ରାସ୍ତାଜାମ ହେବା ସାଧାରଣ ଘଟଣା ପାଲଟିଛି l ଫଳରେ କିରିବୁରୁ,ବଲାଣି ତଥା ବଡବିଲ ଅଞ୍ଚଳର ଜନ ସାଧାରଣ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି l
ବିଭିନ୍ନ ସମୟରେ ବଡବିଲ ସ୍କୁଲ, ଆଇଟିଆଇ ଏବଂ ଅନ୍ୟାନ୍ୟ ଶିକ୍ଷନୁଷ୍ଠାନକୁ ଯାଉଥିବା ଛାତ୍ର ଛାତ୍ରୀ ଘଣ୍ଟା ଘଣ୍ଟା ଧରି ଜାମରେ ରହୁଛନ୍ତି l ଏହା ବ୍ୟତୀତ ମେଡିକାଲ ଆମ୍ବୁଲାନ୍ସ, ଦମକଳ ଗାଡ଼ି ଆଦି ଜରୁରୀ ସେବା ପ୍ରଦାନକାରୀ ଗାଡ଼ି ଗୁଡ଼ିକ ମଧ୍ୟ ଜାମ ରେ ଫସି ରହୁଛନ୍ତି l ଏହିରାସ୍ତା ପାର୍ଶ୍ବରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକର କଞ୍ଚାମାଲ ଓ କାରଖାନାରୁ ବାହାରୁଥିବା ଖଣିଜପଦାର୍ଥ ପରିବହନ ନିମନ୍ତେ ବ୍ୟବହାର ହେଉଥିବା ଭାରିଯାନ ଗୁଡ଼ିକର ମନମୁଖୀ କାର୍ଯ୍ୟକଳାପ ଦିନକୁ ଦିନ ଉକ୍ତରାସ୍ତା ଜାମହେବା ଓ ରାସ୍ତା ଉପରେ ବେଆଇନ ପାର୍କିଂଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ପାଲଟିଛି l
ସ୍ଥାନୀୟ ପୋଲିସ ପ୍ରଶାସନ ରାତିଦିନ ନିରୀକ୍ଷଣ କରୁଥିଲେ ସୁଦ୍ଧା ଉକ୍ତ ଶିଳ୍ପ କାରଖାନା ପ୍ରତି ମଧୁଚନ୍ଦ୍ରିକ ମନୋଭାବ ଯୋଗୁଁ ଏହି ଅଞ୍ଚଳରେ ଜୀବନ ଯାପନ କରୁଥିବା ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି l ତେବେ ଏନେଇ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ କୌଣସି ଉଚିତ୍ ପଦକ୍ଷେପ ଗ୍ରହଣ ନକଲେ ଦୁର୍ଘଟଣା ସହ ଜନଅସନ୍ତୋଷକୁ ପୂର୍ଣ୍ଣଛେଦ ଦିଆଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି l
ସୂଚନା ଉଲ୍ଲେଖ ଯୋଗ୍ୟ ଯେ,ପ୍ରାୟ ଦୁଇବର୍ଷ ପୂର୍ବେ ଏହି ଖଣି ଅଞ୍ଚଳରେ ଖଣିଜ ପଦାର୍ଥ ପରିବହନ ସମୟରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ସମାଧାନ କରିବା ନିମନ୍ତେ କେନ୍ଦୁଝର ପୁଲିସ ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ କେତେଗୁଡ଼ିଏ ପିସିଆର ବାଇକ୍,ପିସିଆର୍ ଭେନ୍ ସହ କେତେଗୁଡ଼ିଏ ପୁଲିସ ଅଧିକାରୀ,ହାବିଲଦାର ଓ କନେଷ୍ଟବଳ ଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ଏକକ ଗଠନ କରାଯାଇଥିଲା l ତେବେ ଏହି ଖଣିଅଞ୍ଚଳ ମାନଙ୍କର ରାସ୍ତାଗୁଡ଼ିକ ଜାମ ହେବା ଏକ ସାଧାରଣ ଘଟଣା ପାଲଟିଥିବା ବେଳେ କେନ୍ଦୁଝର ପୁଲିସ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ଏକକ ଗଲା କୁଆଡେ଼ ? ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

Recent Comments

Leave Comments

Top