logo
add image
ନୂଆପଡ଼ା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଯୋଗୁଁ ପ୍ରବାସୀ ଶ୍ରମିକ ହେବାରୁ ରକ୍ଷା ପାଇଲେ ମେଧାବୀ ଛାତ୍ର l 

ନୂଆପଡ଼ା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଯୋଗୁଁ ପ୍ରବାସୀ ଶ୍ରମିକ ହେବାରୁ ରକ୍ଷା ପାଇଲେ ମେଧାବୀ ଛାତ୍ର l 

ନୂଆପଡ଼ା/୦୨/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ଦାରିଦ୍ର୍ୟତା ଓ ପରିସ୍ଥିତିର ଚାପରେ ପ୍ରବାସୀ ଶ୍ରମିକ ହେବାକୁ ବାଧ୍ୟ ହେଉଥିବା ଜଣେ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ପୁନର୍ଜୀବନ ଦେଇଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ। କୋମନା ବ୍ଲକ୍‌ର ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେଭଟା ଗ୍ରାମର ରତିକାନ୍ତ ଜଗତ ୨୦୨୪ ମସିହାରେ ମହାମାୟା ଇନ୍‌ଷ୍ଟିଟ୍ୟୁଟ୍‌  ନୂଆପଡ଼ାରୁ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ତାଙ୍କ ଶିକ୍ଷା ପଥରେ ବଡ଼ବାଧା ସୃଷ୍ଟି କରିଥିଲା।ତାଙ୍କ ପିତା ରୋହିତ କୁମାର ଜଗତ ଜଣେ ‘ଯୋଗାଣ ସହାୟକ’ ଭାବେ କାର୍ଯ୍ୟରତ ଥିଲେ। କିନ୍ତୁ ଏକ ଗୋଡ ଅଚଳ ହୋଇଯିବା ପରେ ସେ ଚାକିରି ହରାଇଥିଲେ। ଫଳସ୍ୱରୂପ ପରିବାରର ଆର୍ଥିକ ସ୍ଥିତି ଗଭୀର ଭାବେ ଅବନତି ହୋଇଥିଲା।
 ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ଏବଂ ପରିବାର ପ୍ରତିପୋଷଣ ପାଇଁ ରତିକାନ୍ତ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକ ଭାବେ ଯିବାର ଯୋଜନା କରୁଥିଲେ।ଆଶାର ଶେଷ ଆଲୋକ ହେଲା ଜିଲ୍ଲାପାଳଙ୍କ ଜନଶୁଣାଣୀ। କିଛି ଦିନ ପୂର୍ବରୁ, ପରିବାର ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଉପସ୍ଥିତ ହୋଇ ନିଜ ଦୁଃଖ କଥା ରଖିଥିଲେ। ସେତେବେଳେ ଜିଲ୍ଲାପାଳ ରେଡ୍‌କ୍ରସ୍‌ ପାଣ୍ଠିରୁ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ। ସଦ୍‌ଭାବନା ସଭାଗୃହରେ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ପୁନର୍ବାର ପରିବାର ଜିଲ୍ଲାପାଳଙ୍କୁ ଭେଟି ନିଜର ଦୁଃଖ ଏବଂ ଅସହାୟତା ପ୍ରକାଶ କରିଥିଲେ । ପରିବାର ଚଳାଇବା ପାଇଁ ପୁଅ ତାମିଲନାଡୁ ଯିବା ପାଇଁ ବାଧ୍ୟ ହେଉଛି ବୋଲି କହିଥିଲେ l 
ଛାତ୍ରଙ୍କ ଭବିଷ୍ୟତ ଚିନ୍ତାକରି ଜିଲ୍ଲାପାଳ ମହାମାୟା ଇନ୍‌ଷ୍ଟିଟ୍ୟୁଟ୍‌ର ନିର୍ଦ୍ଦେଶକଙ୍କ ସହ ତୁରନ୍ତ ଆଲୋଚନା କରି ରତି କାନ୍ତଙ୍କ ପାଇଁ ବିଏସ୍‌ସି ପାଠ୍ୟକ୍ରମରେ ଭର୍ତ୍ତି ସୁନିଶ୍ଚିତ କରିଥିଲେ। ଆସନ୍ତାକାଲି କଲେଜରେ ଭର୍ତ୍ତି ସମ୍ପର୍କିତ ସମସ୍ତ ବ୍ୟବସ୍ଥା କରିବାକୁ ଡେପୁଟୀ କଲେକ୍ଟର (ଅଭିଯୋଗ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ କୋମନା ବିଡିଓଙ୍କୁ ରୋହିତ ଜଗତଙ୍କ ୨.୫ ବର୍ଷର ବକେୟା ଦରମା ମିଳିବାପାଇଁ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ।
“ଆମ ଦୁଃଖ ଜାଣି ଜିଲ୍ଲାପାଳ ସାର୍‌ ତୁରନ୍ତ ମହାମାୟା ଇନ୍‌ଷ୍ଟିଟ୍ୟୁଟ୍‌ର ନିର୍ଦ୍ଦେଶକଙ୍କୁ ଫୋନ୍‌ କରି ମୋ ପୁଅର ଉଚ୍ଚଶିକ୍ଷା ବ୍ୟବସ୍ଥା କରିଦେଲେ। ଆଜି ମୋ ପୁଅର ଭବିଷ୍ୟତ ସୁରକ୍ଷିତ,”ଭାବୁକ ହୋଇ କହିଛନ୍ତି ପିତା ରୋହିତ କୁମାର ଜଗତ।
ସେହିପରି ଆଜ ଜିଲ୍ଲାପାଳ କୋଟେନ୍‌ଚୁଆଁ ପରିବର୍ଦ୍ଧିତ ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ସେହି ଗାଁର ଜଣେ ୧୦ମ ଶ୍ରେଣୀ ମେଧାବୀ ଛାତ୍ରୀ ଅଙ୍କିତା ଅଗରିଆଙ୍କ ଘରକୁ ଯାଇ ତାଙ୍କୁ ପାଠପଢ଼ା ସମ୍ପର୍କରେ ପରାମର୍ଶ ଦେବା ସହିତ ବୋର୍ଡ ପରୀକ୍ଷା ରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଦେଇଥିଲେ।

Recent Comments

Leave Comments

Top