logo
add image
ବେଆଇନ ଖଣି ଖନନ ଓ କ୍ରସର ଉପରେ କେବେ ଲାଗିବ ଅଙ୍କୁଶ  ।

ବେଆଇନ ଖଣି ଖନନ ଓ କ୍ରସର ଉପରେ କେବେ ଲାଗିବ ଅଙ୍କୁଶ ।

ଭବାନୀପାଟଣା ୦୧/୧୦/୨୦୨୪(ଆଧାର ମିଡ଼ିଆ)ପ୍ରାକୃତିକ ଖଣିଜ ସମ୍ପଦରେ ଭରପୁର ଆମ ରାଜ୍ୟରେ ଖଣିଜ ସମ୍ପଦ ଲୂଟ ହେବା କିଛି ନୂଆ କଥା ନୁହେଁ। ପ୍ରତେକ ଦିନ ଏଭଳି ଖବର ବିଭିନ୍ନ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟୁଛି। ପୂର୍ବ ସରକାରରେ ବେଆଇନ ଖଣି କାରବାର ବହୁ ମାତ୍ରାରେ ଚାଲୁଥିବା ବେଳେ ତାକୁ ରୋକିବା ଦିଗରେ ଏବେ ନିକଟରେ ଆମ ମୁଖ୍ୟମନ୍ତୀ ଜିଲ୍ଲା ମୁଖିଆଙ୍କୁ ଜିଲ୍ଲାରେ ଲୂଟ ହେଉଥିବା ଖଣି ଖାଦାନ ଉପରେ କଡା ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି। ସେଇଭଳି ପ୍ରାକୃତିକ ସମ୍ପଦର ଗନ୍ତାଘର କୁହାଯାଉଥିବା କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଖଣି ଚୋର ବାଲି ମାଫିଆଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାତ ହାଣ୍ଡିରୁ ଗୋଟାଏ ଭାତ ଚିପିଲା ଭଳି ଭବାନୀପାଟଣା ସହରରୁ ଖରିଆର ଯିବା ମୁଖ୍ୟ ରାସ୍ତାରୁ ମାତ୍ର ୪କିମି ଦୂରରେ ଡେଙ୍ଗପଦର ଗାଁ ଏହି ଗ୍ରାମକୁ ଲାଗିକରି ଯେଉଁ ପାହାଡଟି ଅବସ୍ତିତ ତାର ନାମ ମଧ୍ୟ ଡେଙ୍ଗପଦର ପାହାଡ଼, ସେହି ପାହାଡର ଛାତି ଭିତରେ ମୂଲ୍ୟବାନ ପଥର ଖାଦାନ, ରୋଜ ଏହିଠାରୁ କ୍ରସର ପାଇଁ ଉଦ୍ଧିଷ୍ଟ କଞ୍ଚାମାଲ ବେଆଇନ ଉତ୍ତଳନ କରି ବିଭିନ୍ନ କ୍ରସର ମାନଙ୍କୁ ଚାଲାଣ ହେଉଥାଏ। ସବୁଠାରୁ ବଡକଥା ହେଲା ପାହାଡ଼ ଉପରେ ପଥର ଖାଦାନ ଏବଂ ପାହାଡର ପାଦଦେସରେ ଷ୍ଟୋନ କ୍ରସର।ବାରୁଦ ଓ ରଞ୍ଜକ ର ସମ୍ପର୍କ ଭଳି ଏଠି ବେଆଇନ କ୍ରସର ବସିବା ଦ୍ୱାରା ଡେଙ୍ଗପଦର ଗ୍ରାମର ପ୍ରଭୁତ କ୍ଷତି ଘଟୁଥିବା ଗ୍ରାମବାସୀଙ୍କ ଅଭିଯୋଗ । ଦିନରେ କ୍ରସରର ଧୂଳି ଧୂଆଁ ଓ ରାତିରେ ଖାଦାନ ବିସ୍ଫୋରଣର ପ୍ରଚଣ୍ଡ ବିକଟାଳ ଶବ୍ଦ ଯୋଗୁଁ ଗ୍ରାମବାସୀ ଭୟବିତ ଓ ଆତଙ୍କିତ ମଧ୍ୟରେ କାଳାତିପାତ କରୁଛନ୍ତି। ସେହିଭଳି ଦୈନିକ ପଥର ବୋଝେଇ ଟ୍ରକ, ହାଇୱା ଓଭର ଲୋଡିଙ୍ଗ କରି ଗ୍ରାମ୍ୟ ରାସ୍ତା ମଧ୍ୟଦେଇ ଯାତାୟତ କରିବା ଦ୍ୱାରା ଗ୍ରାମ୍ୟ ରାସ୍ତା ଅବସ୍ଥା ମଧ୍ୟ ପୁରା ଶୋଚନୀୟ ହୋଇପଡିଛି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ପ୍ରକାଶ ।ଶୁଣିବାକୁ ମିଳୁଛି ଯେ ଯେଉଁଠି ପଥର ଖାଦାନ ଅବସ୍ଥିତ ସେଠି ବଲାଙ୍ଗୀର ଏବଂ କଳାହାଣ୍ଡି ଉଭୟ ଜିଲ୍ଲା ସୀମାନ୍ତକୁ ଲାଗିକରି ଅଛି। ତେଣୁ ସୀମା ନିର୍ଧାରଣ ଦ୍ଵନ୍ଦ ଦୂର ନହେବା ଯୋଗୁଁ ଲାଗିରହିଥିବା ସୀମା ବିବାଦ ଫଳରେ କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ତାହାର ଫାଇଦା ଏହି ଖଣି ମାଫିଆ ମାନେ ଉଠାଉଛନ୍ତି। ଯଦ୍ୱାରା ସରକାରଙ୍କ ବ୍ୟାପକ ରାଜସ୍ବ ହାନି ହେବାସହ ଡେଙ୍ଗପଦର ଗ୍ରାମବାସୀଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି।ଗୋଟିଏ ଜାଗାରେ ପଥର ଖାଦାନ ଏବଂ କ୍ରସର ରହିବା ଦ୍ୱାରା ସେ ଅଂଚଳର ଜଳ,ବାୟୁ ଏବଂ ଶବ୍ଦ ପ୍ରଦୂଷଣର ମାତ୍ରା ବେଳକୁ ବେଳ ବଢ଼ିବାରେ ଲାଗିଛି।ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାଇ ଯେଉଁ ସମୟରେ କ୍ରସର ଚାଲେ ସେହି ସମୟରେ ସେମାନଙ୍କ ଘର ଦୁଆର ବାରଣ୍ଡା ଆଦିରେ ପଥର ଗୁଣ୍ଡର ଏକ ଆସ୍ତରଣ ପଡି କୁହୁଡିର ଭ୍ରମ ସୃଷ୍ଟି କରୁଛି। ସେଠିକାର ଲୋକମାନେ ବିଭିନ୍ନ ପ୍ରକାର ରୋଗ ବିଶେଷ କରି ଶ୍ୱାସ ଜନିତ ରୋଗରେ ପଡି ପ୍ରତିବର୍ଷ ଡାକ୍ତରଖାନାରେ ନିଜ କଷ୍ଟଉପାର୍ଜିତ ଅର୍ଥ ସାରିଥାନ୍ତି। ତେଣୁ ସେଠାକାର ଗ୍ରାମବାସୀଙ୍କ ଏସବୁ ମୌଳିକ ସମଶ୍ୟା ପ୍ରତି ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପ୍ରଶାସନ ଉଭୟ ଦୃଷ୍ଟି ଦେଇ ତୁରନ୍ତ ବେଆଇନ ଖଣି ଏବଂ କ୍ରସର ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାସହ କ୍ରସର ଏବଂ ଖଣି ଉତ୍ତଳନକୁ ବନ୍ଦ କରିବାକୁ ଦାବିହେଉଛି।

Recent Comments

Leave Comments

Top