ପୁରୀ/୧୪/୨/୨୦୨୬/(ଆଧାର ମିଡ଼ିଆ)-ଆମେ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନପାଇଁ ମନ ବଳାଇଥିଲୁ।ତେବେ ଦୂର ବାଟ,ଅଭାବ ଅସୁବିଧା,ଭିଡପାଇଁ ଡରଯୋଗୁଁ ଆସିବା ସମ୍ଭବ ହୋଇ ପାରୁ ନଥିଲା।ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା କରିବାରୁ ଆଶାବଢିଲା ଓ ଭାଗ୍ୟକୁ ପ୍ରଥମ ବ୍ୟାଚରେ ଆମେ ପୁରୀ ଆସିଲୁ। ମହାପ୍ରଭୁଙ୍କ ଦର୍ଶନ କରି ଆମେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ଗଞ୍ଜାମ ଦିଗପହଣ୍ଡିର ବି ସାବିତ୍ରୀ,ଡି ସେତମ,ରମ୍ଭାର ନାରାୟଣ ବେହେରା,ଭଞ୍ଜନଗର ର ପି ଲକ୍ଷ୍ମୀ ପାତ୍ର,ବେଲଗୁଣ୍ଠାର ରବିସାହୁ,ମୟୁରଭଞ୍ଜ ଚିତ୍ରଡାର ତିଳୋତ୍ତମା ଖମାରୀ,ଗଡିଗାଁର ଶକୁନ୍ତଳା ମହାନ୍ତ, କରତପଟାର ବୈଜୟନ୍ତି ନାୟକ, ଭଦ୍ରକ ଖପରପଦାର ସୁଦାମ ଚରଣ ସାହୁ, ଆନନ୍ଦପୁରର ଦାମୋଦର ବେହେରା, ଭଣ୍ଡାରୀପୋଖରୀ ର କୃଷ୍ଣ ଚନ୍ଦ୍ର ସେନାପତି, ଇଛାପୁରର ପର୍ଶୁରାମ ଜେନା,ଗଞ୍ଜାମର ପ୍ରମିଳା ରାଉତ,ପି ଦମୟନ୍ତୀ ରେଡି ପଦ୍ମାବତୀ ପତି ପ୍ରମୁଖ।ସେମାନଙ୍କ ମଧ୍ୟରୁ ଅନେକ ଜୀବନରେ ପ୍ରଥମ ଥର ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।ବହୁ ଦିନ ର ଅଭିଳାଷ ପୂରଣ ହୋଇ ଥିବାରୁ ଲୁହରେ ଆଖି ଭିଜେଇ ଛନ୍ତି।ଏ ପରିଣତ ବୟସରେ ଠାକୁରଙ୍କୁ ଦେଖି ଯୋଉ ଆନନ୍ଦ ଓ ଶାନ୍ତି ପାଇଲୁ ତାହା ଅବର୍ଣ୍ଣନୀୟ ବୋଲି କୋହଭିଜା କଣ୍ଠରେ କହି ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ପୁରୀକୁ ଦର୍ଶନପାଇଁ ଆସିଥିବା ୫ ଜିଲ୍ଲାର ଶ୍ରଦ୍ଧାଳୁ ମାନେ।ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଠାରେ ଗତକାଲି ଶୁଭାରମ୍ଭ କରିବା ପରେ ନବରଙ୍ଗପୁର ଜିଲ୍ଲା ସହ ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଜିଲ୍ଲାର ଶ୍ରଦ୍ଧାଳୁ ମାନେ ପୁରୀ ରେ ପହଞ୍ଚିଛନ୍ତି।ଏହି ଜିଲ୍ଲା ମାନଙ୍କ ରୁ ୫୦୦ ତୀର୍ଥଯାତ୍ରୀ ମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହଣୀ ସ୍ଥାନ ବୃନ୍ଦାବତୀ ନିବାସରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପାରମ୍ପରିକ ବାଦ୍ୟ,ହୁଳହୁଳି, ଚନ୍ଦନ ଟିପା ଦେଇ ସ୍ବାଗତ କରାଯାଇଥିଲା।
ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ସ୍ବାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଶ୍ରୀମନ୍ଦିର ଡେପୁଟି ପ୍ରଶାସକ ରଞ୍ଜନ କୁମାର ବେହେରା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଓଏସଆରଟିସିର ଜିଲ୍ଲା ପରିଚାଳକ ରଶ୍ମିସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ରେଡକ୍ରସ ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ।ଆଜି ପ୍ରତ୍ୟୁଷରୁ ଗଞ୍ଜାମ ଓ ଭଦ୍ରକର ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଦର୍ଶନ କରାଯାଇଥିଲା।ପରେ ନବରଙ୍ଗପୁର,ସମ୍ବଲପୁର ଓ ମୟୂରଭଞ୍ଜର ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଦର୍ଶନ ସହ କରାଯାଇଥିଲା।ବିଦାୟ ସମୟରେ ସମସ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ମାନଙ୍କୁ ଶୁଖିଲା ଭୋଗ ପ୍ରଦାନ କରାଯାଇଥିଲା।
Recent Comments