ବିଷମକଟକ/ରାୟଗଡ଼ା/୨୨/୦୨/୨୦୨୬/(ଆଧାର ମିଡ଼ିଆ-ବିଷମକଟକ,କାଷିନାଥ ପାଳ)-ରାୟଗଡ଼ା ଜିଲ୍ଲାର ବିସମକଟକରେ ଆୟୋଜିତ ଗ୍ରାମୀଣ ଚର୍ଚ୍ଚା ୨୦୨୬ ରେ ଓଡ଼ିଶା,ଛତିଶଗଡ଼,ଝାରଖଣ୍ଡ,ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରରୁ ୩,୦୦୦ ରୁ ଅଧିକ ଆଦିବାସୀ ନେତା ଏକତ୍ରିତ ହୋଇଛନ୍ତି। ୫୦ରୁ ଅଧିକ ତୃଣମୂଳ ସଂଗଠନଙ୍କ ପ୍ରତିନିଧିମାନେ ନିଜ ଅନୁଭବ ଅଦାନ-ପ୍ରଦାନ,ପ୍ରଶ୍ନଉତ୍ତର ଉପରେ ଆଧାରିତ ସ୍ଥାନୀୟ ସମସ୍ୟା ଚିହ୍ନଟ ଏବଂ ତାର ସମାଧାନ ପନ୍ଥା ପ୍ରସ୍ତୁତ କରିବାପାଇଁ ଏକତ୍ରିତ ହୋଇଛନ୍ତି। ସେମାନଙ୍କର ଏହି ସହଭାଗିତା ବିକଶିତ ଭାରତ ୨୦୪୭ ଏବଂ ବିକଶିତ ଓଡିଶା ୨୦୩୬ ଚିନ୍ତନକୁ ସୁଦୃଢ କରିବ।
କାର୍ଯ୍ୟକ୍ରମଟି ଏକ ଉତ୍ସାହଭରା ଉଦ୍ଘାଟନୀ ଅଧିବେଶନ ସହିତ ଆରମ୍ଭ ହୋଇଥିଲା,ଯେଉଁଥିରେ ପାରମ୍ପରିକ ଗୀତ ଏବଂ ନୃତ୍ୟ ପ୍ରଦର୍ଶନ ଓ ବିଭିନ୍ନ ସଂଗଠନର ପତାକା ପ୍ରଦର୍ଶନ ମାଧ୍ୟମରେ ତୃଣମୂଳ ସଂଗଠନ ମାନଙ୍କର ବିବିଧତା ପ୍ରକାଶ ପାଇଥିଲା।ମୁଖ୍ୟ ଆକର୍ଷଣ ଥିଲା 'ପରିବେଶ ସୁରକ୍ଷା' ଉପରେ ଆଲୋଚନା ଚକ୍ର-ଜମି,ଜଙ୍ଗଲ ଓ ପାରମ୍ପରିକ କୃଷି ଏବଂ ଖାଦ୍ୟ ପ୍ରଣାଳୀ”। ବାସ୍ତବତାକୁ ଆଧାର କରି ଏହି ଆଲୋଚନା ଚକ୍ରରେ ପ୍ରକୃତିର ନିୟମ,ଜଳବାୟୁ ସହନ ଶୀଳତା ଓ ପାରମ୍ପରିକ ଖାଦ୍ୟପ୍ରଥା ଇତ୍ୟାଦି ଉପରେ ଚର୍ଚ୍ଚା ହୋଇଥିଲା।
ଓଡ଼ିଶା ଶ୍ରମଜୀବୀ ମଞ୍ଚର ଆବାହକ ଶ୍ରୀଯୁକ୍ତ ଅଞ୍ଜନ ପ୍ରଧାନ କହିଛନ୍ତି, ଆମ ଆଦିବାସୀ ସମ୍ପ୍ରଦାୟର ଜ୍ଞାନ,ପାରମ୍ପରିକ ଜୀବନଶୈଳୀ,ଆମର କଥା ଆମ ଦେଶର ଭବିଷ୍ୟତ ସଂଗେ ଗଭୀର ଭାବରେ ଜଡିତ। ପିଢ଼ି ପରେ ପିଢ଼ି, ଆମେ ପ୍ରକୃତି ସହ ହାଥମିଳାଇ ପ୍ରକୃତି ସୁରକ୍ଷା ସହ ସାଂସ୍କୃତିକ ମୂଲ୍ୟବୋଧ ମାଧ୍ୟମରେ ଆମେ ଜୀବନ ବିତାଉଛୁ । ଏହା କେବଳ ପରମ୍ପରା ନୁହେଁ ସମସ୍ୟାର ସମାଧାନ ମଧ୍ୟ. ଯାହା ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ପ୍ରସ୍ତୁତି ଓ ଯାତ୍ରାରେ ସହାୟକ ହେବ” ।
୧୫ ରୁ ଅଧିକ ପ୍ରସଙ୍ଗ ଉପରେ ଆଧାରିତ ଆଲୋଚନା ଚକ୍ରରେ ଲୋକମାନେ ଭାଗନେଇ ଆଞ୍ଚଳିକ ସମସ୍ୟା ଏବଂ ତାର ସମାଧାନ ଚିହ୍ନଟପାଇଁ ପ୍ରୟାସ କରିଥିଲେ। ଯୁବନେତୃତ୍ୱ, ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ,ପିଢ଼ୀଗତ ଶିକ୍ଷା,ଏବଂଜ୍ଞାନ ପ୍ରତିଯୋଗିତା ମାଧ୍ୟମରେ ଜୀବିକା,ଜଳସେଚନ,ସ୍ଥାନନ୍ତିକରଣ ଓ ସ୍ୱାସ୍ଥ୍ୟ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ସହିତ ଜଙ୍ଗଲ ଅଧିକାର,ଜୈବ ବିବିଧତା,ଆଦିବାସୀ ଜ୍ଞାନ ପ୍ରଣାଳୀ ଓ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ତୃଣମୂଳ ସ୍ତରର ବାଣୀକୁ ସଂରକ୍ଷଣ,ପ୍ରଚାର,ପ୍ରସାର କରିବା ବିଷୟରେ ଚର୍ଚ୍ଚା ହୋଇଥିଲା। ଆଲୋଚନାରେ କେନ୍ଦ୍ରରେ ରହିଲା ଜନସମୂଦାୟର ବାଣୀ ।
ଗ୍ରାମୀଣ ଚର୍ଚ୍ଚାରେ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରି ରାୟଗଡ଼ାର ବିଶିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ଶଙ୍କର ପ୍ରସାଦପାଣି କହିଥିଲେ ଯେ ଭାରତର ବିକାଶ ମୂଳରେ ରହିଛି ଏହାର ଗ୍ରାମାଞ୍ଚଳର ପ୍ରଗତି। ଆଦିବାସୀ ସମ୍ପ୍ରଦାୟ ଏହି ଯାତ୍ରାରେ ପ୍ରକୃତ ଅଂଶୀଦାର ହେବାପାଇଁ ଉଭୟ ଅଧିକାର ଓ ଦାୟିତ୍ୱ ପ୍ରତି ସଚେତନ ହେବା ଆବଶ୍ୟକ। ସେ ଉଲ୍ଲେଖ କରିଥିଲେ ଯେ ଗ୍ରାମୀଣ ଚର୍ଚ୍ଚା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଯେଉଁଠାରେ ଲୋକମାନେ ଖୋଲାଖୋଲି ଭାବେ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିପାରିବେ ଏବଂ ସମାଧାନର ଉପାୟ ପ୍ରଦାନ କରି ପାରିବେ ।
ପ୍ରଥମ ଦିନ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା ଉତ୍ସାହ ଉଦ୍ଦୀପନା ସହ। ଓଡିଶାର ଏକ ପାରମ୍ପରିକ ଖେଳ “ପିଠୁର ଆୟୋଜନ କରା ଯାଇଥିଲା ଯାହା ମାଧ୍ୟମରେ ପାରମ୍ପରିକ କ୍ରୀଡାର ବିକାଶ ଏବଂ ଉତ୍ତମ ସ୍ବାସ୍ଥ୍ୟ ଦିଗରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ “ଆଦି ପ୍ରତିଭା” କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଯୁବକ ଯୁବତୀ ମାନେ ପାରମ୍ପରିକ ସଙ୍ଗୀତ, ନୃତ୍ୟ ମାଧ୍ୟମରେ ଆଦିମ ସଂସ୍କୃତିକୁ ଅଭିବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରଥମଦିନ ପରିସମାପ୍ତିରେ ସାମୁହିକ ମତାମତ ଗ୍ରହଣ କରାଯାଇଥିଲା, ଯାହା “କଲ୍ ଟୁ ଆକ୍ସନ୍” ର ରୂପରେଖ ପ୍ରସ୍ତୁତ କରାଯିବ ।
Recent Comments