ଖୋର୍ଦ୍ଧା/୦୫/୦୩/୨୦୨୬/(ଆଧାର ମିଡ଼ିଆ)- ମହାନ ଜନନାୟକ ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ବେଗୁନିଆ ବ୍ଲକ ବିଜୁପଟ୍ଟନାୟକ ପାର୍କ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା କରାଯାଇଥିଲା ।
ବିଧାୟକ ଶ୍ରୀ ସାହୁ କହିଥିଲେ ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ସେ ଥିଲେ ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି । ବିଜୁବାବୁ କେହି ଚାହିଁଲେ ବି ଓଡିଶା ବାସୀଙ୍କ ମନରୁ ଲିଭାଇପାରିବ ନାହିଁ ।ସେହିପରି ନବ ଉତ୍କଳର ଅନ୍ୟତମ ପୁରୋଧା ଥିଲେ ବିଜୁ ବାବୁ । ସେ ଥିଲେ ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ ।
ଏକାଧାରରେ ସେ ଜଣେ ସ୍ୱାଧିନତା ସଂଗ୍ରାମୀ, ଦୁଃସାହସିକ ରାଜନିତିଜ୍ଞ, ଦୁର୍ଦ୍ଦଶ ପାଇଲଟ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା ରାଜନେତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମାଟିର ବରପୁତ୍ର ତଥା ଝଡ଼ର ଇଗଲ ବିଜୁବାବୁଙ୍କର ଅଭିନବ ଉଦ୍ୟ ମ,ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସେ ସମସ୍ତଙ୍କ ମନର ମହାନାୟକ । ତାଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି,ପ୍ରେରଣା ଯୋଗାଇ ଆସିଛି । ଯାହାକୁ କେହି ବି ଆସିଲେ ଲିଭାଇପାରିବ ନାହିଁ ବୋଲି କହିଥିଲେ । ଏଥିସହିତ ତାଙ୍କ ଉଦ୍ୟମରେ ପାରାଦୀପ ବନ୍ଦର,ହାଲ,ରାଉଲକେଲା ଇସ୍ପାତ କାରାଖାନା, ରିଜିଓନାଲ କଲେଜ ଆଦି ପ୍ରତିଷ୍ଠା ହୋଇଥିଲା ବୋଲି ମତ ଦେବା ସହ ସେ ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ପାଇଥିଲେ ବୋଲି ମତବ୍ୟକ୍ତ କରିଥିଲେ ।
ବିଜୁବାବୁ ତ୍ରିସ୍ତରୀୟ ପଂଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । ମାର୍ଚ୍ଚ ୫କୁ ବିଜୁ ବାବୁଙ୍କ ଜନ୍ମଦିବସ ତଥା ପଂଚାୟତ ରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ ହୋଇ ଆସୁଥିଲା । ମାତ୍ର ଡବଲ ଇଞ୍ଜିନ ସରକାର ଆସିଲା ଦିନଠାରୁ ଆଜିର ଦିବସକୁ ପଂଚାୟତ ରାଜ ଦିବସ ଭାବେ ପାଳନ କରୁ ନଥିବାରୁ ଏଥି ନିମନ୍ତେ ସେ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସ୍ୱପ୍ନ ଦେଖିଥିବା ନେତାଥିଲେ ବିଜୁ ପଟ୍ଟନାୟକ ।
୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଉ ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ତାଙ୍କରି ହାତରେ । ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା । ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ,ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ତାଙ୍କର ସ୍ୱପ୍ନ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ସମ୍ଭବ ହୋଇଥିବା କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବେହେରା,ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ,ଜିଲ୍ଲାପରିଷଦ ସଦସ୍ୟା ତନୁଜା ପାଟ୍ଟଶାଣୀ,ପ୍ରକାଶ କୁମାର ସାହୁ,ସୁବାସ ଚନ୍ଦ୍ର ରାୟଗୁରୁ ,ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ଜୟନ୍ତୀ ପ୍ରଧାନ,ଯାଗେଶ୍ୱର ମାଝୀ, ଭଗବାନ ପଣ୍ଡା,ରତ୍ନାକର ମହାପାତ୍ର ସମେତ ବେଗୁନିଆ ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟ ତର ସରପଂଚ ,ସମିତି ସଭ୍ୟ ,ଜିଲ୍ଲା ପରିଷଦ ଓ ଶତାଧିକ କର୍ମୀ ଏବଂ ବିଜୁପ୍ରେମୀମାନଙ୍କୁ ନେଇ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି ।
Recent Comments